ବଲିଉଡରେ ପୁଣି ଉଠିଲା ‘ମି ଠୁ’ ଅଭିଯାନର ଝଡ ! ପ୍ରସିଦ୍ଧ ଗାୟକ ଅନୁ ମଲ୍ଲିକଙ୍କ ଉପରେ ଆରୋପ ଲଗାଇଲେ ଗାୟିକା ସୋନା ମହାପାତ୍ର ।

48

ବଲିଉଡ୍ ଶିଳ୍ପରେ ଏବେ ‘ମି ଠୁ’ ଚଡ଼କ ପଡ଼ିଛି। ଜଣକ ପରେ ଜଣେ ସେଲିବ୍ରିଟିଙ୍କ ଅସଲ ଚେହେରା ଏହି ମି ଠୁ ଅଭିଯାନ ଦ୍ବାରା ପଦାରେ ପଡ଼ିବାରେ ଲାଗିଛି। ଅଭିନେତା ଠାରୁ ଆରମ୍ଭକରି ଚଳଚ୍ଚିତ୍ର ନିର୍ଦ୍ଦେଶକ ଏବଂ ନିର୍ମାତାଙ୍କ ପର‌୍ୟ୍ୟନ୍ତ କେହି ବି ଏହି ଅଭିଯାନରୁ ନିସ୍ତାର ପାଉନାହାନ୍ତି। ନାନା ପାଟେକର, ଆଲୋକ ନାଥ, କୈଳାସ ଖେର, ବିକାଶ ବହଲ୍ଙ୍କ ଭଳି ସେଲିବ୍ରିଟିଙ୍କ ବିରୋଧରେ ଯୌନ ନିର‌୍ୟାତନା ଅଭିଯୋଗ ଆସିବା ପରେ ମି ଠୁ ଅଭିଯାନ ବ୍ୟାପକ ହୋଇଛି। ସଦ୍ୟ ଘଟଣାକ୍ରମେ ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲିକ୍ଙ୍କ ବିରୋଧରେ ଯୌନ ନିର‌୍ୟାତନା ଅଭିଯୋଗ ଆସିଛି। ପ୍ରସିଦ୍ଧ ଗାୟିକା ସୋନା ମହାପାତ୍ର ଏହି ଅଭିଯୋଗ ଆଣିଛନ୍ତି। ସୋନା କହିଛନ୍ତି, ୨୦୦୬ ଅକ୍ଟୋବରରେ ପ୍ରଥମ ଥର ପାଇଁ ଅନୁ ମଲିକଙ୍କ ସହ ଦେଖାହେବା ପରେ ସେ ଅଶାଳୀନ ମନ୍ତବ୍ୟ ଦେଇଥିଲେ। ମୋ ସ୍ବାମୀ ରାମ୍ ସମ୍ପଥଙ୍କ ସାମ୍ନାରେ ମୋତେ ‘ମାଲ୍’ ବୋଲି କହିଥିଲେ। ଏହାପରେ ବାରମ୍ବାର ଫୋନ୍ କରି ମୋତେ ଅସମୟରେ ଅଜଣା ସ୍ଥାନକୁ ଡାକୁଥିଲେ। ଏହାପରେ ମୁଁ ତାଙ୍କ କଲ୍ ଗ୍ରହଣ କରିନଥିଲି। ଗତକାଲି ସୋନା ଗାୟକ କୈଳାସ ଖେର୍ଙ୍କ ବିରୋଧରେ ନିର‌୍ୟାତନା ଅଭିଯୋଗ ଆଣିଥିଲେ। ସେପଟେ ଆଲୋକ ନାଥଙ୍କ ବିରୋଧରେ ଆଜି ନୂଆ ଅଭିଯୋଗ ଆସିଛି। ଅଭିନେତ୍ରୀ ଦୀପିକା ଅମିନ୍ ଟ୍ବିଟ୍ କରି କହିଛନ୍ତି, ଏକ କ୍ଷୁଦ୍ର ଚଳଚ୍ଚିତ୍ର ସୁଟିଂ ବେଳେ ବାହାରକୁ ଯିବାକୁ ପଡ଼ିଥିଲା। ଏହି ସମୟରେ ଏକ ହୋଟେଲ୍େର ରହଣି ବେଳେ ଆଲୋକ ମଦ୍ୟପାନ କରି ତାଙ୍କ ରୁମ୍ ମଧ୍ୟକୁ ପଶିଆସିଥିଲେ। କିନ୍ତୁ ଅନ୍ୟମାନଙ୍କ ସହାୟତାରେ ସେ ରକ୍ଷା ପାଇଥିଲେ।

ନିର୍ଦ୍ଦେଶକ ସୁଭାଷ କପୁରଙ୍କ ବିରୋଧରେ େଯୗନ ନିର‌୍ୟାତନା ଅଭିେଯାଗ ଆସିଥିବାରୁ ତାଙ୍କ ଫିଲ୍ମ ନିର୍ମାଣ ନ କରିବା ପାଇଁ ଅଭିନେତା ଅମିର ଖାନ୍ ନିଷ୍ପତ୍ତି ନେଇଛନ୍ତି। ଟି-ସିରିଜ୍ ପ୍ରତିଷ୍ଠାତା ସ୍ବର୍ଗତ ଗୁଲ୍ସନ୍ କୁମାରଙ୍କ ଜୀବନ ଉପରେ ହେବାକୁ ଥିବା ଏହି ଫିଲ୍ମ ନିର୍ମାଣ କରିବେ ବୋଲି ଅମିର୍ ରାଜି ହୋଇଥିଲେ। ଅଭିନେତ୍ରୀ ଗୀତିକା ତ୍ୟାଗୀ ୨୦୧୪ରେ ସୁଭାଷଙ୍କ ବିେରାଧେର ଯୌନ ନିର‌୍ୟାତନା ଅଭିଯୋଗ ଆଣିଥିଲେ। ଏ ନେଇ ସୁଭାଷ କହିଛନ୍ତି, ମି-ଠୁ ଅଭିଯାନକୁ ସମର୍ଥନ କରିଥିବାରୁ ମୁଁ ଅମିର୍ଙ୍କୁ ସମ୍ମାନ ଜଣାଉଛି। କିନ୍ତୁ ମୋ ବିରୋଧରେ ହୋଇଥିବା ଅଭିଯୋଗ ବିଚାରାଧୀନ ରହିଛି। ବର୍ତ୍ତମାନ ବଲିଉଡ୍ ଶିଳ୍ପକୁ ଆତ୍ମସମୀକ୍ଷା କରିବାର ସମୟ ଆସିଛି ବୋଲି ଅମିର୍ କହିଛନ୍ତି।

ଅନ୍ୟପକ୍ଷରେ ଚଳଚ୍ଚିତ୍ର ନିର୍ମାତା-ନିର୍ଦ୍ଦେଶକ ସୁଭାଷ ଘାଇଙ୍କ ବିରୋଧରେ ଜଣେ ଅଜଣା ମହିଳା ଦୁଷ୍କର୍ମ ଅଭିଯୋଗ ଆଣିଥିବା ବେଳେ ସେ ଏହାକୁ ଖଣ୍ଡନ କରିଛନ୍ତି। ସେପଟେ ମି ଠୁ ଅଭିଯାନ କ୍ରୀଡ଼ା ଜଗତକୁ ବ୍ୟାପିଛି। ଶ୍ରୀଲଙ୍କା କ୍ରିକେଟ୍ର ଦୁଇଜଣ ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ ଆସିଛି। ଶ୍ରୀଲଙ୍କାର ପୂର୍ବ କ୍ରିକେଟର୍ ଅର୍ଜୁନ୍ ରଣତୁଙ୍ଗା ଜଣେ ମହିଳା ବିମାନ କର୍ମଚାରୀଙ୍କୁ ମୁମ୍ବାଇର ଏକ ହୋଟେଲ୍ରେ ଅସଦାଚରଣ କରିଥିଲେ। ସେହିଭଳି ଗାୟିକା ଚିନ୍ମୟୀ ଶ୍ରୀପଦ ଶ୍ରୀଲଙ୍କା କ୍ରିକେଟର୍ ଲସିଥ୍ ମାଲିଙ୍ଗାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ନାନା ପାଟେକରଙ୍କ ବିରୋଧରେ ଅଭିଯୋଗ ଆଣିଥିବା ତନୁଶ୍ରୀ ଦତ୍ତ ପୁଲିସ ନିକଟରେ ୪୦ ପୃଷ୍ଠା ସମ୍ବଳିତ ଦସ୍ତାବିଜ ଦାଖଲ କରିଛନ୍ତି। ଏଥିରେ ନାନାଙ୍କ ସମେତ କୋରିଓଗ୍ରାଫର୍ ଗଣେଶ ଆଚାର‌୍ୟ୍ୟ ଏବଂ ଚଳଚ୍ଚିତ୍ର ନିର୍ମାତା ସାମି ସିଦ୍ଦିକିଙ୍କ ନାମ ରହିଛି।