ହାତ ଚିହ୍ନରେ ଲଢିବ କିଏ ? ମୈଦାନକୁ ଓହ୍ଲାଇବେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ, ସମ୍ଭାବ୍ୟ ତାଲିକାର ଦୁଇଟି ଆସନରେ ନିରଞ୍ଜନଙ୍କ ନାଁ । ଦେଖନ୍ତୁ ୨୧ ଲୋକସଭା ଓ ୧୪୭ ବିଧାନସଭାର ସମ୍ଭାବ୍ୟ ପ୍ରାର୍ଥୀଙ୍କ ପୂରା ତାଲିକା

1,105

କନକ ବ୍ୟୁରୋ : ଆସିଲା କଂଗ୍ରେସର ସମ୍ଭାବ୍ୟ ପ୍ରାର୍ଥୀ ତାଲିକା । ସିଇସି କମିଟିକୁ ପଠାଇଯାଇଥିବା ପ୍ରାର୍ଥୀଙ୍କ ତାଲିକା ସାମ୍ନାକୁ ଆସିବା ପରେ କଂଗ୍ରେସ ଟିକେଟ ଘୋଷଣାକୁ କେବଳ ଅପେକ୍ଷା କରାଯାଇଛି । ୧୪୭ ବିଧାନସଭା ଓ ୨୧ଟି ଲୋକସଭା ଆସନର ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଏବେ ସାମ୍ନାକୁ ଆସିଛି । ବିଧାନସଭା ସମ୍ଭାବ୍ୟ ପ୍ରାର୍ଥୀ ତାଲିକାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିଜ ପାଇଁ ଦୁଇଟି ଆସନ ରଖିଛନ୍ତି । କେଉଁଝରର ଘସିପୁରା ଓ ଭଦ୍ରକର ଭଣ୍ଡାରିପୋଖରୀ ଆସନ ପାଇଁ ନିରଞ୍ଜନଙ୍କ ନାଁ ସୁପାରିଶ କରାଯାଇଛି । ତେବେ ବିରୋଧୀଙ୍କ ରଣନୀତି ଅନୁଯାୟୀ ନିର୍ବାଚନ ସମୟରେ ନିରଞ୍ଜନ ନିଷ୍ପତି ନେବେ ବୋଲି ସୂଚନା ମିଳିଛି ।

ସେହିଭଳି ସତ୍ୟବାଦୀରୁ ପ୍ରସାଦ ହରିଚନ୍ଦନ ଓ ସ୍ନେହାଶ୍ରୀ ହରିଚନ୍ଦନଙ୍କ ନାଁ ସୁପାରିଶ କରାଯାଇଛି । ଅନ୍ୟପଟେ ପୁରୀ ଲୋକସଭା ଆସନ ପାଇଁ ବିଶ୍ୱରଞ୍ଜନ ମହାନ୍ତି ଓ ସତ୍ୟପ୍ରକାଶ ନାୟକଙ୍କ ନାଁ ସୁପାରିଶ କରାଯାଇଛି । ଏସବୁ ଭିତରେ ସବୁଠୁ ବଡ କଥା ହେଲା, ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ୱୀ ବଲ୍ଲଭ ପଟ୍ଟନାୟକ ନିର୍ବାଚନକୁ ମୈଦାନକୁ ଓହ୍ଲାଇବାକୁ ଯାଉଛନ୍ତି । ବେଗୁନିଆ ଆସନରୁ ପୃଥ୍ୱୀ ବଲ୍ଲଭଙ୍କ ବାଦ୍ ଅନ୍ୟ କୌଣସି ପ୍ରାର୍ଥୀଙ୍କ ନାଁ ନଥିବା ବେଳେ ସେ ହିଁ କଂଗ୍ରେସ ଟିକେଟରେ ନିର୍ବାଚନ ମୈଦାନକୁ ଓହ୍ଲାଇôବା ଏକପ୍ରକାର ସ୍ପଷ୍ଟ ହୋଇଛି ।


ସେହିଭଳି ଜଟଣୀ ଆସନରୁ ବରିଷ୍ଠ ନେତା ସୁରେଶ ରାଉତରାୟଙ୍କ ସହ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ନାଁ ସୁପାରିଶ କରାଯାଇଛି । ଅନ୍ୟପଟେ ବଲାଙ୍ଗୀର ଆସନରୁ ପୁଣିଥରେ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ନାଁ ସୁପାରିଶ କରାଯାଇଛି । ସେହିଭଳି ବଲାଙ୍ଗୀର ଲୋକସଭା ଆସନ ପାଇଁ ନରସିଂହଙ୍କ ପୁଅ ସମରେନ୍ଦ୍ର ମିଶ୍ରଙ୍କ ସହ ଲକ୍ଷ୍ମଣ କୁମାର ମେହେରଙ୍କ ନାଁ ସୁପାରିଶ କରାଯାଇଛି । କଳାହାଣ୍ଡି ଲୋକସଭା ଆସନ ପାଇଁ ଭକ୍ତ ଦାସ ଓ ଜଗନ୍ନାଥ ପଟ୍ଟନାୟକଙ୍କ ନାଁ ସୁପାରିଶ କରାଯାଇଥିବା ବେଳେ କିଏ ଟିକେଟ ପାଉଛି ତାହା ଉପରେ ସମସ୍ତଙ୍କର ନଜର ରହିବ । କେନ୍ଦ୍ରପଡା ଲୋକସଭା ଆସନ ପାଇଁ ପୂର୍ବତନ ପ୍ରାର୍ଥୀ ଧରଣୀଧର ନାୟକଙ୍କ ସହ ଚିନ୍ମୟ ବେଉରାଙ୍କ ନାଁ ସିଇସି କମିଟିକୁ ପଠାଯାଇଛି । ସେହିଭଳି ଚର୍ଚ୍ଚାରେ ରହତ ଆସିଥିବା ସାଲେପୁର ଆସନ ପାଇଁ ପ୍ରକାଶ ଚନ୍ଦ୍ର ବେହେରା ଓ ଗୁରୁପଦ ନନ୍ଦଙ୍କ ନାଁ ସୁପାରିଶ କରାଯାଇଛି । ତେଣୁ ସାଲେପୁର ବିଧାୟକ ପ୍ରକାଶ ପୁଣିଥରେ କଂଗ୍ରେସ ଟିକେଟରୁ ଲଢିବା ନେଇ ସମ୍ଭାବନା ସୃଷ୍ଟି ହୋଇଛି ।


ରାଜନଗର ଆସନ ପାଇଁ ଅଂଶୁମାନ ମହାନ୍ତି ଓ ମିଟୁ ଦାସ, କେନ୍ଦ୍ରାପଡା ଆସନ ପାଇଁ ଗଣେଶ୍ୱର ବେହେରା ଓ ହଳଧର ସେଠୀଙ୍କ ନାଁ ସିଇସି କମିଟିକୁ ସୁପାରିଶ କରାଯାଇଛି । ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଓ ତାଙ୍କ ପୁଅ ସଂଗ୍ରାମ ଜେନାଙ୍କ ନାଁ ଆନନ୍ଦପୁର ଆସନ ପାଇଁ ସୁପାରିଶ କରାଯାଇଥିବା ବେଳେ ସୁନ୍ଦରଗଡ ଆସନ ପାଇଁ ସୁମିତା ବିଶ୍ୱାଳ ଓ ଜଙ୍କିଆ ମୁଣ୍ଡାଙ୍କ ନାଁ ସିଇସିି କମିଟିକୁ ପଠାଯାଇଛି । ବାଲେଶ୍ୱର ଲୋକସଭା ଆସନ ପାଇଁ ନବଜ୍ୟୋତି ପଟ୍ଟନାୟକଙ୍କ ସହ ସୁର୍ଦଶନ ଦାସଙ୍କ ନାଁ ସିଇସି କମିଟିକୁ ସୁପାରିଶ କରାଯାଇଛି । ସେହିଭଳି ଜୟପୁର ଆସନ ପାଇଁ ତାରା ବାହିନୀପତିଙ୍କ ନାଁ ସୁପାରିଶ କରାଯାଇଛି । ତେବେ ଆଗାମୀ ୧୧ ତାରିଖରେ ସିଇସି କମିଟି ବୈଠକ ବସିବା ପରେ ସ୍କ୍ରିନିଂ କମିଟି ଓ ଏଆଇସିସି ରିପୋର୍ଟ ଆଧାରରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ଆସନ୍ତା ୧୫ କିମ୍ବା ୧୬ ତାରିଖରେ ପ୍ରକାଶ ପାଇବ ।