ଜୁନିୟର ବିଶ୍ୱକପ ଜିତିବା ପରେ ମାଲାମାଲ ହେଲା ଟିମ୍ ଇଣ୍ଡିଆ ! ବିସିସିଆଇ କଲା ଟଙ୍କାର ବର୍ଷା, ଜାଣନ୍ତୁ କାହାକୁ ମିଳିବ କେତେ ?

37

ଅଷ୍ଟ୍ରେଲିଆକୁ ହରାଇ ଭାରତ ହାସଲ କରିଛି ଜୁନିୟର ବିଶ୍ୱକପ ଟାଇଟଲ । ଚତୁର୍ଥ ଥର ପାଇଁ ବିଶ୍ୱକପ ହାତେଇବା ସହ ସର୍ବାଧିକ ଥର ଟାଇଟଲ ହାସଲ କରିବାର ରେକର୍ଡ ହାସଲ କରିଛି ଟିମ୍ ଇଣ୍ଡିଆ । ମୁଖ୍ୟ କୋଚ ରାହୁଲ ଦ୍ରାବିଡଙ୍କ ଠାରୁ ପ୍ରଶିକ୍ଷଣ ପାଇ ଇତିହାସ ରଚିଛି ଜୁନିୟର ଟିମ୍ । ଜୁନିୟର ଦଳକୁ ଏକ ସନ୍ତୁଳିତ ଦଳ ଭାବେ ଗଢିବାରେ ପ୍ରମୁଖ ଭୂମିକା ରାହୁଲ ଦ୍ରାବିଡଙ୍କର ରହିଛି । ଆଉ ଏହାର ଫଳ ବିଶ୍ୱକପରେ ଦେଖିବାକୁ ମିଳିଛି । କଙ୍ଗାରୁ ଦଳକୁ ହରାଇ ବିଶ୍ୱକପ ହାସଲ କରିଥିବା ଭାରତର ଖୁସିକୁ ଏବେ ଦ୍ୱିଗୁଣିତ କରିଛି ବିସିସିଆଇ । ଜୁନିୟର ବିଶ୍ୱକପର ପ୍ରତି ଖେଳାଳିଙ୍କ ଉପରେ ଟଙ୍କାର ବର୍ଷା କରିଛି ବିସିସିଆଇ ।

prv_1517648698ଭାରତୀୟ ଦଳ ବିଶ୍ୱକପ ଜିତୁ ଜିତୁ ବିସିସିଆଇର ବଡ ଘୋଷଣା । ବିଶ୍ୱକପରେ ଭାଗ ନେଇଥିବା ପ୍ରତ୍ୟେକ ଖେଳାଳିଙ୍କ ପାଇଁ ପୁରସ୍କାର ଘୋଷଣା କରିଛି ବିସିସିଆଇ । ଭାରତୀୟ ଟିମର ପ୍ରତି ଖେଳାଳିଙ୍କ ପାଇଁ ୩୦ ଲକ୍ଷ ଟଙ୍କା ଲେଖାଏଁ ଘୋଷଣା କରିଛି ଭାରତୀୟ କ୍ରିକେଟ ବୋର୍ଡ । ସେହିଭଳି ଟିମର ପ୍ରତି ସପୋର୍ଟ ଷ୍ଟାଫଙ୍କ ପାଇଁ ୨୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛି ବିସିସିଆଇ ।

ତେବେ ପ୍ରଥମଥର ପାଇଁ ଖେଳାଳିଙ୍କ ଠାରୁ ମୁଖ୍ୟ କୋଚଙ୍କୁ ଅଧିକ ଟଙ୍କାର ପୁରସ୍କାର ଦେଇଛି ବିସିସିଆଇ ।ଭାରତୀୟ ଜୁନିୟର ଟିମର ମୁଖ୍ୟ କୋଚ ଦାୟିତ୍ୱ ତୁଲାଉଥିବା ଟିମ୍ ଇଣ୍ଡିଆର ୱାଲ ତଥା ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡଙ୍କୁ ୫୦ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛି ବିସିସିଆଇ । ଭାରତର ବିଶ୍ୱକପ ବିଜୟ କ୍ଷେତ୍ରରେ ମୁଖ୍ୟ କୋଚ ଭାବେ ଦ୍ରାବିଡଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବାରୁ ତାଙ୍କ ପାଇଁ ଅଧିକ ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି । ଏହା ପୂର୍ବରୁ ପୂର୍ବରୁ ମହମ୍ମଦ କୈଫଙ୍କ ନେତୃତ୍ୱରେ ୨୦୦୦ମସିହାରେ, ବିରାଟ କୋହଲିଙ୍କ ନେତୃତ୍ୱରେ ୨୦୦୮ରେ, ଉନ୍ମୁକ୍ତ ଚାନ୍ଦଙ୍କ ନେତୃତ୍ୱରେ ୨୦୧୨ରେ ଭାରତ ଅଣ୍ଡର ୧୯ ବିଶ୍ୱକପ ବିଜେତା ହୋଇଥିଲା ।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଚଳିତ ବିଶ୍ୱକପରେ ଭାଗ ନେଇଥିବା ଭାରତୀୟ ଜୁନିୟର ଟିମର କିଛି ଖେଳାଳିଙ୍କୁ ଆଇପିଏଲରେ ଦେଖିବାକୁ ମିଳିବ । ସ୍ପିଡ ଷ୍ଟାର କମଲେସ ନାଗରକୋଟିଙ୍କୁ ୩.୨ କୋଟି ଟଙ୍କାରେ କୋଲକାତା ନାଇଟ ରାଇଡର୍ସ କିଣିଥିବା ବେଳେ ଟୁର୍ଣ୍ଣାମେଣ୍ଟର ମ୍ୟାନ ଅଫ ଦି ସିରିଜ ପୁରସ୍କାର ହାତେଇଥିବା ଶୁଭମାନ ଗିଲଙ୍କୁ କୋଲକାତା ୧.୮୦ କୋଟି ଟଙ୍କା ଦେଇ ଟିମରେ ସାମିଲ କରିଛି । ଭାରତର ଜୁନିୟର ଟିମର ଅଧିନାୟକ ପୃଥ୍ୱୀ ଶ୍ୱଙ୍କୁ ୧.୨ କୋଟିରେ ଦିଲ୍ଲୀ କିଣିଥିବା ବେଳେ ନିର୍ଭରଯୋଗ୍ୟ ବୋଲର ଶିଭମ ମାଭିଙ୍କୁ ୩ କୋଟି ଟଙ୍କାରେ କୋଲକାତା ନାଇଟ ରାଇଡର୍ସ କିଣିଛି । ଏହି ୪ ଖେଳାଳି ନିଜ ଦମଦାର ପ୍ରଦର୍ଶନ ବଳରେ ପ୍ରଥମଥର ପାଇଁ ଆଇପିଏଲରେ ସାମିଲ ହୋଇଛନ୍ତି ।