୪ ଓଡିଆ ମହିଳା ହକି ଖେଳାଳୀଙ୍କୁ ପୁରସ୍କାର ! ୧ କୋଟି ଟଙ୍କା ଲେଖାଏଁ ଦେବାକୁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

50

୪ଜଣ ମହିଳା ହକି ଖେଳାଳୀଙ୍କ ପାଇଁ ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ୪ଜଣ ଓଡିଆ ହକି ଖେଳାଳୀଙ୍କୁ ୧ କୋଟି ଟଙ୍କା ଲେଖାଏଁ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହି ଖେଳାଳୀମାନେ ହେଉଛନ୍ତି ଲିଲିମା ମିଞ୍ଜ, ନମିତା ଟପ୍ପୋ, ଦିପଗ୍ରେସ୍, ସୁନିତା ଲାକ୍ରା । ଏସୀୟ କ୍ରୀଡାରେ ହକିରୁ ଭାରତକୁ ରୌପ୍ୟ ପଦକ ମିଳିଥିଲା । ତେବେ ଓଡିଶା ପକ୍ଷରୁ ଭାରତ ପାଇଁ ଖେଳି ଦେଶ ଏବଂ ରାଜ୍ୟର ନାଁ ରଖିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୁରସ୍କାର ରାଶି ଘୋଷଣା କରିଛନ୍ତି ।

ଏସୀୟ କ୍ରୀଡାରେ ରୌପ୍ୟ ପଦକ ବିଜେତା ମହିଳା ହକି ଦଳକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି । ଏହା ସହ ସେମାନଙ୍କ ପାଇଁ ୧ କୋଟି ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରିଛନ୍ତି । ଏବଂ ପଦକ ହାସଲ କରିଥିବା ଖେଳାଳୀମାନଙ୍କର କୋଚମାନଙ୍କୁ ମଧ୍ୟ ପୁରସ୍କୃତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଖେଳାଳୀ ପାଉଥିବା ରାଶିର ୨୦ ପ୍ରତିଶତ ପୁରସ୍କାର ରାଶି ହିସାବରେ ଦିଆଯିବ । ରାଜ୍ୟ ସରକାର ଉକ୍ତ ଅର୍ଥକୁ କୋଚ ମାନଙ୍କୁ ପ୍ରଦାନ କରିବେ । ତେବେ ସୂଚନା ଅନୁଯାୟୀ ୨୦ ବର୍ଷ ପରେ ଭାରତୀୟ ମହିଳା ହକି ଦଳ ଏସୀୟ କ୍ରୀଡାରେ ଫାଇନାଲରେ ପ୍ରବେଶ କରିଥିଲା । ତେବେ ଫାଇନାଲରେ ଦଳ ପରାଜିତ ହେବାରୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡିଥିଲା ।