ମୋଦିଙ୍କ ବିପକ୍ଷରେ ମୈଦାନକୁ ଓହ୍ଲାଇବାକୁ ପ୍ରିୟଙ୍କା ପ୍ରସ୍ତୁତ! ବାରଣାସୀରୁ ନିର୍ବାଚନ ଲଢିବା ନେଇ ବଢିଲା ଚର୍ଚ୍ଚା, ପ୍ରିୟଙ୍କା କହିଲେ ଦଳ ନେବ ନିଷ୍ପତି ।

112

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିପକ୍ଷରେ ବାରଣାସୀ ମୈଦାନକୁ ଓହ୍ଲାଇପାରନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ । ମିଳିଥିବା ସୁତ୍ର ଅନୁଯାୟୀ, ପ୍ରିୟଙ୍କା ବାରଣାସୀରୁ ନିର୍ବାଚନ ଲଢିବା ନେଇ ପରୋକ୍ଷରେ ସଂକେତ ଦେଇଛନ୍ତି । ତେବେ ଏହା ଉପରେ ଅନ୍ତିମ ନିଷ୍ପତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ସୋନିଆ ଗାନ୍ଧି ନେବେ ।

କଂଗ୍ରେସର ମହାସଚିବ ପଦରେ ବସିବା ପରେ ବେଶ ସକ୍ରିୟ ରହିଛନ୍ତି ପ୍ରିୟଙ୍କା । ଉତ୍ତର ପ୍ରଦେଶର ବିଭିନ୍ନ ଅଞ୍ଚଳରେ ଜୋରଦାର ପ୍ରଚାର କରୁଛନ୍ତି ପ୍ରିୟଙ୍କା । ପ୍ରଚାର ସମୟରେ ଜଣେ ଦଳୀୟ କର୍ମୀ ପ୍ରିୟଙ୍କାକୁ ବାରଣାସୀରୁ ମୋଦିଙ୍କ ବିପକ୍ଷରେ ଲଢିବାକୁ କହିଥିଲେ । ଏପରିକି ପ୍ରିୟଙ୍କା ମଧ୍ୟ ଉତ୍ତର ପ୍ରଦେଶରେ ନିଜର ପ୍ରଥମ ଯାତ୍ରା ବନାରସରୁ ଡଙ୍ଗା ଯାତ୍ରା ଜରିଆରେ ଆରମ୍ଭ କରିଥିଲେ ।

ଡଙ୍ଗା ଯାତ୍ରା ପରେ ପ୍ରିୟଙ୍କା ବନାରସର ବାବା କାଶୀ ବିଶ୍ୱନାଥ ମନ୍ଦିରରେ ଦର୍ଶନ କରିବା ସହ ଶହୀଦଙ୍କ ପରିବାରକୁ ଭେଟିଥିଲେ । ରୋଡ ସୋ’ କରି ବାରଣାସୀବାସୀଙ୍କ ସହ ସର୍ମ୍ପକ ଯୋଡିବାକୁ ପ୍ରୟାସ କରିଥିଲେ ପ୍ରିୟଙ୍କା । ଏହାପରେ ପ୍ରିୟଙ୍କା ବାରଣାସୀରୁ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏପରିକି ପ୍ରିୟଙ୍କା ମଧ୍ୟ ମୋଦିଙ୍କ ବିପକ୍ଷରେ ମୈଦାନକୁ ଓହ୍ଲାଇବାକୁ ଚିନ୍ତା କରୁଥିବା ଚର୍ଚ୍ଚା ଜୋର ଧରିଛି ।

୨୦୧୪ରେ ବିରୋଧୀ ଅଲଗା ଅଲଗା ହୋଇ ଲଢୁଥିବାରୁ ମୋଦି ବାରଣାସୀରୁ ବଡ ବ୍ୟବଧାନରେ ବିଜୟୀ ହୋଇଥିଲେ । କିନ୍ତୁ ପ୍ରିୟଙ୍କା ଯଦି ମୋଦିଙ୍କ ବିପକ୍ଷରେ ନିର୍ବାଚନ ଲଢିବାକୁ ଘୋଷଣା କରନ୍ତି ତେବେ ଏସପି ଓ ବିଏସପି ମଧ୍ୟ ଏଠାରେ ତାଙ୍କୁ ସମର୍ଥନ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଜାତୀୟ ଗଣମାଧ୍ୟମକୁ ପ୍ରିୟଙ୍କା ଗାନ୍ଧୀ ପ୍ରତିକ୍ରିୟା ଦେଇ କହିଛନ୍ତି, ମୁଁ ପ୍ରସ୍ତୁତ ଅଛି । ଦଳ ନିଷ୍ପତି କରିବ, ଯାହା ଦଳ କହିବ ତାହା କରିବି ।