ହୋଲିରେ ରାଜନୀତିର ରଙ୍ଗ ! ସାଏରି କହି ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରିୟଙ୍କା ଗାନ୍ଧି ।

145

କନକ ବ୍ୟୁରୋ : ଆସନ୍ତାକାଲି ରଙ୍ଗର ପର୍ବ ହୋଲି । ତେବେ ଆଜି ମଧ୍ୟ କିଛି ସ୍ଥାନରେ ହୋଲି ଉତ୍ସବ ପାଳନ ହୋଇଛି । ହୋଲି ମନାଇବା ପାଇଁ ସାରା ଦେଶରେ ଚାଲିଛି ଜୋରଦାର ପ୍ରସ୍ତୁତି । ଆଉ ଚଳିତବର୍ଷ ହୋଲିରେ ମଧ୍ୟ ଲାଗିଛି ନିର୍ବାଚନର ରଙ୍ଗ । ନିର୍ବାଚନ ପାଖଉଥିବା ବେଳେ ଦେଶବାସୀଙ୍କୁ ନେତା ଜଣାଉଛନ୍ତି ହୋଲିର ଅଭିନନ୍ଦନ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶବାସୀଙ୍କୁ ହୋଲିର ଶୁଭକାମନା ଜଣାଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଧ୍ୟ ହୋଲିର ଅଭିନନ୍ଦନ ଜଣାଇଛନ୍ତି । ଆଉ ଏହାରି ଭିତରେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଭଦ୍ରା ନିଆରା ଶୈଳୀରେ ଜଣାଇଛନ୍ତି ହୋଲିର ଅଭିନନ୍ଦନ । ସେ ସାଏରୀ ଲେଖି ଦେଶବାସୀଙ୍କୁ ହୋଲିର ଅଭିନନ୍ଦନ ଜଣାଇଛନ୍ତି ।

୨୦୧୯ ସାଧାରଣ ନିର୍ବାଚନ ଯେତିକି ପାଖେଇ ପାଖେଇ ଯାଉଛି, ଦେଶରେ ରାଜନୀତିର ରଙ୍ଗ ସେତିକି ବିଚ୍ଛୁରିତ ହେବାରେ ଲାଗିଛି । ଜନମତ ହାସଲ କରିବା ପାଇଁ ସବୁ ଶିବିରରେ ଚାଲିଛି ଅଙ୍କକଷା । ଆଉ ଏହାରି ଭିତରେ ହୋଲି ପର୍ବର ଅଭିନନ୍ଦନ ଜଣାଇବା ପାଇଁ ଭୁଲି ନାହାନ୍ତି କୌଣସି ନେତା । ଏପରିକି ଜନତାଙ୍କ ସହ ମିଶି କିଛି ନେତା ହୋଲି ଖେଳିଥିବାର ମଧ୍ୟ ଦେଖାଯାଇଛି ।