କଂଗ୍ରେସ ଅଫିସରେ ପ୍ରିୟଙ୍କା, ଇଡିରେ ସ୍ୱାମୀ ରବର୍ଟ ଭଦ୍ରା । ସାଙ୍ଗରେ ଆସିଲେ ପ୍ରିୟଙ୍କା ଗାନ୍ଧୀ, କହିଲେ – ପରିବାର ସହ ଛିଡା ହେବି

150

କନକ ବ୍ୟୁରୋ: କଂଗ୍ରେସ ଅଫିସରେ ପ୍ରିୟଙ୍କା, ପ୍ରବର୍ତନ ନିର୍ଦେଶାଳୟରେ ସ୍ୱାମୀ ରବର୍ଟ ଭଦ୍ରା । ପୂର୍ବ ଉତରପ୍ରଦେଶର ପ୍ରଭାରୀ ଦାୟିତ୍ୱ ମିଳିବା ପରେ ପ୍ରିୟଙ୍କା ଗାନ୍ଧି ଆଜି ପ୍ରଥମ ଥର ପାଇଁ କଂଗ୍ରେସ କାର୍ଯ୍ୟାଳୟକୁ ଯାଇଥିଲେ । ଆଉ ଠିକ ସେହି ସମୟରେ ଇଡି କାର୍ଯ୍ୟାଳୟରେ ଅଧିକାରୀଙ୍କ ପ୍ରଶ୍ନର ଉତର ଦେଉଥିଲେ ତାଙ୍କ ସ୍ୱାମୀ ରବର୍ଟ ଭଦ୍ରା । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସକ୍ରିୟ ରାଜନୀତିରେ ପାଦ ଦେଇଥିବା ପ୍ରିୟଙ୍କା, ଦଳୀୟ କାର୍ଯ୍ୟାଳୟକୁ ଯିବା ଆଗରୁ ସ୍ୱାମୀ ରବର୍ଟ ଭଦ୍ରାଙ୍କୁ ଇଡି ଅଫିସ ଯାଏଁ ଛାଡିବାକୁ ଯାଇଥିଲେ ।

ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀ ସ୍ଥିତ ପ୍ରବର୍ତନ ନିର୍ଦେଶାଳୟର ଅଫିସରେ ଯେତବେଳେ ରବର୍ଟ ଭଦ୍ରା ପହଂଚିଥିଲେ, ଦିଲ୍ଲୀ ଗଣମାଧ୍ୟମ ତାଙ୍କୁ ଘେରି ଯାଇଥିଲା । କାରଣ ଏହି ଘଟଣା ଏକ ସ୍ୱଭାବିକ ଘଟଣା ନଥିଲା । ନିର୍ବାଚନକୁ ଆଉ କେଇ ମାସ ଥିବା ବେଳେ ଆଉ ଏପଟେ ସକ୍ରିୟ ରାଜନୀତିରେ ପ୍ରିୟଙ୍କା ଗାନ୍ଧୀଙ୍କ ଏଂଟ୍ରି ପରେ ପରେ ତାଙ୍କ ସ୍ୱାମୀ ରବର୍ଟ ଭଦ୍ରାଙ୍କୁ ଜେରା ପାଇଁ ଡାକିଥିଲା ପ୍ରବର୍ତନ ନିର୍ଦେଶାଳୟ ।

ପ୍ରବର୍ତନ ନିର୍ଦ୍ଦେଶାଳୟର ଅଫିସକୁ ଆସିବା ସମୟରେ ରବର୍ଟ ଭଦ୍ରାଙ୍କ ସାଙ୍ଗରେ ଥିଲେ ପତ୍ନୀ ପ୍ରିୟଙ୍କା ଗାନ୍ଧୀ । ଏକ ଧଳା ଟୟୋଟା ଲ୍ୟାଣ୍ଡ କ୍ରୁଇଜରରେ ରବର୍ଟ ଭଦ୍ରା ପହଂଚିବା ପୂର୍ବରୁ ତାଙ୍କ ଓକିଲମାନେ ଇଡି ଅଫିସରେ ପହଂଚିଯାଇଥିଲେ । ପ୍ରିୟଙ୍କା ଗାନ୍ଧୀ ମଧ୍ୟ ରବର୍ଟ ଭଦ୍ରାଙ୍କ ସହ ଇଡି ଅଫିସ ଯାଏଁ ଆସିଥିଲେ । ଏହାପରେ ତାଙ୍କୁ ଛାଡିଦେଇ ସେଠାରୁ ଚାଲିଯାଇଥିଲେ ପ୍ରିୟଙ୍କା । ସାମ୍ବାଦିକମାନେ ପ୍ରିୟଙ୍କାଙ୍କୁ ଏନେଇ ପ୍ରଶ୍ନ କରିବାରୁ ପ୍ରିୟଙ୍କା କହିଥିଲେ ସେ ତାଙ୍କ ପରିବାର ସହ ଠିଆ ହୋଇଛନ୍ତି ଏବଂ ସାରା ଦେଶ ଏହା ଦେଖୁଛି ।

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଭିଣୋଇ ରବର୍ଟ ଭଦ୍ରା ପ୍ରଥମ ଥର ପାଇଁ ପ୍ରବର୍ତନ ନିର୍ଦେଶାଳୟରେ ହାଜର ହୋଇଛନ୍ତି । ଲଣ୍ଡନରେ ଥିବା ଭଦ୍ରାଙ୍କ ସଂପତି ନେଇ ବିବାଦ ସୃଷ୍ଟି ହୋଇଥିଲା । ପଳାତକ ଡିଫେନ୍ସ ଡିଲର ସଂଜୟ ଭଣ୍ଡାରୀଙ୍କ ଠାରୁ ଏହି ସଂପତି କିଣିଥିଲେ ଭଦ୍ରା । ତାଙ୍କ ବିରୋଧରେ ଅଭିଯୋଗ ହେଉଛି ଯେ ଏକ ପ୍ରଭାବଶାଳୀ ପରିବାରର ଜ୍ୱାଇଁ ହୋଇଥିବାରୁ କମ ଦରରେ ତାଙ୍କୁ ଏହି ସଂପତି ବିକ୍ରି କରାଯାଇଛି । ପୂର୍ବରୁ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ରବର୍ଟଙ୍କୁ ୧୬ ତାରିଖ ଯାଏଁ ଅନ୍ତରୀଣ ଜାମିନ ଦେଇ ତଦନ୍ତରେ ସହଯୋଗ କରିବାକୁ ନିର୍ଦେଶ ଦେଇଥିଲେ । ତେବେ କଂଗ୍ରେସ ମହାସଚିବ ଦୟିତ୍ୱ ନେବା ପରେ ପ୍ରିୟଙ୍କା ଆଜି ପ୍ରଥମ ଥର ପାଇଁ କଂଗ୍ରେସ କାର୍ଯ୍ୟାଳୟକୁ ଆସିଥିଲେ । ଆଉ ଏପଟେ ସ୍ୱାମୀ ରବର୍ଟ ଭଦ୍ରାଙ୍କୁ ଜେରା କରୁଥିଲା ଇଡି ।