ଅଧ୍ୟକ୍ଷ ପଦ ପାଇଁ ପ୍ରିୟଙ୍କା ଗାନ୍ଧୀ ହିଁ ଫିଟ୍ : କଂଗ୍ରେସର ବରିଷ୍ଠ ନେତାଙ୍କ ଯୁକ୍ତି ଭିତରେ ଅନିଶ୍ଚିତତା ଭିତରେ ଦଳର ଭବିଷ୍ୟତ

148

କନକ ବ୍ୟୁରୋ : କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ପ୍ରିୟଙ୍କା ଗାନ୍ଧୀ ଉପଯୁକ୍ତ । ରାହୁଲ ଗାନ୍ଧୀଙ୍କ ଇସ୍ତଫା ପରେ ଭଉଣୀ ପ୍ରିୟଙ୍କା ଗାନ୍ଧୀ ହିଁ କଂଗ୍ରେସ କମାଣ ସମ୍ଭାଳିବା ପାଇଁ ପୁରାପୁରି ଫିଟ୍ । ତାଙ୍କ ପାଖରେ ସମସ୍ତଙ୍କୁ ଏକଜୁଟ କରିବା କ୍ଷମତା ରହିଛି । ପ୍ରିୟଙ୍କା ଅଧ୍ୟକ୍ଷ ପଦ ସମ୍ଭାଳିଲେ ସାରା ଦେଶରେ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ ସଂଚାରିତ ହେବ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା କର୍ଣ୍ଣ ସିଂହ । କଂଗ୍ରେସର ନେତୃତ୍ୱ ମାମଲାରେ ଶୀଘ୍ର ନିର୍ଣ୍ଣୟ ନହେଲେ କଂଗ୍ରେସକୁ କ୍ଷତି ପହଞ୍ଚିବ । ଦେଶର ସବୁଠାରୁ ପୁରୁଣା ଦଳ ନେତୃତ୍ୱ ବିହୀନ ରହିବା ଦଳ ପାଇଁ ଶୁଭଙ୍କର ନୁହେଁ । ଗୋଟିଏ ପଟେ ପ୍ରିୟଙ୍କା ଗାନ୍ଧୀ ଅଧ୍ୟକ୍ଷ ହେବେ ନାହିଁ ବୋଲି ସ୍ପଷ୍ଟ କରିସାରିଛନ୍ତି । ଏପରିସ୍ଥଳେ ଅଧ୍ୟକ୍ଷ ପଦ ପାଇଁ ତାଙ୍କୁ ନେଇ ଆଲୋଚନା କଂଗ୍ରେସର ଆଗାମୀ ଭବିଷ୍ୟତ ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ଗାନ୍ଧୀ ପରିବାରର ନିକଟତମ ସହଯୋଗୀ ତଥା ୫୦ ବର୍ଷରୁ ଅଧିକ କଂଗ୍ରେସ ଦଳରେ ରହିଥିବା ନେତା କର୍ଣ୍ଣ ସିଂହ କହିଛନ୍ତି ଦଳକକୁ ନେତୃତ୍ୱ ବିହୀନ ଛାଡ଼ିବା ଠିକ୍ ନୁହେଁ । ସେପଟେ କିଏ ହେବ କଂଗ୍ରେସ ସଭାପତ, ଏହାର ଚର୍ଚ୍ଚା ଓ ଆକଳନ ଜାରି ରହିଥିବା ବେଳେ ଅଗଷ୍ଟ ୧୦ରେ ବସୁଛି କଂଗ୍ରେସ କାର୍ଯ୍ୟକାରିଣୀ କମିଟିର ବୈଠକ । ଏଥିରେ ଦଳର କାର୍ଯ୍ୟକାରୀ ସଭାପତି ନିଯୁକ୍ତି ବିଷୟରେ ମାନସ ମଂଥନ ହେବ । ଏବେ ବି କଂଗ୍ରେସର ସଭାପତି ପଦ ଖାଲିପଡ଼ିଛି । ସାଧାରଣ ନିର୍ବାଚନରେ ପରାଜୟ ପରେ କଂଗ୍ରେସ ସଭାପତି ପଦରୁ ରାହୁଲ ଗାନ୍ଧୀ ଇସ୍ତଫା ଦେଇଥିଲେ ।

ସଭାପତି ପଦ ଦୌଡ଼ରେ ସେ ନାହାନ୍ତି ବୋଲି ପ୍ରିୟଙ୍କା ଗାନ୍ଧୀ ସ୍ପଷ୍ଟ କରିସାରିଛନ୍ତି । ସଭାପତି ପଦ ନେଇ ତାଙ୍କ ନାମ ନନେବାକୁ ପ୍ରିୟଙ୍କା କଂଗ୍ରେସ ନେତାମାନଙ୍କୁ କହିସାରିଛନ୍ତି । ପୂର୍ବରୁ ରାହୁଲ ମଧ୍ୟ ସ୍ପଷ୍ଟ କରିସାରିଛନ୍ତି ଯେ, କଂଗ୍ରେସ ସଭାପତି ପଦ ପାଇଁ ଏଥର ଗାନ୍ଧୀ ପରିବାରରୁ କେହି ରହିବେ ନାହିଁ । ସେପଟେ ଜଣେ ଯୁବନେତାଙ୍କୁ ଦଳର କମାଣ ହସ୍ତାନ୍ତର ହେବା ନେଇ ଦାବି ବଢ଼ିଛି ।