ବାରାଣାସୀରେ ଏଥର ବଡ ଲଢେଇ ! ମୋଦିଙ୍କ ବିପକ୍ଷରେ ମଇଦାନକୁ ଓହ୍ଲାଇପାରନ୍ତି ପ୍ରିୟଙ୍କା ଗାନ୍ଧି ।

150

କନକ ବ୍ୟୁରୋ : ବାରାଣାସୀରେ ଚଳିତ ନିର୍ବାଚନରେ ଦେଖିବାକୁ ମିଳିପାରେ ବଡ ଟକ୍କର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିପକ୍ଷରେ ଏଥର ମଇଦାନକୁ ଓହ୍ଲାଇପାରନ୍ତି କଂଗ୍ରେସ ମହାସଚିବ ତଥା ପୂର୍ବ ଉତ୍ତରପ୍ରଦେଶ ପ୍ରଭାରୀ ପ୍ରିୟଙ୍କା ଗାନ୍ଧି । ଏହି ଆସନରୁ ଲଢିବା ନେଇ ପ୍ରିୟଙ୍କା ସ୍ଥିର କରିସାରିଥିବା ଚର୍ଚ୍ଚା ହେଉଥିବା ବେଳେ ଏବେ କେବଳ ଅପେକ୍ଷ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବଂ ସୋନିଆଙ୍କ ନିଷ୍ପତ୍ତିକୁ । ତାଙ୍କ ଦଳର ମହାସଚିବ କରାଯିବା ପରେ ରାଜନୀତିରେ ବେଶ ସକ୍ରିୟ ଅଛନ୍ତି ପ୍ରିୟଙ୍କା । ଏପରିକି ବିଭିନ୍ନ ସଂସଦୀୟ କ୍ଷେତ୍ର ବୁଲି ସେ କଂଗ୍ରେସ ପାଇଁ ପ୍ରଚାର ମଧ୍ୟ କରୁଛନ୍ତି ।

ଯଦି ପ୍ରିୟଙ୍କା ବାରାଣାସୀରୁ ନିର୍ବାଚନୀ ମଇଦାନକୁ ଓହ୍ଲାଇବେ, ତେବେ ଏହି ଆସନରେ କଡା ଟକ୍କର ଦେଖିବାକୁ ମିଳିବ । ଗୋଟିଏ ପଟେ ଦେଶରେ ମୋଦିଙ୍କ ଲହର ରହିଥିବା ବିଜେପି କହୁଥିବା ବେଳେ ଅନ୍ୟପଟେ ପ୍ରିୟଙ୍କାଙ୍କ ରାଜନୀତିରେ ଏଣ୍ଟ୍ରି କଂଗ୍ରେସକୁ ବେଶ ମଜଭୁତ କରିଛି । ବିଶେଷ କରି ଛତିଶଗଡ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ଯେଉଁଭଳି ଭାବେ କଂଗ୍ରେସକୁ ବିଜୟ ମିଳିଲା, ତାହା ଦଳୀୟ କର୍ମୀଙ୍କ ମନୋବଳକୁ ଆହୁରି ସୁଦୃଢ କରିଛି । ଆଉ ଏହି ବିଜୟଧାରାକୁ ଏହି ନିର୍ବାଚନରେ ପ୍ରତିଫଳିତ କରାଇବା ପାଇଁ ଜୋରଦାର କସରତ କରୁଛି କଂଗ୍ରେସ । ଆଉ ଏସବୁ ଭିତରେ ସମସ୍ତଙ୍କୁ ନଜର ରହିଛି କ’ଣ ନିଷ୍ପତ୍ତି ନେବେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ? କ’ଣ ରହିବ ତାଙ୍କର ଆଗାମୀ ରାଜନୈତିକ ଆଭିମୁଖ୍ୟ ?