ସୋନଭଦ୍ରରୁ ମିର୍ଜାପୁର ଆସି ପ୍ରିୟଙ୍କାକୁ ଭେଟିଲେ ପୀଡ଼ିତ ପରିବାର : ଦୁଃଖ ଶୁଣିଲେ, କୋହ ସମ୍ଭାଳିନପାରି କାନ୍ଦି ପକାଇଲେ ପ୍ରିୟଙ୍କା ଗାନ୍ଧୀ
କନକ ବ୍ୟୁରୋ : ପୀଡ଼ିତ ପରିବାରକୁ ଭେଟି କୋହ ସମ୍ଭରଣ କରିପାରିଲେନି ପ୍ରିୟଙ୍କା ଗାନ୍ଧୀ । ସୋନଭଦ୍ର ହତ୍ୟାକାଣ୍ଡ ପୀଡ଼ିତ ପରିବାରର ଦୁଃଖ ଶୁଣି ସେ କାନ୍ଦି ପକାଇଛନ୍ତି । ସୋନଭଦ୍ର ହତ୍ୟାକାଣ୍ଡକୁ ନେଇ ଉତ୍ତରପ୍ରଦେଶ ରାଜନୀତି ଜୋର ଧରିଛି । ସୋନଭଦ୍ରା ହତ୍ୟାକାଣ୍ଡ ପୀଡିତଙ୍କ ପରିବାରକୁ ପ୍ରିୟଙ୍କା ଭେଟିବାକୁ ଦିଆଗଲାନି । ଶେଷରେ ମିର୍ଜାପୁର ଚୁନାର ଗେଷ୍ଟ ହାଉସରେ ଅଟକ ଥିବା ପ୍ରିୟଙ୍କାଙ୍କ ନିକଟରେ ପହଚିଂଲେ ପୀଡିତଙ୍କ ପରିବାର । ଆଉ ସେଠାରେ ପ୍ରିୟଙ୍କାଙ୍କୁ ଭେଟିଛନ୍ତି ପୀଡ଼ିତ ପରିବାର । ଏହାକୁ ନେଇ ଯୋଗୀ ସରକାରକୁ ଘେରିଛି ଉତ୍ତରପ୍ରଦେଶ କଂଗ୍ରେସ । ଗତକାଲି ସୋନଭଦ୍ର ଯିବାବେଳେ ଅଧା ବାଟରୁ ପ୍ରିୟଙ୍କାଙ୍କୁ ଅଟକ ରଖିଥିଲା ୟୁପି ପୁଲିସ ।
Kanak News is now on WhatsApp
Join and get latest news updates delivered to you via WhatsApp
ଗେଷ୍ଟ ହାଉସରେ ସାରା ରାତି ବିନା ବିଜୁଳିରେ ରହିଥିଲେ ପ୍ରିୟଙ୍କା ଗାନ୍ଧୀ । ମୃତକଙ୍କ ପରିବାରକୁ ଭେଟି ହିଁ ସେ ଫେରିବେ ବୋଲି ଜିଦରେ ଅଟଳ ଥିଲେ । ୧୦ ଜଣଙ୍କୁ ଜମିବିବାଦକୁ ନେଇ ହତ୍ୟା କରାଯିବା ପରେ ସାରା ସୋନଭଦ୍ର ଅଂଚଳରେ ଲାଗି ରହିଛି ଚାପା ଉତ୍ତେଜନା । ଏପରି ସ୍ଥିତିରେ ଗତକାଲି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ମୃତକଙ୍କ ପରିବାରକୁ ସାକ୍ଷାତ କରିବାକୁ ସମର୍ଥକଙ୍କ ସହ ବାହାରିବା ପରେ ନାରାୟଣପୁର ପୋଲିସ ଷ୍ଟେସନ ନିକଟରେ ପ୍ରିୟଙ୍କାଙ୍କ ଗାଡି ଅଟକାଇଥିଲା ପୋଲିସ । ସେହି ଠାରେ ଧାରଣାରେ ବସିଥିଲେ ପ୍ରିୟଙ୍କା । ଅନ୍ୟ ଉପାୟ ନପାଇ ପୋଲିସ ତାଙ୍କୁ ଉଠାଇ ଗେଷ୍ଟ ହାଉସରେ ରଖିଥିଲା ।
ସେପଟେ ପୀଡ଼ିତ ପରିବାରଙ୍କୁ ଭେଟିବା ପରେ ପୁଣି ଥରେ ଧାରଣାରେ ବସିଛନ୍ତି ପ୍ରିୟଙ୍କା ଗାନ୍ଧୀ । ପୀଡ଼ିତ ପରିବାର ୧୫ ଜଣ ଲୋକ ପ୍ରିୟଙ୍କାଙ୍କୁ ସାକ୍ଷାତ କରିବାକୁ ଆସିଥିଲେ ହେଁ ମାତ୍ର ୨ ଜଣ ତାଙ୍କୁ ଭେଟିପାରିଥିଲେ । ଅନ୍ୟମାନଙ୍କୁ ଗେଷ୍ଟ ହାଉସ ବାହାରେ ହିଁ ରୋକି ଦିଆଯାଇଥିଲା ।