ବାରଣାସୀରେ ହେବ କି ବଡ଼ ଲଢ଼େଇ ? ମୋଦୀଙ୍କ ସହ ପ୍ରିୟଙ୍କାଙ୍କ ଟକ୍କର ହେବା ନେଇ ବଢ଼ୁଛି ଚର୍ଚ୍ଚା, ସସପେନ୍ସ ବଢ଼ାଇଲା କଂଗ୍ରେସ ।

115

କନକ ବ୍ୟୁରୋ : ଏଥର ବାରଣାସୀ ଦେଖିବ କି ମୋଦି-ପ୍ରିୟଙ୍କା ଲଢେଇ ? ବାରଣାସୀରୁ ପ୍ରିୟଙ୍କାଙ୍କ ନିର୍ବାଚନ ଲଢିବା ଖବର ଆସିବା ପରଠାରୁ ଦେଶରେ ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା । ତେବେ କଂଗ୍ରେସ ବର୍ତମାନ ସୁଦ୍ଧା ବାରଣାସୀ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନଥିବାରୁ, ଏଠାରୁ ଦଳ ପ୍ରିୟଙ୍କାଙ୍କୁ ଟିକଟ ଦେବା ନେଇ ଆକଳନକୁ ଏଡାଇ ଦିଆଯାଇନପାରେ । କାରଣ ଏବେ ଦଳ ପାଇଁ ଉତ୍ତରପ୍ରଦେଶରେ ମୋଦୀଙ୍କୁ ଟକ୍କର ଦେବାକୁ ପ୍ରିୟଙ୍କା ହିଁ ହୋଇପାରନ୍ତି ସବୁଠାରୁ ବଡ ଅସ୍ତ୍ର ।

ମୋଦୀଙ୍କ ବିରୋଧରେ ଲଢିବେ କି ପ୍ରିୟଙ୍କା ? ବାରଣାସୀରୁ ଦଳ ଦେବ କି ଟିକଟ? ଏବେ ସାରା ଦେଶରେ ନିର୍ବାଚନର ତାତି ଜୋର ଧରିଥିବା ବେଳେ ବାରଣାସୀ ଲୋକସଭା ଆସନରୁ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କୁ ଦଳ ଟିକଟ ଦେବା ନେଇ ଆକଳନ ବି ଜୋର ଧରିଛି । ଯଦି ଏହି ଆକଳନ ସତ ହୁଏ , ତେବେ ଏଥର ଉତ୍ତରପ୍ରଦେଶର ଏହି ହାଇପ୍ରୋଫାଇଲ୍ ଲୋକସଭା ଆସନ ଦେଖିବ ମୋଦି-ପ୍ରିୟଙ୍କା ଲଢେଇ ।

ବାରଣାସୀରେ ମେ ୧୯ରେ ଭୋଟ୍ । ୨୬ ଅପ୍ରେଲରେ ମୋଦୀ ଭରିବେ ନାମାଙ୍କନ । ବାରଣାସୀ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆସନ । କିନ୍ତୁ ଉତ୍ତରପ୍ରଦେଶର ଏହି ହାଇପ୍ରୋଫାଇଲ୍ ଆସନରୁ କଂଗ୍ରେସ କାହାକୁ ପ୍ରାର୍ଥୀ କରିବ, ଏଯାଏଁ ଝୁଲେଇ ରଖିଛି । ଖାସ୍ ସେଥିପାଇଁ ଅନୁମାନ କରାଯାଉଛି ଏହି ଆସନରେ ପ୍ରିୟଙ୍କାଙ୍କୁ ପ୍ରାର୍ଥୀ କରିପାରେ କଂଗ୍ରେସ ।

ଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନ । ମେ ୧୯ ବେଳକୁ ଅନ୍ୟ ସମସ୍ତ ଆସନରୁ ଭୋଟ୍ ସରିଯାଇଥିବ । କଂଗ୍ରେସର ଫୋକସ୍ ରହିବ ବାରଣାସୀ ଉପରେ । ତେଣୁ ଏଠାରୁ ପ୍ରିୟଙ୍କାଙ୍କୁ ଟିକଟ ଦେଲେ, ମୋଦୀଙ୍କୁ ତାଙ୍କ ନିଜ ଗଡରେ ଚେକ୍ ଦେବାକୁ କଂଗ୍ରେସ ସବୁ ବଳ ଖଟେଇ ପାରିବ । ଉତ୍ତରପ୍ରଦେଶରେ ଗଙ୍ଗାରେ ବୋଟ୍ ଯାତ୍ରା କରି ଭୋଟରଙ୍କ ମୁଡ୍ ବହୁ ଆଗରୁ ପରଖି ସାରିଛନ୍ତି ପ୍ରିୟଙ୍କା । ଏବେ ପ୍ରିୟଙ୍କାଙ୍କ ହାତରେ ରହିଛି ପୂର୍ବ ଉତ୍ତରପ୍ରଦେଶର ପ୍ରଭାରୀ ଦାୟିତ୍ୱ । ତେଣୁ ମନେହେଉଛି ଏଥର ବାରଣାସୀରେ ମୋଦୀଙ୍କ ବିପକ୍ଷରେ କଂଗ୍ରେସ ଖେଳିପାରେ ପ୍ରିୟଙ୍କା କାର୍ଡ ।