ଭାଇଙ୍କ ଗଡ ବଂଚାଇବାକୁ ପ୍ରିୟଙ୍କାଙ୍କ ରାତିଅଧିଆ ମିଶନ୍ ! ବୁଥ କର୍ମକର୍ତ୍ତାଙ୍କୁ ଦେଲେ ବିଜୟ ମନ୍ତ୍ର, କହିଲେ, ଦଳ ଚାହିଁଲେ ଲଢିବେ ନିର୍ବାଚନ । 

141

କନକ ବ୍ୟୁରୋ : ଭାଇଙ୍କ ଗଡ ବଂଚାଇବାକୁ ଭଉଣୀ ପ୍ରିୟଙ୍କାଙ୍କ ରାତିଅଧିଆ ମିଶନ । ଆମେଠିରେ ବୁଥ କର୍ମକର୍ତାଙ୍କୁ ବିଜୟ ମନ୍ତ୍ର ଦେଲେ କଂଗ୍ରେସ ସାଧାରଣ ସମ୍ପାଦିକା । ଆମେଠିରେ ବିଳମ୍ବିତ ରାତିରେ କଂଗ୍ରେସ କର୍ମକର୍ତ୍ତାଙ୍କୁ ଭେଟିଛନ୍ତି ପ୍ରିୟଙ୍କା ଏବଂ ସେମାନଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି । ତେବେ ଦଳ ଚାହିଁଲେ ସେ ନିର୍ବାଚନ ଲଢିବେ ବୋଲି କହିଛନ୍ତି ପ୍ରିୟଙ୍କା ।

ଭାଇଙ୍କ ଗଡ ବଂଚାଇବାକୁ ଦିନ ରାତିକୁ ଏକ କରିଦେଇଛନ୍ତି ଭଉଣୀ ପ୍ରିୟଙ୍କା ଗାନ୍ଧି । ଦୁଇ ଦିନିଆ ଉତ୍ତରପ୍ରଦେଶ ଗସ୍ତରେ ଥିବା ପ୍ରିୟଙ୍କା ଆମେଠିର ଗୌରୀଗଂଜରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ପ୍ରଚାର କରିଛନ୍ତି । କର୍ମୀଙ୍କ ସହ ଦଳୀୟ ସ୍ଥିତି ନେଇ ଆଲୋଚନା କରିବା ସହ ପ୍ରଚାରକୁ ଜୋରଦାର କରିଛନ୍ତି । ରାତି ଅଧରେ ପ୍ରିୟଙ୍କାଙ୍କ ପ୍ରଚାର କଂଗ୍ରେସ କର୍ମୀଙ୍କ ମଧ୍ୟରେ ନୂଆ ଉତ୍ସାହ ଭରି ଦେଇଛି ।

କଂଗ୍ରେସର ଗଡ କୁହାଯାଉଥିବା ଏହି ନିର୍ବାଚନ ମଣ୍ଡଳୀରେ ବିଜେପିର ମନ୍ତ୍ରୀ ସ୍ମୃତି ଇରାନି ରାହୁଲଙ୍କ ବିରୋଧରେ ଲଢ଼ୁଥିବାରୁ ଏଠି କଡା ଟକ୍କର ହେବ ବୋଲି କୁହାଯାଉଛି । ସେହିପରି କଂଗ୍ରେସର ଜଣେ ଟାଣୁଆ ନେତାଙ୍କ ପୁଅ ନିର୍ବାଚନ ଲଢ଼ୁଥିବାରୁ ଏଥର ରାହୁଲଙ୍କ ପାଇଁ ଡବଲ ଚ୍ୟାଲେଞ୍ଜ ହୋଇଛି । ଏଭଳି ସ୍ଥି୍ତିରେ ପ୍ରିୟଙ୍କା ପ୍ରଚାରର ମଙ୍ଗ ଧରିଛନ୍ତି । କେବଳ ଏତିକି ନୁହେଁ ୨୦୨୨ ନିର୍ବାଚନ ପାଇଁ ମଧ୍ୟ କେମିତି ପ୍ରସ୍ତୁତି ଚାଲିଛି ବୋଲି ପ୍ରିୟଙ୍କା କର୍ମୀଙ୍କୁ ପ୍ରଶ୍ନ କରିଛନ୍ତି ।

ଲୋକସଭା ନିର୍ବାଚନ ପ୍ରଚାର ପାଇଁ ଦିନରାତି ପରିଶ୍ରମ କରୁଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି  । ଆମେଠି ଓ ରାୟବରେଲିରୁ ବୁଥସ୍ତରୀୟ ସମସ୍ତ କର୍ମୀଙ୍କ ସହ ଆଲୋଚନା କରୁଛନ୍ତି ପ୍ରିୟଙ୍କା ଗାନ୍ଧୀ । ଅପରପକ୍ଷରେ ସେ ନିର୍ବାଚନ ଲଢ଼ିପାରନ୍ତି ବୋଲି ମଧ୍ୟ ଇସାରା ଦେଇଛନ୍ତି  । ଉତ୍ତରପ୍ରଦେଶର ପ୍ରଭାରୀ ପ୍ରିୟଙ୍କା ଗାନ୍ଧି ସାମ୍ବାଦିକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି, ଦଳ ତାଙ୍କୁ ଯାହା ଦାୟିତ୍ୱ ଦେବ ସେ ତାକୁ ପାଳନ କରିବେ । ଏପରିକି ଦଳ ଚାହିଁଲେ ସେ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି । ୨୦୧୪ ନିର୍ବାଚନରେ ଉତ୍ତରପ୍ରଦେଶର ଆମେଠି ଓ ରାୟବରେଲି ଆସନ ଛାଡି ଦଳ ଅନ୍ୟ ସବୁ ଆସନରେ ପରାଜୟ ହୋଇଥିଲା । ଏଥିପାଇଁ ଦଳର ସ୍ଥିତି ମଜଭୁତ କରିବା ଲାଗି ପ୍ରିୟଙ୍କା ଗାନ୍ଧୀଙ୍କୁ ଉତ୍ତରପ୍ରଦେଶ ଦାୟିତ୍ୱ ଦିଆଯାଇଛି ।