ଯାହାକୁ ଧକ୍କା ମାରିବାର ଅଛି, ସେମାନେ ଘରକୁ ପଳାଅ ! ଜାଣନ୍ତୁ କାହିଁକି ଏମିତି କହିଲେ ପ୍ରିୟଙ୍କା ।

48

ଉନ୍ନାଓ ଏବଂ କାଠୁଆ ଗଣଦୁଷ୍କର୍ମ ଘଟଣାକୁ ନେଇ ମୋଦି ସରକାରକୁ ଟାର୍ଗେଟ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସ ଦଳର କାର୍ଯ୍ୟକର୍ତ୍ତାମାନେ ବିଳମ୍ବିତ ରାତିରେ ଇଣ୍ଡିଆ ଗେଟ ଠାରେ ପହଞ୍ଚିଥିଲେ ଏବଂ କ୍ୟାଣ୍ଡେଲ ଶୋଭାଯାତ୍ରା ଆରମ୍ଭ ହୋଇଥିଲା । ରାହୁଲଙ୍କ ଦ୍ୱାରା କରାଯାଇଥିବା ଏହି ଶୋଭାଯାତ୍ରାରେ କଂଗ୍ରେସ ନେତା, ସାଧାରଣ ଜନତାଙ୍କ ବ୍ୟତୀତ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧି ମଧ୍ୟ ନିଜ ପରିବାର ସହ ସାମିଲ ହୋଇଥିଲେ । ପ୍ରିୟଙ୍କାଙ୍କୁ ଶୋଭାଯାତ୍ରାରେ ଆକ୍ରମଣାତ୍ମକ ଭଙ୍ଗୀରେ ଦେଖିବାକୁ ମିଳିଥିଲା । କିନ୍ତୁ ସେଠାରେ ଏମିତି ବି କିଛି ହୋଇଥିଲା, ଯେଉଁଥିରେ ପ୍ରିୟଙ୍କା ରାଗରେ ଜର୍ଜରିତ ହୋଇଯାଇଥିଲେ ।

ସୂଚନା ଅନୁଯାୟୀ, ଗୁରୁବାର ରାତିରେ ଇଣ୍ଡିଆ ଗେଟ ଠାରେ ଅତ୍ୟନ୍ତ ଭିଡ ଜମିଯାଇଥିଲା । ଆଉ ଏହା ମଧ୍ୟରେ କଂଗ୍ରେସ କାର୍ଯ୍ୟକର୍ତ୍ତାମାନଙ୍କ ମଧ୍ୟରେ ପ୍ରିୟଙ୍କା ଗାନ୍ଧିଙ୍କ ସହ ହାତ ମିଳାଇବା ଏବଂ ତାଙ୍କ ସହ ସେଲଫି ନେବା ପାଇଁ ଭିଡ ଲାଗିଥିଲା । ଏହା ପରେ ସେଠାରେ ଭିଡ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା ଏବଂ ଠେଲାପେଲା ଆରମ୍ଭ ହୋଇଯାଇଥିଲା । କୁହାଯାଉଛି ଯେ, ପ୍ରିୟଙ୍କା ଗାନ୍ଧିଙ୍କୁ ମଧ୍ୟ ଠେଲାପେଲା କରିଥିଲେ । ଆଉ ଏହି ସମୟରେ ପ୍ରିୟଙ୍କା ଗାନ୍ଧି ଜଣେ ବ୍ୟକ୍ତିଙ୍କୁ କହୁଣୀରେ ମାରୁଥିବାର ମଧ୍ୟ ଦେଖାଯାଇଥିଲା ।

କିନ୍ତୁ ଏହା ମଧ୍ୟରେ ପ୍ରିୟଙ୍କା ଗାନ୍ଧି ଶୋଭାଯାତ୍ରାକୁ ସମ୍ଭାଳିଥିଲେ । ଏବଂ ଠେଲାପେଲା କରୁଥିବା କାର୍ଯ୍ୟକର୍ତ୍ତାଙ୍କୁ ଗାଳି ମଧ୍ୟ କରିଥିଲେ । ପ୍ରିୟଙ୍କା ରାଗିଯାଇ କହିଥିଲେ ଯେ, “ଆପଣମାନେ ଭାବନ୍ତୁ ଯେ, ଆପଣ କଣ କରୁଛନ୍ତି, ଏବେ ଆପଣ ଚୁପଚାପ ଛିଡା ହୋଇ ଆଗକୁ ଚାଲନ୍ତୁ, ଯାହାକୁ ଧକ୍କା ମାରିବାର ଅଛି ସେ ଘରକୁ ଯାଉ ।”

ସୂଚନା ଅନୁଯାୟୀ, କେବଳ ପ୍ରିୟଙ୍କା ଗାନ୍ଧି ନୁହନ୍ତି ବରଂ ରାହୁଲ ଗାନ୍ଧିଙ୍କୁ ମଧ୍ୟ ଠେଲାପେଲାର ସାମ୍ନା କରିବାକୁ ପଡିଥିଲା । ଆଉ ଏହା ପରେ ଏସପିଜି କିଛି ସମୟ ପାଇଁ ରାହୁଲ ଗାନ୍ଧିଙ୍କୁ ଗାଡିରେ ବସାଇ ଦେଇଥିଲେ । କିନ୍ତୁ କିଛି ସମୟ ପରେ ରାହୁଲ ପୁଣି ଗାଡିରୁ ବାହାରକୁ ଆସିଥିଲେ ଏବଂ ଉପସ୍ଥିତ ଥିବା ଲୋକମାନଙ୍କ ସହ କଥାବାର୍ତ୍ତା ହୋଇଥିଲେ । ସୂଚନା ଅନୁଯାୟୀ କେବଳ ପ୍ରିୟଙ୍କା ଗାନ୍ଧି ନୁହେଁ ବରଂ ତାଙ୍କ ଝିଅ ମଧ୍ୟ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ତାଙ୍କ ଝିଅ ମିରାୟା ନିଜ ମା ବାପାଙ୍କ ସହ ଶୋଭାଯାତ୍ରାରେ ପହଞ୍ଚିଥିଲେ ।

ସୂଚନା ଅନୁଯାୟୀ, କେନ୍ଦ୍ରର ମୋଦି ସରକାରରେ ମହିଳାଙ୍କୁ ସୁରକ୍ଷା ଦିଆଯାଉନଥିବା ଏବଂ ଉନ୍ନାଓ ଏବଂ କାଠୁଆରେ ଘଟଥିବା ଲଜ୍ଜାଜନକ ଘଟଣା ବିରୋଧରେ କଂଗ୍ରେସ ଇଣ୍ଡିଆ ଗେଟ ଠାରେ ବିଳମ୍ବିତ ରାତିରେ କ୍ୟାଣ୍ଡେଲ ଶୋଭାଯାତ୍ରା ବାହାର କରିଥିଲା । ଏହି ଶୋଭାଯାତ୍ରାରେ ରାହୁଲ ଗାନ୍ଧିଙ୍କ ସମେତ, ପ୍ରିୟଙ୍କା ଗାନ୍ଧି, ରୋବର୍ଟ ଭଦ୍ରା, ନିର୍ଭୟାର ବାପା ମା, କଂଗ୍ରେସ ନେତା ଅସୋକ ଗହଲୋତଙ୍କ ସହ କେତେକ ବରିଷ୍ଠ ନେତା ଉପସ୍ଥିତ ରହିଥିଲେ । ଏହା ସହ ସେଠାରେ ଶହ ଶହ ସଂଖ୍ୟାରେ କଂଗ୍ରେସ କର୍ମୀମାନେ ଉପସ୍ଥିତ ଥିଲେ ।

ମୋଦୀଙ୍କୁ ଟାର୍ଗେଟ କଲେ ରାହୁଲ :

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଶୋଭାଯାତ୍ରା ଶେଷ ହେବା ପରେ ଗଣମାଧ୍ୟମ ଆଗରେ ନିଜ ପ୍ରତିକ୍ରିୟା ରଖିଥିଲେ । ପ୍ରତିକ୍ରିୟାରେ ସେ ମୋଦି ସରକାରଙ୍କୁ ଟାର୍ଗେଟ କରିଥିଲେ । ରାହୁଲ କହିଥିଲେ ଯେ, ଦେଶର ମହିଳାମାନେ ଘରୁ ବାହାରିବା ପାଇଁ ଭୟ କଲେଣି । ଆଉ ଏସବୁକୁ ଦେଖିଲେ ପ୍ରଧାନମନ୍ତ୍ରୀଙ୍କ ‘ବେଟି ବଚାଓ’ ର କାମ ଆରମ୍ଭ କରିଦେବା ଉଚିତ । ରାହୁଲ ଗାନ୍ଧି କହିଥିଲେ ଯେ, ମହିଳା ମାନଙ୍କ ବିରୋଧର ହେଉଥିବା ଅପରାଧ, ବଳାତ୍କାର, ହିଂସା ଏବଂ ହତ୍ୟା ଭଳି ଘଟଣା ବିରୋଧରେ ଆଜି ଆମେ ଏଠାରେ ଉପସ୍ଥିତ ହୋଇଛୁ । ସରକାରଙ୍କୁ ଏଥିରେ କାର୍ଯ୍ୟାନୁଷ୍ଠାନ ନେବା ଉଚିତ । ଏହା ଏକ ରାଷ୍ଟ୍ରୀୟ ଘଟଣା ଅଟେ, ରାଜନୈତିକ ବିଷୟ ନୁହେଁ ।

ରାହୁଲ କହିଥିଲେ, ଏହି ଘଟଣା ବିରୋଧରେ ଆଜି ହଜାର ହଜାର ଲୋକ ଏକାଠି ହୋଇଛନ୍ତି, ଯେଉଁଥିରେ ସମସ୍ତ ରାଜନୈତିକ ଦଳର ଲୋକ ଏବଂ ସାଧାରଣ ଜନତା ମଧ୍ୟ ସାମିଲ ଅଛନ୍ତି । ଆଜି ଦେଶରେ ଏଭଳି ଅବସ୍ଥା ହୋଇଛି , ଯେଉଁଠି ହତ୍ୟା, ବଳାତ୍କାର ଏବଂ ହିଂସାର ଗୋଟିଏ ପରେ ଗୋଟିଏ ଘଟଣା ସାମ୍ନାକୁ ଆସୁଛି । ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ପାଇଁ ରାହୁଲ କହିଛନ୍ତି ।