ପ୍ରିୟଙ୍କା ହେବେ କଂଗ୍ରେସ କାର୍ଯ୍ୟକାରୀ ସଭାପତି!
କନକ ବ୍ୟୁରୋ : ୨୦୧୯ରେ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ପ୍ରିୟଙ୍କା ଗାନ୍ଧୀଙ୍କୁ କଂଗ୍ରେସ ଦଳର କାର୍ଯ୍ୟକାରୀ ସଭାପତି କରାଯାଇପାରେ । ଏ ସଂକ୍ରାନ୍ତରେ ଦଳର ଉଚ୍ଚ ମହଲରେ ଆଲୋଚନା ଚାଲିଥିବା ନେଇ ଚର୍ଚ୍ଚା ହେଉଛି । ଗତ ୮ତାରିଖରେ କଂଗ୍ରେସ କାର୍ଯ୍ୟକାରୀ ବୈଠକରେ ନିଜେ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ନେତୃତ୍ୱ ପରିବର୍ତ୍ତନ ପ୍ରସଙ୍ଗ ଉଠାଇଥିବା ଜଣାପଡ଼ିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ବିଭିନ୍ନ ଗଣମାଧ୍ୟମରେ ପ୍ରଚାରିତ ରିପୋର୍ଟ ଅନୁଯାୟୀ ପ୍ରିୟଙ୍କାଙ୍କୁ ଦଳର କାର୍ଯ୍ୟକାରୀ ସଭାପତି କରାଯିବାକୁ ସୋନିଆ କୁଆଡ଼େ ପ୍ରସ୍ତାବ ଦେଇଥିଲେ । ଏହାକୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସମେତ ଅନେକ ବରିଷ୍ଠ ସମର୍ଥନ କରିଥିଲେ । ଆସନ୍ତା ଅକ୍ଟୋବରରେ ଦଳର ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ଅଧ୍ୟକ୍ଷ ପଦ ଗ୍ରହଣ କରିବେ ବୋଲି ଆଲୋଚନା ହେଉଥିବା ବେଳେ କାର୍ଯ୍ୟକାରୀ ସଭାପତି ଲାଗି ପ୍ରିୟଙ୍କାଙ୍କ ନାମ ଚର୍ଚ୍ଚାକୁ ଆସିଛି । ପ୍ରିୟଙ୍କାଙ୍କ ଭାବମୂର୍ତ୍ତି ଦଳକୁ ଜନସାଧାରଣଙ୍କ ନିକଟତର କରିପାରିବ ବୋଲି କିଛି ବରିଷ୍ଠ ନେତା ଆଶାବ୍ୟକ୍ତ କରିଥିଲେ ।
ତେବେ ପ୍ରିୟଙ୍କାଙ୍କ ଅଫିସ ପକ୍ଷରୁ ଏହି ପ୍ରସଙ୍ଗକୁ ଗୁଜବ ଓ ଅମୂଳକ ବୋଲି କୁହାଯାଇଛି। କଂଗ୍ରେସ କାର୍ଯ୍ୟକାରୀ ବୈଠକରେ ଏଭଳି କୌଣସି ପ୍ରସ୍ତାବ ନେଇ ଆଲୋଚନା ହୋଇନଥିଲା ବୋଲି ତାଙ୍କ ବ୍ୟକ୍ତିଗତ ସହାୟକ ଏକ ବିବୃତ୍ତିରେ କହିଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଟିମ୍ ରାହୁଲ ଏବଂ ବରିଷ୍ଠ ନେତାମାନଙ୍କ ମଧ୍ୟରେ ମତଭେଦ ଯୋଗୁଁ କଂଗ୍ରେସ ଘୋର ବିପର୍ଯ୍ୟୟର ସମ୍ମୁଖୀନ ହେଉଛି । ଗୁଲାମ ନବୀ ଆଜାଦ, ଅହମ୍ମଦ ପଟେଲ, ଏକେ ଆଣ୍ଟୋନି ଆଦି ବରିଷ୍ଠ ନେତାମାନେ ରାହୁଲଙ୍କ ଯୁବ ଟିମ୍ର ଅନେକ ନିଷ୍ପତ୍ତି ସହିତ ଏକମତ ହୋଇପାରୁ ନାହାନ୍ତି ।