ଗାନ୍ଧୀ ପରିବାରରୁ ଆସିଛନ୍ତି ବୋଲି କଣ ରାଜନୀତି କରିବେନି ପ୍ରିୟଙ୍କା? ଲୋକଙ୍କ ଉପରେ ଛାଡି ଦିଆଯାଉ, କିଏ ଜିତିବ କିଏ ହାରିବ ।

ଯଦି ସମଗ୍ର ଦେଶରେ କଂଗ୍ରେସ କରିବାକୁ ଥିବା ସମାବେଶରେ ପ୍ରିୟଙ୍କା କଂଗ୍ରେସର ଚେହେରା ହୁଅନ୍ତି, ତେବେ ବିରୋଧୀ କଣ କରିବେ । ଗୋଟିଏ ପରିବାର, ଗାନ୍ଧି ପରିବାରରୁ ଆସିଥିଲେ ମଧ୍ୟ ତାଙ୍କର ରାଜନୀତିରେ କଣ ଭାଗ ନେବାର ଅଧିକାର ନାହିଁ ।

190
କନକ ବ୍ୟୁରୋ : ଦେଶର ରାଜନୀତିରେ ଗାନ୍ଧି ପରିବାର କଥା କହିଲେ ସାମନାକୁ ଆସିଯାଏ କିଛି ଏହିପରି ନାଁ ଯେଉଁମାନେ ଦେଶବାସୀଙ୍କୁ ସକ୍ରିୟ ରାଜନୀତିରେ ଭାଗ ନେବା ପାଇଁ ସୁଯୋଗ ସୃଷ୍ଟି କରିଛନ୍ତି ସେ ଭୋଟଦାନ ମାଧ୍ୟମରେ ହେଉ ଅବା ରାଜନୀତି ପାଇଁ ମନରେ ଆଗ୍ରହ ସୃଷ୍ଟି କରାଇ ହେଉ । ଦେଶରେ ବିଭିନ୍ନ ପର୍ଯ୍ୟାୟରେ ଶାସନ ଭାର ସମ୍ଭାଳିଥିବା କଂଗ୍ରେସ କିଛି ଏପରି ଚେହେରା ସାମ୍ନାକୁ ଆଣିଛି, ଯାହା ପରିବାରବାଦ ରାଜନୀତିକୁ ସମଗ୍ର ଦେଶରେ ତୀବ୍ର କରିଛି ।
ଜବାହାରଲାଲଙ୍କ ଠାରୁ ଆରମ୍ଭ କରି ରାହୁଲ ଆଉ ଏବେ ପ୍ରିୟଙ୍କା । ପ୍ରଶ୍ନ ଉଠୁଛି ଯଦି ନେତାଙ୍କୁ ଲୋକେ ପସନ୍ଦ କରୁଛନ୍ତି ତେବେ ପରିବାରବାଦ ରାଜନୀତିକୁ ବିରୋଧ କାହିଁକି । ସୋନିଆ ଗାନ୍ଧି ଯେତେବେଳେ ପ୍ରଧାନମନ୍ତ୍ରୀ ହେବାକୁ ମନା କରିଦେଇଥିଲେ ସେତେବେଳେ ମଧ୍ୟ ଉଠିଥିଲା ଏହି ପରିବାରବାଦ ରାଜନୀତିର କଥା । କିଛି ଖୁସି ମଧ୍ୟ ହୋଇଗଲେ ଆକ୍ସିଡେଂଟାଲ ପ୍ରାଇମ ମିନିଷ୍ଟର ମନମୋହନ ସିଂହଙ୍କୁ ନେଇ । କିନ୍ତୁ କଂଗ୍ରେସର ସମର୍ଥକ ଏବଂ ପୁରୁଖା ନେତା ବୋଧହୁଏ ଚାହୁଁଥିଲେ ସୋନିଆଙ୍କୁ ।
ସୋନିଆ ଏବେ ଦଳର ଭାର ରାହୁଲ ଗାନ୍ଧୀଙ୍କ କାନ୍ଧ ଉପରେ ରଖିଛନ୍ତିା ରାହୁଲ ଏବେ ପୁଣି ପ୍ରିୟଙ୍କା ଗାନ୍ଧିଙ୍କୁ ସାମ୍ନାକୁ ଆଣିଲେଣି । ଯେତେବେଳେ ରାହୁଲ ଦଳର କମାଣ ସମ୍ଭାଳିଥିଲେ ସେତେବେଳେ ମଧ୍ୟ ପରିବାରବାଦ କଥା ଉଠିଥିଲା, ବିବାଦ ବି ଉପୁଜିଥିଲା । କଣ କଂଗ୍ରେସରେ ଦାୟିତ୍ୱ ସମ୍ଭାଳିବାକୁ ଗାନ୍ଧି ପରିବାରର ସଦସ୍ୟ ଛଡା ଆଉ କେହି ନେତା ନାହାନ୍ତି ।
ଏବେ ପ୍ରିୟଙ୍କାଙ୍କ ରୋଡ ସୋକୁ ଦେଖିଲେ ସ୍ପଷ୍ଟ ବାରିହୋଇପଡୁଛି କେତେ ସମର୍ଥନ ରହିଛି ପ୍ରିୟଙ୍କାଙ୍କ ପ୍ରତି । ଯଦି ସମଗ୍ର ଦେଶରେ କଂଗ୍ରେସ କରିବାକୁ ଥିବା ସମାବେଶରେ ପ୍ରିୟଙ୍କା କଂଗ୍ରେସର ଚେହେରା ହୁଅନ୍ତି, ତେବେ ବିରୋଧୀ କଣ କରିବେ । ଗୋଟିଏ ପରିବାର, ଗାନ୍ଧି ପରିବାରରୁ ଆସିଥିଲେ ମଧ୍ୟ ତାଙ୍କର ରାଜନୀତିରେ କଣ ଭାଗ ନେବାର ଅଧିକାର ନାହିଁ । ବିରୋଧୀ ଦଳଙ୍କ ତରଫରୁ ଯେଉଁ ଭଳି ତାଙ୍କ ପ୍ରତି ମନ୍ତବ୍ୟ ରଖାଯାଉଛି, ତାକୁ ସମୀକ୍ଷା କଲେ ଏହି ପ୍ରଶ୍ନ ଉଠିବା ସ୍ୱାଭାବିକ ।
ଦେଶ ପାଇଁ ଏ ପରିବାର କଣ ନ’ସହିଛି କଣ ନ’ଦେଖିଛି । ଇନ୍ଦିରା ଏବଂ ରାଜୀବଙ୍କୁ କେମିତି ମାରିଦିଆଗଲା ସେ କଥା କାହାକୁ ଅଜଣା ନାହିଁ । ସେହି ପରିବାରର ଭବିଷ୍ୟତ ପିଢି ଯଦି ରାଜନୀତି ନକରିବେ ତେବେ କରିବେ କଣ ? ରାଜନୀତିରେ ସଫଳ ହୁଅନ୍ତୁ କି ବିଫଳ ହୁଅନ୍ତୁ ଲୋକଙ୍କ ପାଖରେ ପହଂଚିଲେ ଅସୁବିଧା କଣ ? ରାଜନୀତିର ପଶାପାଲିରେ ମିଶାଣ ଫେଡାଣ ତ ସବୁବେଳେ ଚାଲିବ । ତେଣୁ ପରିବାରବାଦ ରାଜନୀତିକୁ ଦ୍ୱାହି ନଦେଇ ନିଜ ନିଜ କରିସ୍ମା ଦେଖାଇବାର ବେଳ ଆସିଛି ।
ଏବେ ଜୋ ଜିତା ୱହି ସିକନ୍ଦର ନ୍ୟାୟରେ ସମସ୍ତେ ନିଜ ନିଜ ଭାଗ୍ୟ ପରୀକ୍ଷା କରାଇନେବା ଉଚିତ । କାହିଁକି ନାଁ ଭାରତ ଭଳି ସର୍ବ ବୃହତ ଗଣତାନ୍ତ୍ରିକ ଦେଶରେ ଜନତା ସବୁଠୁ ଚାଲାକ । ସେମାନେ ଜାଣିଛନ୍ତି ସାପ ସିଡିର ଖେଳରେ କିଏ ଚଢିବ କିଏ ଖସିବ । ତେଣୁ ଥରେ ଲୋକଙ୍କ ଉପରେ ସବୁ ଛାଡିଦିଆଯାଉ । ପରିବାରବାଦ ରାଜନୀତିରୁ ଉଦ୍ଧ୍ୱର୍ରେ ରହି ନିଜ ଫେସଭ୍ୟାଲୁରେ କିଏ ଜନତାଙ୍କୁ କେତେ ଆକର୍ଷିତ କରିପାରୁଛି ।