ଗୀତକୁ ନେଇ ବିବାଦରେ ଫସିଲେ ପ୍ରିୟା ପ୍ରକାଶ ! ମୁସଲିମ୍ ସମାଜର ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗରେ ହାଇଦ୍ରାବାଦରେ ମାମଲା

45

ମାଲାୟଲମ ଅଭିନେତ୍ରୀ ପ୍ରିୟା ପ୍ରକାଶ ନିଜ ଗୀତକୁ ନେଇ ଏବେ ବିବାଦରେ ଫସିଯାଇଛନ୍ତି । ଗୀତରେ ବ୍ୟବହାର କରାଯାଇଥିବା କିଛି ଶବ୍ଦକୁ ନେଇ ଆପତ୍ତି ଉଠିଛି । ଏ ନେଇ ହାଇଦ୍ରାବାଦରେ ମାମଲା ବି ରୁଜୁ ହୋଇଛି । ଏହି ଅଭିଯୋଗ ପ୍ରିୟା ପ୍ରକାଶଙ୍କ ବିରୋଧରେ ନୁହେଁ ସଂପୃକ୍ତ ଗୀତ ବିରୋଧରେ ହୋଇଛି । ଅଭିଯୋଗ ଅନୁସାରେ-ଗୀତରେ ମୁସଲିମ ସମାଜର ଧାର୍ମିକ ଭାବନା ଆଘାତ ହୋଇଛି । ଏହି ମାମଲା କରିଛନ୍ତି ହାଇଦ୍ରବାଦର ଜଣେ ଯୁବକ । ମାମଲାକୁ ପୋଲିସ ସାଇବର କ୍ରାଇମ ସେଲକୁ ହସ୍ତାନ୍ତର କରିବା ସମ୍ଭାବନା ରହିଛି ।

ସୂଚନାଯୋଗ୍ୟ ଦୁଇଦିନ ମଧ୍ୟରେ ଇଂଟରନେଟରେ ଚହଳ ପକାଇଛନ୍ତି ମଲାୟାଲମ ଅଭିନେତ୍ରୀ ପ୍ରିୟା ପ୍ରକାଶ ୱାରିୟର । ଭାଲେଂଟାଇନ୍ ୱିକରେ ୧୮ ବର୍ଷୀୟା ପ୍ରିୟାଙ୍କ ଆଖି ମରା ଆନ୍ଦାଜରେ ଲକ୍ଷ ଲକ୍ଷ ଲୋକ ଦିୱାନା ହୋଇଯାଇଛନ୍ତି । ଅଳ୍ପ ଦିନରେ ପାଲଟି ଯାଇଛନ୍ତି ଦୁନିଆର ତୃତୀୟ ଲୋକପ୍ରିୟ ଇଂଷ୍ଟାଗ୍ରାମ୍ ସେଲେବ୍ରିଟି । ୟୁ-ଟ୍ୟୁବରେ ୯୦ ଲକ୍ଷରୁ ଅଧିକ ଲୋକ ଏହାକୁ ଦେଖିସାରିଲେଣି । ମଲାୟାଲମ ଅଭିନେତ୍ରୀ ପ୍ରିୟା ପ୍ରକାଶ ୱାରିୟର ଫିଲ୍ମ ସୁଟିଂ ଆରମ୍ଭ ହେଉ ହେଉ ବନିଲେ ସେଲେବ୍ରିଟି । ଯାହାଙ୍କ ଆଖି ମିଟିକାରେ ପାଲଟିଛନ୍ତି ଲକ୍ଷ ଲକ୍ଷ ଦିୱାନା । କେବଳ ଭାରତ ନୁହେଁ, ପାକିସ୍ତାନ ଓ ଇଜିପ୍ଟରେ ମଧ୍ୟ ଲକ୍ଷ ଲକ୍ଷ ଲୋକଙ୍କୁ ପସନ୍ଦ ଆସିଛି ପ୍ରିୟାଙ୍କ ଅନ୍ଦାଜ୍ । ଇଂଟରନେଟରେ ଭାଇରାଲ ହେବାରେ ଲାଗିଛି ତାଙ୍କର ଭିଡିଓ । ହଜାର ହଜାର ସେୟାର ହେଉଛି ସୋସିଆଲ୍ ମିଡିଆରେ ।

ସମୟ ଯେତିକି ବଢୁଛି ସେତିକି ବଢୁଛି ପ୍ରିୟାଙ୍କ ଫାନ୍ ଫଲୋଅର୍ସ ଦୁଇ ଦିନ ମଧ୍ୟରେ ଇଂଷ୍ଟାଗ୍ରାମରେ ପାଖାପାଖି ୨୦ ଲକ୍ଷ ଫଲୋଅର୍ସ । ଅବଶ୍ୟ ଇଂଷ୍ଟାଗ୍ରାମ ଆକାଉଂଟ୍ ତାଙ୍କର ନୁହେଁ, ଅନ୍ୟ କେହି ପ୍ରସ୍ତୁତ କରିଛି ବୋଲି କହିଛନ୍ତ୍ ପ୍ରିୟାଙ୍କ ମାଆ । ଦୁଇ ଦିନ ତଳେ ୟୁ-ଟ୍ୟୁବରେ ରିଲିଜ୍ ହୋଇଥିଲା ପ୍ରିୟାଙ୍କ ଅଭିନୀତ ମଲାୟଲମ୍ ଫିଲ୍ମ ‘ଓରୁ ଅଦାର୍ ଲଭ୍’ର ଏକ ଗୀତ । ଏହି ଗୀତରେ ପ୍ରିୟାଙ୍କର ଆଖି ମରା ଦୃଶ୍ୟ ପାଗଳ କରିଦେଇଛି ଯୁବପୀଢିକୁ । ୟୁ-ଟ୍ୟୁବରେ ରେକର୍ଡ ସଂଖ୍ୟକ ଲୋକ ଦେଖିଛନ୍ତି ଏହି ଗୀତକୁ । ଅଳ୍ପ ସମୟ ମଧ୍ୟରେ ୯୦ ଲକ୍ଷରୁ ଅଧିକ ଲୋକ ଏହାକୁ ଦେଖିସାରିଲେଣି । ଏହା ପୂର୍ବରୁ ମଲାୟଲମ ଫିଲ୍ମର କୌଣସି ଗୀତ ଇଂଟରନେଟରେ ଏତେ ଲୋକପ୍ରିୟ ହୋଇନଥିଲା ।