ପାସହାର କମିବା ପରେ କଠୋର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ : ଟ୍ୟୁସନ୍ କରିପାରିବେନି ସରକାରୀ ଶିକ୍ଷକ, ନିୟମ ନମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ

7,566
କନକ ବ୍ୟୁରୋ : ମାଟ୍ରିକ୍‌ ସମେତ ଯୁକ୍ତ ଦୁଇ କଳା, ବିଜ୍ଞାନ ଓ ବାଣିଜ୍ୟରେ ପାସ୍‌ହାର କମିବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିଦ ହଜିଯାଇଛି । କାହିଁକି କମୁଛି ପାସ୍‌ହାର ? କେଉଁଠି ରହୁଛି ତ୍ରୁଟି ? ଶିକ୍ଷକ କ୍ଲାସରେ ପଢ଼ାଉ ନାହାନ୍ତି ନା ଛାତ୍ରଛାତ୍ରୀ ପଢ଼ୁନାହାନ୍ତି ? କ’ଣ ହେଉଛି ଅସୁବିଧା ? ମାସେ ହେଲା ଏହାକୁ ନେଇ ଗଣଶିକ୍ଷା ବିଭାଗ ଅଧିକାରୀଙ୍କ ଘନଘନ ବୈଠକ ବସୁଛି । ପରୀକ୍ଷା ଫଳ ତର୍ଜମା କରାଯିବା ସହ ପୂର୍ବରୁ ହୋଇଥିବା ନିୟମଗୁଡ଼ିକ କିଭଳି କାର୍ଯ୍ୟକାରୀ ହେଉଛି ତାହାର ଅନୁଧ୍ୟାନ କରାଯାଉଛି । ପିଲା ହେଉ ନଥିବା, ଭିତ୍ତିଭୂମି ସୁଦୃଢ଼ ନ ଥିବା, କମ୍‌ ପିଲା ଥିବା ବିଦ୍ୟାଳୟଗୁଡ଼ିକ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି । ଏବେ ବେତନଭୋଗୀ ଶିକ୍ଷକ ଓ ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଅଣ୍ଟା ଭିଡ଼ିଛି ବିଭାଗ ।
୨୦୧୭ରେ ମାଧ୍ୟମିକ ଶିକ୍ଷା ନି‌ର୍ଦେଶାଳୟ ପକ୍ଷରୁ ଜାରି ହୋଇଥିବା ଗାଇଡ୍‌ଲାଇନ୍‌ ଅନୁଯାୟୀ କୌଣସି ବେତନଭୋଗୀ ଶିକ୍ଷକ, ଶିକ୍ଷୟିତ୍ରୀ, ଅଧ୍ୟାପକ ଓ ଅଧ୍ୟାପକ କୋଚିଂ ସେଣ୍ଟର କିମ୍ବା ଟ୍ୟୁସନରେ ପଢ଼ାଇ ପାରି‌ବେ ନାହିଁ । କୋଚିଂ ସେଣ୍ଟର ଯିବା ଲାଗି ଛାତ୍ରଛାତ୍ରୀଙ୍କ ଉପରେ ଚାପ ସୃଷ୍ଟି କରିପାରିବେ ନାହିଁ । ଯଦି କୌଣସି ଶିକ୍ଷକ, ଅଧ୍ୟାପକ ଏଭଳି କାର୍ଯ୍ୟରେ ଲିପ୍ତ ରହିଥାନ୍ତି ତେବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ଥିର ହୋଇଥିଲା । ତେବେ ସରକାରୀ ଅଧିକାରୀଙ୍କ ଅବହେଳା ଅଭାବରୁ ନିୟମ ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରି ନଥିଲା । ଏବେ ପୁରୁଣା ନିୟମକୁ ଲାଗୁ କରିବା ଲାଗି ବିଭାଗ ଅଣ୍ଟା ଭିଡ଼ିଛି । ବିଦ୍ୟାଳୟ ଉପରେ ଅଚାନକ ଚଢ଼ଉ କରାଯାଇ ଶିକ୍ଷକମାନଙ୍କ ଉପସ୍ଥାନ ଓ କୋଚିଂ ସେଣ୍ଟରର ଭିତ୍ତିଭୂମି ଯାଞ୍ଚ କରିବାକୁ ବି ନିଷ୍ପତ୍ତି ନିଆଯାଇଛି ।
ଅଭିଯୋଗ ଅନୁଯାୟୀ ଯେଉଁ ସମୟରେ ଶିକ୍ଷକ ଓ ଅଧ୍ୟାପକମାନେ ସ୍କୁଲରେ କ୍ଲାସ ନେବା କଥା ସେତେବେଳେ କୋଚି˚ ସେଣ୍ଟରେ ପଢ଼ାଇବାକୁ ଯାଉଛନ୍ତି । କେତେକ ବିଦ୍ୟାଳୟ ଓ କଲେଜର ଶିକ୍ଷକ ପିଲାଙ୍କୁ କୋଚି˚ ସେଣ୍ଟର ଯିବା ଲାଗି ଚାପ ପକାଉଛନ୍ତି । କୋଚି˚ ସେଣ୍ଟର ଗଲେ ମାଟ୍ରିକ୍‌ ପରୀକ୍ଷାରେ ଭଲ ମାର୍କ ରହିବ ବୋଲି ଶିକ୍ଷକମାନେ ପ୍ରତିଶ୍ରୁତି ଦେଉଛନ୍ତି । ବିଶେଷକରି ଗଣିତ, ଇ˚ରାଜୀ ଓ ବିଜ୍ଞାନ ଶିକ୍ଷକ ଏଭଳି କରୁଥିବା ନଜରକୁ ଆସିଛି । ଭୁବନେଶ୍ବର, କଟକ, ରାଉରକେଲା, ବାଲେଶ୍ବର, ବ୍ରହ୍ମପୁର, ସମ୍ବଲପୁର ସମେତ ସହରାଞ୍ଚଳରେ ଥିବା ବିଦ୍ୟାଳୟରେ ଏଭଳି ଅଭିଯୋଗ ଆସିଥିବା ବିଭାଗର ଜଣେ ଅଧିକାରୀ କହିଛନ୍ତି ।
୨୦୧୭ରେ ଅନୁରୂପ ଭାବେ ସମସ୍ୟା ସାମ୍ନାକୁ ଆସିଥିଲା । ଯେଉଁଥିପାଇଁ ୨୦୧୭-୧୮ ଶିକ୍ଷାବର୍ଷ ଆରମ୍ଭରୁ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖାଯାଇ ନିୟମକୁ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଥିଲା । ସେତେବେଳେର ନିର୍ଦେଶକ ଲେଖିଥିବା ଚିଠିରେ ଉଲ୍ଲେଖ କରିଥିଲେ ଯେ, ଶିକ୍ଷକମାନେ ନିୟମ ଉଲ୍ଲ˚ଘନ କରୁଥିବାରୁ ଡିଇଓମାନେ କଡ଼ା ଆଭିମୁଖ୍ୟ ଗ୍ରହଣ କରିବା ଦରକାର । ଯେଉଁ ଅଞ୍ଚଳରୁ ଅଭିଯୋଗ ଆସୁଛି ସେଠାରେ ବାରମ୍ବାର ଚଢ଼ଉ କରି ପଦକ୍ଷେପ ନେବାକୁ କୁହାଯାଇଥିଲା । ଏଥିସହ ଯଦି ଶିକ୍ଷକ ବିଳମ୍ବରେ ଆସୁଥିବା ନଜରକୁ ଆସେ ତାଙ୍କୁ କାରଣଦର୍ଶାଅ ନୋଟିସ୍‌ ଜାରି କରିବାକୁ ନିର୍ଦେଶ ଦିଆଯାଇଥିଲା ।
ଅନ୍ୟପକ୍ଷରେ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଯୁକ୍ତ୨ ଓ ଯୁକ୍ତ୩ କଲେଜରେ ପଢ଼ାଉଥିବା ଅଧ୍ୟାପକଙ୍କ ତାଲିକା ମାଗିଛନ୍ତି ଦୁଇ ଶିକ୍ଷା ବିଭାଗ । ଜୁନ୍‌ ୩୦ ସୁଦ୍ଧା ୱେବସାଇଟ୍‌ରେ ତାଲିକା ପ୍ରଦାନ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି । ସେହିପରି ବେଆଇନ ଭାବେ ଚାଲୁଥିବା କୋଚିଂ ସେଣ୍ଟରଗୁଡ଼ିକ ଉପରେ ଚଢ଼ଉ କରିବାକୁ ନିଷ୍ପତ୍ତି ନେଇଛି ଗଣଶିକ୍ଷା ବିଭାଗ । ବିଭାଗୀୟ ମନ୍ତ୍ରୀ ସମୀର ଦାଶ ଆଜି ଗଣମାଧ୍ୟମରେ କହିଛନ୍ତି ଯେ ଅଭିଯୋଗ ଆସିବା ପରେ ସମୀକ୍ଷା କରାଯାଇଛି। ଯେଉଁ ଅନୁଷ୍ଠାନ ବିରୋଧରେ ଅଭିଯୋଗ ଆସିଛି ତାହାକୁ ଯାଞ୍ଚ କରାଯିବ । ଏହାପରେ କିଭଳି କାର୍ଯ୍ୟାନୁଷ୍ଠାନ ହେବ ସେନେଇ ଆଲୋଚନା ହେବ ।