ଜେଲରୁ ଫେରାର ହେଲା କଏଦୀ ! ରାସ୍ତାରେ ପୋଲିସ କର୍ମଚାରୀଙ୍କୁ ମାଗିଲା ଲିଫ୍ଟ, ଆଉ ତା ପରେ…

305

ଜେଲରେ ବନ୍ଦୀ ଥିବା ଜଣ କଏଦୀ ଜେଲରୁ ଫେରାର ହେବା ପରେ ଘଟିଛି କିଛି ଏଭଳି ଘଟଣା, ଯାହା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଜେଲରୁ ଫେରାର ହେବା ପରେ ଜାତୀୟ ରାଜପଥରୁ ପୋଲିସକୁ ଲିଫ୍ଟ ମାଗି ପୁଣି ଥରେ ଜେଲ ପରିସରକୁ ଫେରିଆସିଛି ଏହି କଏଦୀ । ଆଶ୍ଚର୍ଯ୍ୟ କରିଦେବା ଭଳି ଏହି ଘଟଣା ଆମେରିକାର ଅଟେ । ୩୧ ବର୍ଷୀୟ ଏଲେନ୍ ଲିବିସଙ୍କ ଉପରେ ଜେଲରୁ ଫେରାର ହେବାକୁ ଉଦ୍ୟମ କରାଯାଇଥିବା ମାମଲା ମଧ୍ୟ ରୁଜୁ କରାଯାଇଛି ।

ଏଲେନ୍ ସେତେବେଳେ ଜେଲରୁ ଫେରାର ହେବାକୁ ଉଦ୍ୟମ କରିଥିଲେ, ଯେତେବେଳେ ତାଙ୍କୁ ଆମେରିକାର ଗୋଟିଏ ଜେଲରୁ ଆଉ ଗୋଟିଏ ଜେଲକୁ ସ୍ଥାନାନ୍ତରିତ କରାଯାଉଥିଲା । ସେ ପୋଲିସ କର୍ମଚାରୀଙ୍କୁ ଅଭିଯୋଗ କରିଥିଲା ଯେ, ତା ହାତରେ ବନ୍ଧା ହୋଇଥିବା ହାତକଡି ଅତ୍ୟନ୍ତ ଟାଇଟ୍ ହୋଇରହିଛି । ଏହା ପରେ ପୋଲିସ କର୍ମଚାରୀ ତା ହାତରୁ ହାତକଡି ଖୋଲିବା ମାତ୍ରେ ଚମ୍ପଟ୍ ମାରିଥିଲା ଏଲେନ୍ । ପାଖରେ ଥିବା ଜାତୀୟ ରାଜପଥକୁ ଯାଇ ସେ ଜଣେ ଡ୍ରାଇଭରଙ୍କୁ ଲିଫ୍ଟ ମାଗିଥିଲା । କିନ୍ତୁ ଲିଫ୍ଟ ଦେଇଥିବା ସେହି ଡ୍ରାଇଭର ଜଣଙ୍କ ଜଣେ ପୋଲିସ କର୍ମଚାରୀ ଥିଲେ ।

ଗୋଟିଏ ପଟେ ଏଲେନଙ୍କୁ ଧରିବା ପାଇଁ ଅପରେସନ କରାଯାଉଥିଲା ଆଉ ଅନ୍ୟ ପଟେ ପୋଲିସ କର୍ମଚାରୀଙ୍କୁ ଲିଫ୍ଟ ମାଗି ଏଲେନ୍ ନିଜେ ହିଁ ଆଉ ଥରେ ଜେଲ ପରିସରକୁ ଚାଲିଆସିଥିଲେ । କଏଦୀ ଜଣଙ୍କୁ ପ୍ରଥମରୁ ଲାଗିଥିଲା ଯେ, ସେ ଲିଫ୍ଟ ପାଇଯାଇଛନ୍ତି, ଆଉ ଜେଲରୁ ଫେରାର ହେବାରେ ସେ ସଫଳ ହୋଇଛନ୍ତି । କିନ୍ତୁ ପୋଲିସ କର୍ମଚାରୀ ଜଣଙ୍କ ତାଙ୍କୁ ଆଉ ଥରେ ଜେଲ୍ ପରିସରକୁ ନେଇ ଆସିଥିଲେ । ଏହା ସହ ଏଲେନ୍ ଉପରେ ଜେଲରୁ ଫେରାର ହେବାର ମାମଲା ମଧ୍ୟ ଦାୟର କରାଯାଇଛି ।