ଫିଲ୍ମ ଷ୍ଟାଇଲରେ କେନ୍ଦ୍ରାପଡା ଜେଲରୁ କଏଦୀ ଚମ୍ପଟ ! ଗାମୁଛା ପକାଇ ୧୮ ଫୁଟର ପାଚେରୀ ଡ଼େଇଁ ଫେରାର ହେଲା ହତ୍ୟା ଅଭିଯୁକ୍ତ

24

କନକ ବ୍ୟୁରୋ : କେନ୍ଦ୍ରାପଡା ଉପକାରାଗାରରୁ ଫେରାର ହୋଇଗଲା ହତ୍ୟା ଅଭିଯୁକ୍ତ । ଗତକାଲି ସଂଧ୍ୟା ସମୟରେ ଜେଲ ପାଚେରୀ ଡେଇଁ ଅଭିଯୁକ୍ତ ରଙ୍ଗଧର ବିଶ୍ୱାଳ ଚମ୍ପଟ ମାରିଛି । ଏହି ଘଟଣା ଜଣା ପଡିବା ପରେ କେନ୍ଦ୍ରାପଡା ସଦର ଥାନାରେ ମାମଲା ରୁଜୁ ହେବା ସହ ରଙ୍ଗଧରକୁ ଧରିବାକୁ ଉଦ୍ୟମ ଆରମ୍ଭ କରିଛି ପୁଲିସ । ସେପଟେ ଦାୟିତ୍ୱରେ ଅବହେଳା ଯୋଗୁଁ ମୁଖ୍ୟ ୱାଡରଙ୍କ ସମେତ ୨ଜଣଙ୍କୁ ନିଲମ୍ବନ କରାଯାଇଛି ।

କେନ୍ଦ୍ରାପଡା ଉପକାରାଗାର । ସମୟ-ସଂଧ୍ୟା ୭ଟା ୩୦ । କେନ୍ଦ୍ରାପଡା ଜେଲ ଭିତରୁ ସୁଚିନ୍ତିତି ଢଙ୍ଗରେ ଚମ୍ପଟ ମାରିଥିଲା ହତ୍ୟା ଅଭିଯୁକ୍ତ ରଙ୍ଗଧର ପ୍ରଧାନ । ପୂରା ଫିଲ୍ମ ଷ୍ଟାଇଲରେ ଜେଲରୁ ଚମ୍ପଟ ମାରିଥିଲା ରଙ୍ଗଧର । ପ୍ରଥମେ ରଙ୍ଗଧର କିଛି ଗାମୁଛା ସହ କିଛି ଇଟାକୁ ବାନ୍ଧି ଥିଲା । ଏହାପରେ ସେ ଜେଲ ପାଚେରୀ ଉପରକୁ ଏହି ଗାମୁଛା ପକାଇ ଡିଆଁ ମାରିଥିଲା । ପ୍ରାୟ ୧୮ ଫୁଟର ପାଚେରୀ ଡେଇଁ ଫେରାର ମାରିଛି ହତ୍ୟା ଅଭିଯୁକ୍ତ । ସବୁଠାରୁ ବଡ କଥା ହେଉଛି ରଙ୍ଗଧର ଜେଲର ଯେଉଁ ଅଂଚଳରୁ ଚମ୍ପଟ ମାରିଛି ସେହି ଅଂଚଳରେ ସିସିଟିଭି କାମ କରୁ ନଥିବା ଜଣା ପଡିଛି ।

ମିଳିଥିବା ସୂଚନା ଅନୁସାରେ ୨୦୧୪ରେ ଏକ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ହେଉଛି ରଙ୍ଗଧର । ତେବେ ସେ ଜେଲ ଭିତରେ ରୋଷେୟା ଭାବେ କାମ କରୁଥିଲା । ଏଣୁ ସମସ୍ତ କଏଦି ସେଲ ଭିତରକୁ ଯିବାପରେ ସେ ଯାଇଥାଏ । ଶନିବାର ଦିନ ମଧ୍ୟ ରୋଷେଇ ଶେଷ କରି ସବୁ କଏଦିଙ୍କୁ ଖାଇବାକୁ ଦେବା ପରେ ସେ ଚମ୍ପଟ ମାରିଥିବା ଜଣା ପଡିଛି । ଘଟଣା ସାମ୍ନାକୁ ଆସିବା ପରେ ଜେଲ ଏଡିଜି କେନ୍ଦ୍ରାପଡା ଉପକାରାଗାର ଯାଇ ସୁରକ୍ଷା ଯାଁଚ କରିଛନ୍ତି । ଏମିତିକି ଡଗ ସ୍କ୍ୱାଡ ଓ ସାଇଂଟିଫିକ ଟିମ ମଧ୍ୟ ଜେଲ ପରିସରରେ ତଦନ୍ତ କରିଛନ୍ତି ।

କେନ୍ଦ୍ରାପଡା କାରାଗାରରେ ୧୨୫ଜଣ କଏଦି ରହିବା ପାଇଁ ବନ୍ଦୋବସ୍ତ ଥିବା ବେଳେ ଏବେ ୪୦୦ରୁ ଅଧିକ କଏଦି ରହୁଛନ୍ତି । ଏଣୁ ସୁରକ୍ଷା ଦୃଷ୍ଟିରୁ ଏକ ଜଟିଳ ପରିସ୍ଥିିତ ସୃଷ୍ଟି ହୋଇଛି । ସେପଟେ ୱାଚ ଟାୱାରରେ ମୁତୟନ ସୁରକ୍ଷା କର୍ମୀ କେମିତି କିଛି ଜାଣି ପାରିଲେ ନାହିଁ ନା କୈାଣସି ଜେଲ କର୍ମଚାରୀଙ୍କ ସହଯୋଗରେ ହତ୍ୟା ଅଭିଯୁକ୍ତ ଚମ୍ପଟ ମାରିଲା ସେନେଇ ଏବେ ତଦନ୍ତ କରୁଛି ପୁଲିସ ।