୨୦୧୯ ପାଇଁ ଟିକେଟ ପାଇବା ଫର୍ମୁଲା କହିଲେ ନିରଞ୍ଜନ ! ଜିତିବା ସମ୍ଭାବନା ଥିବା ନେତାଙ୍କୁ ଦିଆଯିବ ପ୍ରାଥମିକତା ।

29
କନକ ବ୍ୟୁରୋ : ଯାହାର ଜିତିବାର କ୍ଷମତା ଥିବ, ଯାହା ହାତରେ ଭୋଟ ଥିବ, ୨୦୧୯ ସାଧାରଣ ନିର୍ବାଚନରେ ତାକୁ ମିଳିବ ଟିକେଟ୍ । ରାଜ୍ୟ କଂଗ୍ରେସରେ ‘ୱାନ ମ୍ୟାନ ୱାନ ପୋଷ୍ଟ’କୁ ନେଇ ଲାଗିରହିଥିବା ଦ୍ୱନ୍ଦ୍ୱ ଭିତରେ ଏଭଳି ସ୍ପଷ୍ଟୀକରଣ ରଖିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ । ଗତକାଲି ଟିକେଟକୁ ନେଇ ଦଳର ବରିଷ୍ଠ ନେତା ସୁର ରାଉତରାୟ ପ୍ରଶ୍ନ ଉଠାଇଥିଲେ । ଆଜି ନିରଂଜନ ରଖିଛନ୍ତି ତାର ସ୍ପଷ୍ଟୀକରଣ । ଏହା ସହିତ ତ୍ରୁଣମୂଳ ସ୍ତରର ନେତା ଏବଂ ଯୁବକ ଓ ମହିଳାମାନଙ୍କୁ ପ୍ରାଥମିକତା ଦିଆଯିବ ବୋଲି କହିଛନ୍ତି ନିରଞ୍ଜନ ।
୨୦୧୯ ସାଧାରଣ ନିର୍ବାଚନରେ ଟିକଟ ବଂଟନ ବେଳେ ମୁଖ୍ୟତଃ ୩ଟି ବିଷୟକୁ ଗୁରୁତ୍ୱ ଦିଆଯିବ । ଦଳ ପାଇଁ ଯିଏ ବିଜୟ ଆଣିବ, ଜଣାଶୁଣା ମୁହଁ ତଥା ତ୍ରୁଣମୂଳସ୍ତରର ନେତା ଏବଂ ଯୁବକ ଓ ମହିଳାମାନଙ୍କୁ ପ୍ରାଥମିକତା ଦିଆଯିବ ବୋଲି ପିସିସି ସଭାପତି କହିଛନ୍ତି । ଏଥିସହ ଦଳର ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ ଦାୟିତ୍ୱରେ ଥିବା ନେତାମାନଙ୍କୁ ମଧ୍ୟ ଟିକେଟ ମିଳିବାରେ କିଛି ଅସୁବିଧା ହେବ ନାହିଁ ।
କଂଗ୍ରେସର ସାଂଗଠନିକ ପୁନର୍ବିନ୍ୟାସ ପରବର୍ତୀ ପର୍ଯ୍ୟାୟରେ ଦଳ ଭିତରେ ସୃଷ୍ଟି ହୋଇଥିଲା ଅସନ୍ତୋଷ । ପୁରୁଖା ନେତା ଯାହାଙ୍କୁ ସଂଗଠନ ଦାୟିତ୍ୱ ମିଳିଥିଲା, ସେମାନେ ୨୦୧୯ରେ ଟିକେଟ ପାଇବେ କି ନାହିିଁ ସେନେଇ ସନ୍ଦିହାନ ହୋଇଥିଲେ । ମୂଳରୁ ପ୍ରଶ୍ନ ଉଠାଇଥିଲେ ସୁର ରାଉତରାୟ, ପରେ ପରେ ଅନ୍ୟନେତା ସ୍ୱର ମିଳାଇଥିଲେ । ଏପରିକି କଂଗ୍ରେସ ନେତା ଭକ୍ତ ଦାସ ମଧ୍ୟ ‘ୱାନ ମ୍ୟାନ ୱାନ ପୋଷ୍ଟ’କୁ ସମର୍ଥନ କରିନଥିଲେ । ଏବେ ନିରଞ୍ଜନଙ୍କ ସ୍ପଷ୍ଟୀକରଣ କଂଗ୍ରେସ ନେତାଙ୍କ ମଧ୍ୟରେ ଟିକେଟ ପାଇବାକୁ ନେଇ ଥିବା ବିବାଦରେ ପୂର୍ଣ୍ଣଛେଦ ପକାଇଛି ।
ତେବେ ପିସିସି ସଭାପତି ସ୍ଥିତି ସ୍ପଷ୍ଟ କରିବା ସହ ୨୦୧୯ ପାଇଁ ଟିକେଟ ବାଣ୍ଟିବାର ବିଗୁଲ ବଜାଇଛନ୍ତି । ଦାୟିତ୍ୱ ନେବା ଦିନ ନିରଂଜନ କହିଥିଲେ, ନିର୍ବାଚନର ବହୁ ପୂର୍ବରୁ ଦଳ ନେତାଙ୍କୁ ଟିକେଟ ପ୍ରଦାନ କରିବେ । ଫଳରେ ଲଢିବାକୁ ସମୟ ସହ ନିଜ ସଂଗଠନ କରିବାକୁ ନେତାଙ୍କ ହାତରେ ସମୟ ରହିବ । ଆଉ ନିରଂଜନଙ୍କ ଘୋଷଣା ପରେ ଅଗଷ୍ଟ ମାସ ଶେଷ ଉପରେ ସମସ୍ତଙ୍କ ନଜର ରହିବ ।