ବଜାରକୁ ଆଉ ୨ହଜାର ଟଙ୍କିଆ ନୋଟ ଛାଡୁନାହିଁ ଭାରତୀୟ ରିଜର୍ଭ ବ୍ୟାଙ୍କ ! ଏସବିଆଇ ରିପୋର୍ଟ

28

କନକ ବ୍ୟୁରୋ : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଦୁଇ ହଜାର ଟଙ୍କିଆ ଛପାଇବା ବନ୍ଦ କରିପାରେ ବୋଲି ଏସବିଆଇର ଏକ ରିପୋର୍ଟରେ ଆକଳନ କରାଯାଇଛି । ଏଥିରେ କୁହାଯାଇଛି ଯେ ହୁଏତ ରିଜର୍ଭ ବ୍ୟାଙ୍କ ଯେତିକି ଦୁଇ ହଜାର ଟଙ୍କିଆ ଛପାଇଛି ତାହା ଆଉ ବଜାରକୁ ଛାଡ଼ିବ ନାହିଁ । ଏହା ଏହି ବଡ଼ ନୋଟ୍ ଛପାଇବା ବନ୍ଦ କରିହେବ । ନିକଟରେ ଲୋକସଭାରେ ଅର୍ଥ ମନ୍ତ୍ରଣାଳୟ ଏକ ରିପୋର୍ଟ ଉପସ୍ଥାପନ କରି ଜଣାଇଛି ଯେ ଡିସେମ୍ବର ୮ ସୁଦ୍ଧା ରିଜର୍ଭ ବ୍ୟାଙ୍କ ପକ୍ଷରୁ ୧୬,୯୫୭ ନିୟୁତ ଖଣ୍ଡ ୫୦୦ ଟଙ୍କିଆ ନୋଟ୍ ଏବଂ ୩୬୫୪ ନିୟୁତ ଖଣ୍ଡ ଦୁଇ ହଜାର ଟଙ୍କିଆ ନୋଟ୍ ଛପାଯାଇଥିଲା । ଛପା ହୋଇଥିବା ଏହି ଉଭୟ ପ୍ରକାର ନୋଟର ମୂଲ୍ୟ ହେଉଛି ୧୫,୭୮,୭୦୦ କୋଟି ଟଙ୍କା ।

ଆରବିଆଇ ଯେତିକି ପରିମାଣର ବଡ଼ ନୋଟ୍ ଛପାଇଛି ସେସବୁ ନୋଟକୁ ବଜାରକୁ ଛାଡ଼ିନାହିଁ । କାରଣ ଡିସେମ୍ବର ୮ରେ ବଜାରରେ ପ୍ରଚଳନରେ ଥିବା ବଡ଼ ନୋଟ୍ ପରିମାଣ ହେଉଛି ୧୩,୩୨,୪୦୦ କୋଟି ଟଙ୍କା । ଛପା ହୋଇଥିବା ବଡ଼ ନୋଟ୍ ମୂଲ୍ୟରୁ ଯଦି ପ୍ରଚଳନରେ ଥିବା ମୋଟ ନୋଟ୍ ମୂଲ୍ୟକୁ ବିଯୁକ୍ତ କରାଯିବ ତେବେ ୨୪୬୩୦ କୋଟି ଟଙ୍କାର ନୋଟ୍ ଆରବିଆଇ ନିଜ ପାଖରେ ରଖି ଦେଇଛି ବୋଲି ସ୍ପଷ୍ଟ ଭାବେ ଜଣାପଡୁଛି । ଏହି ନୋଟଗୁ ଡ଼ିକୁ ଆରବିଆଇ ବଜାରକୁ ଛାଡ଼ିନାହିଁ । ଏସବିଆଇର ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ସୌମ୍ୟକାନ୍ତି ଘୋଷ କହିଛନ୍ତି ଯେ ଏହି ସବୁ ନୋଟ ଡ଼ିକୁ ରିଜର୍ଭ ବ୍ୟାଙ୍କ ଛପାଇଥିଲେ ମଧ୍ୟ ତାହା ବଜାରକୁ ଛାଡ଼ିନାହିଁ ।

ଏସ୍ବିଆଇ ଏହାର ଇକୋଫ୍ଲାସ୍ ରିପୋର୍ଟରେ କହିଛି ଯେ ଯେହେତୁ ଦୁଇ ହଜାର ଟଙ୍କିଆ ନୋଟକୁ ନେଇ କାରବାର କରିବା ସହଜ ନୁହେଁ, ସେଥିପାଇଁ ଜାଣିଶୁଣି ରିଜର୍ଭ ବ୍ୟାଙ୍କ ୨୦୦୦ ଟଙ୍କିଆ ନୋଟ୍ କମ୍ ଛପାଇଥିବ । ବିମୁଦ୍ରାକରଣ ପରେ ଟଙ୍କାକୁ ନେଇ ସୃଷ୍ଟି ହୋଇଥିବା ଅଭାବ ପୂରଣ କରିବା ପାଇଁ ଅଧିକ ଦୁଇ ହଜାର ଟଙ୍କିଆ ଛପା ଯାଇଥିଲା । ଏହା ପରେ ରିଜର୍ଭ ବ୍ୟାଙ୍କ ଏତେ ବଡ଼ ନୋଟ୍ ଛପାଇବାକୁ ଉଚିତ ମଣିନଥିବ । ଏହା ପରେ ଛୋଟ ନୋଟ୍ ଛପାଇବା ଉପରେ ରିଜର୍ଭ ବ୍ୟାଙ୍କ ଅଧିକ ଗୁରୁତ୍ୱ ଦେଇଥାଇପାରେ ବୋଲି ରିପୋର୍ଟରେ କୁହାଯାଇଛି ।