ଅଫିସର ବନିଲେ ନେତା! ବିଜେଡିରେ ଯୋଗଦେଲେ ପ୍ରିନସପାଲ ଆକାଉଣ୍ଟାଟ ଜେନେରାଲ ଅମର ପଟ୍ଟନାୟକ, କହିଲେ ନବୀନଙ୍କ ନେତୃତ୍ୱରେ ଓଡିଶା ହେବ ଦେଶରେ ନମ୍ବର ୱାନ

61

କନକ ବ୍ୟୁରୋ : ପ୍ରିନସିପାଲ ଆକାଉଂଟାଟ ଜେନେରାଲ ଅମର ପଟ୍ଟନାୟକ ଆଜି ବିଜେଡିରେ ଯୋଗଦେଇଛନ୍ତି । ତାଙ୍କୁ ବିଜେଡି ଦଳର ଆଇଟି ସେଲ ମୁଖ୍ୟ ଭାବେ ଦାୟିତ୍ୱ ଦିଆଯାଇଛି । ଦିନେ ସରକାରଙ୍କ ବିଭିନ୍ନ ବିଭାଗର ଦୋଷ ତ୍ରୁଟି ବାହାର କରୁଥିଲେ, ଆଉ ଆଜି ସାମିଲ ହୋଇଛନ୍ତି ପ୍ରତ୍ୟକ୍ଷ ରାଜନୀତିରେ । ନବୀନ ହିଁ ଜଣେ ନେତା ଯିଏ ଓଡିଶାକୁ ଦେଶର ପ୍ରଥମ ସ୍ଥାନକୁ ନେଇପାରିବେ ବୋଲି ଅମର କହିଛନ୍ତି ।

ବରିଷ୍ଠ ଅଧିକାରୀ ତଥା ପ୍ରିନସପାଲ ଆକାଉଣ୍ଟାଟ ଜେନେରାଲ୍ ଅମର ପଟ୍ଟନାୟକ ଯୋଗ ଦେଇଛନ୍ତି ବିଜେଡିରେ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନବୀନ ନିବାସରେ ହୋଇଥିଲା ଏହି ମିଶ୍ରଣ ପର୍ବ । ଦିନେ ସରକାରଙ୍କ ବିଭିନ୍ନ ବିଭାଗର ଦୋଷ ତ୍ରୁଟି ବାହାର କରୁଥିଲେ, ଆଜି ସାମିଲ ହୋଇଛନ୍ତି ପ୍ରତ୍ୟକ୍ଷ ରାଜନୀତିରେ । ବିଜେଡିରେ ଯୋଗ ଦେବା ପରେ ଅମରଙ୍କୁ ଦଳର ଆଇଟି ସେଲର ମୁଖ୍ୟ ଭାବେ ଦାୟିତ୍ୱ ଦିଆଯାଇଛି । ଏହି ଅବସରରେ ଅମର କହିଛନ୍ତି ନବୀନ ହିଁ ଜଣେ ନେତା, ଯିଏ ଓଡିଶାକୁ ଦେଶର ପ୍ରଥମ ସ୍ଥାନକୁ ନେଇପାରିବେ । ସ୍ୱର୍ଗତ ବିଜୁ ପଟ୍ଟନାୟକ ତାଙ୍କର ଆଦର୍ଶ ଥିଲେ ବୋଲି ମଧ୍ୟ କହିଛନ୍ତି ଅମର । ବିଜେଡିର ବରିଷ୍ଠ ନେତାଙ୍କ କହିବା କଥା, ଦଳ ପାଇଁ ସେ ଆସେଟ ହେବେ ।

ସିକିମ, ଓଡିଶା, କେରଳ ଏବଂ ପଶ୍ଚିମବଙ୍ଗରେ ଆକାଉଣ୍ଟଟାଟ ଜେନେରାଲ ଭାବେ କାମ କରିଥିବା ଅମର ୯ବର୍ଷ ଚାକିରି ଥାଇ ଭିଆରଏସ ନେଇ ରାଜନୀତିକୁ ଓହ୍ଲାଇଛନ୍ତି । ତେବେ ଓଡିଶାରେ ୪ ବର୍ଷର କାର୍ଯ୍ୟକାଳ ଭିତରେ କେତେକ ଘଟଣାରେ ବେଶ ଚର୍ଚ୍ଚାକୁ ଆସିଥିଲେ ଅମର । ୨୦୧୫ ମସିହାରେ ଇଚ୍ଛାଧୀନ କୋଟାରେ ଜମି ଆବଂଟନ ଦୁର୍ନୀତିର ପର୍ଦ୍ଦାଫାଶ କରିବାରେ ଥିଲା ତାଙ୍କର ପ୍ରମୁଖ ଭୂମିକା । ଅମରଙ୍କ ରିପୋର୍ଟ ଆଧାରରେ ରାଜ୍ୟ ସରକାର ଏକ ଟାସ୍କଫୋର୍ସ ଗଠନ କରିଥିଲେ । ଏହାକୁ ନେଇ ପ୍ରଶାସନିକ ଅଧିକାରୀମାନେ ଅମରଙ୍କ ବିରୋଧୀ ପାଲଟିଯାଇଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଥିଲା । କେବଳ ଏତିକି ନୁହେଁ ୨୦୦୯ରୁ ୨୦୧୫ ମସିହା ମଧ୍ୟରେ ଅଡିଟ୍ କରିବା ପାଇଁ ଶ୍ରୀଜଗନ୍ନାଥ ମନ୍ଦିରର ଆୟ ଏବଂ ବ୍ୟୟର ସମ୍ପୂର୍ଣ୍ଣ ତଥ୍ୟ ମାଗିଥିଲେ ଅମର । ଯାହାକୁ ନେଇ ବେଶ ଚର୍ଚ୍ଚାରେ ଥିଲେ ସେ ।

ରାଜ୍ୟବାସୀଙ୍କ ସେବା କରିବା ପାଇଁ ବିଜେଡିରେ ଯୋଗ ଦେଇଥିବା କହିଛନ୍ତି ଅମର । ତେବେ ତାଙ୍କ ଭଳି ଜଣେ ହିସାବ କିତାବରେ ମାହିର ଥିବା ପ୍ରଶାସନିକ ଅଧିକାରୀ କିପରି ରାଜନୀତିର ଗୋଲକ ଧନ୍ଦା ଭିତରେ ଆଗକୁ ଯାଉଛନ୍ତି, ତା ଉପରେ ସମସ୍ତଙ୍କ ନଜର ।