ଆଜିଠାରୁ ୩ ଦିନିଆ ଫିଲିପାଇନ୍ସ ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି! ଏସିଆ ଶିଖର ସମ୍ମିଳନୀରେ ହେବେ ସାମିଲ

27

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତିନି ଦିନିଆ ବିଦେଶ ଗସ୍ତରେ ଫିଲିପାଇନ୍ସ ଯାଇଛନ୍ତି । ଫିଲିପାଇନ୍ସରେ ଏସିଆନ-ଭାରତ ଓ ପୂର୍ବ ଏସିଆ ଶିଖର ସମ୍ମିଳନୀରେ ସେ ସାମିଲ ହେବେ । ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଫିଲିପାଇନ୍ସ ଓ ଭାରତ ମଧ୍ୟରେ ଦ୍ୱିପାକ୍ଷିକ ସଂପର୍କକୁ ଆହୁରି ମଜବୁତ କରିବ ବୋଲି ଆଶା କରାଯାଉଛି । ତିନି ଦିନିଆ ଗସ୍ତ ଅବସରରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିବେ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ୧୨ତମ ଏସିଆ ଶିଖର ସମ୍ମିଳନୀରେ ସାମିଲ ହେବେ ।

ଏହି ବୈଠକର ଉଦ୍ଦେଶ୍ୟ ଏସିଆ-ପେସିଫିକ ଦେଶ ସମୂହଙ୍କ ମଧ୍ୟରେ ବେପାର-ନିବେଶ, ବିଜ୍ଞାନ-ବୈଷୟିକ ଜ୍ଞାନକୌଶଳ, ସୂଚନା ଆଦାନ ପ୍ରଦାନ ସହ ବ୍ୟବସାୟ ବଢାଇବା । ଏସିଆ-ପେସିଫିକ ସମ୍ମିଳନୀରେ ନରେନ୍ଦ୍ର ମୋଦି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରଂପ, ଜାପାନ ପ୍ରଧାନମନ୍ତ୍ରୀ ସିଂଜୋ ଆବେ ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମୈଲକମ ଟର୍ନବୁଲଙ୍କ ସହ ସାକ୍ଷାତ ଆଲୋଚନା କରିପାରନ୍ତି । ପ୍ରଧାନମନ୍ତ୍ରୀ ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ଦ୍ୱିପାକ୍ଷିକ ଆଲୋଚନା କରିବା କାର୍ଯ୍ୟସୂଚୀ ରହିଛି । ତିନି ଦିନିଆ ଫିଲିପାଇନ୍ସ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଅନ୍ତର୍ଜାତୀୟ ଚାଉଳ ଅନୁସନ୍ଧାନ ସଂସ୍ଥାନ ପରିଦର୍ଶନ କରିବେ ବୋଲି ଜଣାପଡିଛି ।