ଶ୍ରୀଲଙ୍କା ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି : କଲମ୍ବୋ ବିମାନ ବନ୍ଦରରେ ରେଡ୍ କାର୍ପେଟରେ ସ୍ୱାଗତ କଲେ ଶ୍ରୀଲଙ୍କା ସରକାର, ଆତଙ୍କବାଦ ପ୍ରସଙ୍ଗରେ ଦୁଇ ଦେଶ ମଧ୍ୟରେ ହୋଇପାରେ ଆଲୋଚନା

136

କନକ ବ୍ୟୁରୋ : ଶ୍ରୀଲଙ୍କାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କଲମ୍ବୋ ଏୟାରପୋର୍ଟରେ ପ୍ରଧାନମନ୍ତ୍ରୀଙ୍କ ଭବ୍ୟ ସମ୍ବର୍ଦ୍ଧନା ହୋଇଛି । କଲମ୍ବୋ ବିମାନ ବନ୍ଦରରେ ରେଡ୍ କାର୍ପେଟରେ ଶ୍ରୀଲଙ୍କା ପ୍ରଧାନମମନ୍ତ୍ରୀ ରାନିଲ ବିକ୍ରମ ସିଂ ମୋଦିଙ୍କୁ ସ୍ୱାଗତ କରିଛନ୍ତି । ଇଷ୍ଟର ସନଡେ ହୋଇଥିବା ସିରିଜ ବିସ୍ଫୋରଣ ପରେ ପ୍ରଥମ ବିଦେଶୀ ନେତା ଭାବେ ଶ୍ରୀଲଙ୍କାକୁ ଯାଇଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ମୋଦିଙ୍କର ଏହା ତୃତୀୟ ଶ୍ରୀଲଙ୍କା ଗସ୍ତ । ପୂର୍ବରୁ ୨୦୧୫ ଓ ୨୦୧୭ରେ ମଧ୍ୟ ଶ୍ରୀଲଙ୍କା ଗସ୍ତରେ ଯାଇଥିଲେ ପ୍ରଧାନମନ୍ତ୍ରୀ ।

ସକାଳ ୧୧ଟାରେ ଏୟାରପୋର୍ଟରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ । ଗସ୍ତ ଅବସରରେ ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରିପାଲି ସିରିସେନାଙ୍କ ସହ ସାକ୍ଷାତ କରିବେ ମୋଦି । ଏହି ଅବସରରେ ବହୁ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଚର୍ଚ୍ଚା ହେବାର କାର୍ଯ୍ୟକ୍ରମ ରହିଛି । ଆତଙ୍କବାଦ ପ୍ରସଙ୍ଗରେ ଦୁଇ ଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇପାରେ । ଅନ୍ୟପଟେ ଦିଲ୍ଲୀରେ ଥିବା ଶ୍ରୀଲଙ୍କା ହାଇକମିସନ ଅଷ୍ଟିନ ଫର୍ଣ୍ଣାଣ୍ଡୋ କହିଛନ୍ତି, ମୋଦିଙ୍କ ଗସ୍ତ ସୂଚାଉଛି, ଟ୍ରାଭେଲ ପାଇଁ ଶ୍ରୀଲଙ୍କା ସେଫ ଜୋନ୍ । ତେଣୁ ଭାରତର ସରକାର ନିଜ ନାଗରିକଙ୍କୁ ଶ୍ରୀଲଙ୍କାକୁ ନ ଯିବା ପାଇଁ ଜାରି କରିଥିବା ଟ୍ରାଭେଲ ଆଡଭାଇଜରିକୁ ହଟାଇନେବାକୁ ଶ୍ରୀଲଙ୍କା ହାଇକମିସନ ଅଷ୍ଟିନ ଫର୍ଣ୍ଣାଣ୍ଡୋ ଅପିଲ କରିଛନ୍ତି ।