ଆଜି ପୁଣି ମିଶନ ଗୁଜରାଟରେ ପ୍ରଧାନମନ୍ତ୍ରୀ ! ସେପଟେ ବିରୋଧୀଙ୍କୁ ଏକଜୁଟ କରିବାକୁ କଂଗ୍ରେସର ରଣନୀତି ଜୋରଦାର

43

କନକ ବ୍ୟୁରୋ: ଗୁଜରାଟ ନିର୍ବାଚନ ପାଇଁ ପାଣିପାଗ ସରଗରମ ହୋଇଛି । ଆଜି ପୁଣିଥରେ ଗୁଜରାଟ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୁଜରାଟରେ ନିର୍ବାଚନୀ ବାତାବରଣ ସରଗରମ ହୋଇଥିବା ବେଳେ ମୋଦି ପୁଣିଥରେ ଯିବେ ପ୍ରଚାରରେ । ଗୋଟିଏ ମାସରେ ମୋଦିଙ୍କର ଏହା ହେବ ତୃତୀୟ ଗୁଜରାଟ ଗସ୍ତ ।

ଆଜି ବଡୋଦରା ଓ ଭାବନଗରରେ ଆୟୋଜିତ ବିଭିନ୍ନ ଶିଳନ୍ୟାସ କାଯ୍ୟକ୍ରମରେ ଯୋଗ ଦେବେ ମୋଦି । ଭାବନଗର ଜିଲ୍ଲାରେ ନିର୍ମିତ ହୋଇଥିବା ୬୧୫ କୋଟି ବଜେଟର ରୋଲ ଅନ ରୋଲ ଅଫର ପ୍ରୋଜେକ୍ଟ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ପରେ ସେଠାରେ ବିଶାଳ ଜନସଭାକୁ ସମ୍ବୋଧିତ କରିବେ ମୋଦି । ନିର୍ବାଚନୀ ଦୃଷ୍ଟିକୋଣରୁ ଗୁଜରାଟ୍ ମୋଦିଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବା ବେଳେ ବିଜେପି ପ୍ରାଣମୁର୍ଚ୍ଛା ଚେଷ୍ଟା ଜାରି ରଖିଛି ବାଜି ଜିତିବାକୁ ।

ସେପଟେ, ଆଗାମୀ ଗୁଜରାଟ ନିର୍ବାଚନ ପାଇଁ ଗୋଟି ଚାଳନା କରିଛି କଂଗ୍ରେସ । ପଟ୍ଟିଦାର ସମୁଦାୟ ସମେତ ବିଜେପି ବିରୋଧୀ ନେତାଙ୍କୁ ମିଳିତ ସାମ୍ମୁଖ୍ୟ ପାଇଁ କଂଗ୍ରେସ ନିମନ୍ତ୍ରଣ କରିଛି । ଚର୍ଚ୍ଚା ହେଉଛି ଯାହା ମୋଦିଙ୍କ ଗଡରେ ବିଜେପିର ନିର୍ବାଚନ ଗଣିତକୁ ଓଲଟପାଲଟ କରିଦେବ । ବିଜେପି ବିରୋଧୀ ନେତାଙ୍କ ସହ ରାଜ୍ୟ କଂଗ୍ରେସ ସଭାପତି ଭରତ ସିଂ ସୋଲାଙ୍କି ମିଳିତ ସାମ୍ମୁଖ୍ୟ ଗଠନ ପାଇଁ ଆଲୋଚନା କରୁଥିବା କହିଛନ୍ତି ।

ପଟେଲ ଆନ୍ଦୋଳନର ମୁଖ୍ୟ ହାର୍ଦ୍ଦିକ ପଟେଲ, ଦଳିତ ନେତା ଅଲପେଶ ଠାକୁର ଓ ଦୁର୍ନୀତି ବିରୋଧରେ ଲଢେଇ କରୁଥିବା ଜିଗ୍ନେଶ ଠାକୁର କଂଗ୍ରେସରେ ମିଶି ସାମ୍ମୁଖ୍ୟ ଗଢିବା ସମ୍ଭାବନା ରହିଛି । ଗତକାଲି କଂଗ୍ରେସ ନେତାଙ୍କ ସହ ଅଲପେଶ ଓ ଜିଗ୍ନେଶ ଦିଲ୍ଲୀରେ ରାହୁଲ ଗାନ୍ଧୀଙ୍କୁ ଭେଟି ଆଲୋଚନା କରିଛନ୍ତି । ଯାହା ମିଳିତ ସାମ୍ମୁଖ୍ୟ ଗଠନର ଚର୍ଚ୍ଚାକୁ ଯୋର କରିଛି । ଅନ୍ୟପଟେ ପଟେଲ ନେତା ହାର୍ଦ୍ଦିକ ପଟେଲ କହିଛନ୍ତି ସେ ନିର୍ବାଚନ ଲଢିବେ ନାହିଁ, ହେଲେ ନ୍ୟାୟ ଓ ହକ୍ ପାଇଁ ଲଢେଇ କରିବେ ।