ଦୀର୍ଘ ୩୪ ବର୍ଷ ପରେ ବଦଳିଲା ବିଜେପିର ଠିକଣା ! ଦେଶର ସବୁଠାରୁ ବଡ ପାର୍ଟିକୁ ଆଜି ମିଳିଲା ନୂଆ ଅଫିସ

43

କନକ ବ୍ୟୁରୋ: ବଦଳିଲା ବିଜେପିର ଠିକଣା । ଦେଶର ସବୁଠାରୁ ବଡ ପାର୍ଟି ବିଜେପିକୁ ଆଜି ମିଳିଛି ନୂଆ ଅଫିସ । ୩୪ ବର୍ଷ ପରେ ବଦଳିବାକୁ ଯାଉଛି ବିଜେପିର ଠିକଣା । ଆଜି ବିଜେପିର ନୂଆ ଅଫିସକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଶୋକ ରୋଡ ବଦଳରେ ବିଜେପିର ନୂଆ ଅଫିସ ହେବ ୬ ଦୀନଦୟାଲ ଉପାଧ୍ୟାୟ ମାର୍ଗ । ବିଜେପିର ପୁୁରୁଣା ଅଫିସ ୧୧ ଅଶୋକ ରୋଡକୁ ଖାଲି କରିଦିଆଯାଇଛି ।

ସମାରୋହରେ ଅମିତ ଶାହ କହିଥିଲେ- ଦେଶର ଏହା ହେଉଛି ସବୁଠାରୁ ବଡ ପାର୍ଟି ଅଫିସ । ଏହି ଅଫିସରେ ସବୁପ୍ରକାରର ସୁବିଧା ରହିଛି । ଆଗାମୀ ଏକବର୍ଷ ମଧ୍ୟରେ ଦେଶର ସବୁ ଜିଲ୍ଲାରେ ବିଜେପିର ଏଭଳି ପାର୍ଟି ଅଫିସ ହେବ । ଏହାଦ୍ୱାରା ଦେଶସାରା ସବୁ ଦଳୀୟ କାମ ସହଜ ହେବ । ଏହି ଅବସରରେ ମୋଦିଙ୍କ କାମକୁ ପ୍ରଶଂସା କରିଥିଲେ ଅମିତ ଶାହ । ଉଦଘାଟନ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନି ପ୍ରମୁଖ ଉପସ୍ଥିତ ଥିଲେ ।

ଦିଲ୍ଲୀର ୬ ଦୀନଦୟାଲ ଉପାଧ୍ୟାୟ ମାର୍ଗରେ ଥିବା ବିଜେପିର ନୂଆ ଅଫିସରେ ସବୁପ୍ରକାରର ସୁବିଧା ସୁଯୋଗ ରହିଛି । ୮ ହଜାର ବର୍ଗ ମିଟର ଜମି ଉପରେ ବିଜେପିର ଏହି ଅଫିସ ତିଆରି ହୋଇଛି । ଏହାକୁ ତିଆରି କରିବାକୁ ଲାଗିଛି ପ୍ରାୟ ଦେଢ ବର୍ଷ । ଏଥିରେ ୭୦ଟି କୋଠରୀ ରହିଛି । ବହୁତଳ ବିଶିଷ୍ଟ ଏହି ଅଫିସରେ ୩ଟି ବ୍ଲକ ରହିଛି । ମୁଖ୍ୟ ଅଫିସ ସାତ ମହଲା ବିଶିଷ୍ଟ ହୋଇଛି । ଏହାର ଆଖପାଖରେ ଥିବା ଦୁଇଟି ବ୍ଲକ ୩ ମହଲା ବିଶିଷ୍ଟ ହୋଇଛି ।

ବିଜେପି ଅଫିସର ଗ୍ରାଉଣ୍ଡ ଫ୍ଲୋରରେ ବିଜେପି ଓ ଜନସଂଘ ସହିତ ଜଡିତ ମହାପୁରୁଷଙ୍କ ପ୍ରତିମୂର୍ତି ରହିଛି । ଗ୍ରାଉଣ୍ଡ ଫ୍ଲୋରରେ ବିଜେପିର ଆଠଜଣ ମୁଖପାତ୍ରଙ୍କ ପାଇଁ ଚାମ୍ବର ଅଛି । ମୁଖ୍ୟ ଅଫିସର ତୃତୀୟ ମହଲାରେ ରହିଛି ବିଜେପି ସଭାପତିଙ୍କ ଚାମ୍ବର । ଏହା ସହିତ ସଭାପତିଙ୍କ ପାଇଁ ଏକ ଦଳୀୟ ସଚିବାଳୟ ବି ରହିଛି । ଦ୍ୱିତୀୟ ମହଲାରେ ନେତା, ଉପସଭାପତି, ସଚିବ ଓ ମହାସଚିବ ବସିବା ବ୍ୟବସ୍ଥା ହୋଇଛି । ଗ୍ରାଉଣ୍ଡ ଫ୍ଲୋରରେ ରହିଛି ପ୍ରେସ କନଫରେନ୍ସ ହଲ୍ ।