୪ ବର୍ଷରେ ମୋଦିଙ୍କର ବଢିଛି ସମ୍ପତି ! ଜାଣନ୍ତୁ କେତେ ଟଙ୍କାର ମାଲିକ ମୋଦି ?

44

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖରେ ଅଛି କେତେ ସମ୍ପତି । ଏଭଳି ପ୍ରଶ୍ନ ଅନେକଙ୍କ ମନରେ ଉଙ୍କି ମାରେ । ତେବେ ପ୍ରଧାନମନ୍ତ୍ରୀଙ୍କ ପାଖରେ କେତେ ଟଙ୍କା ରହିଛି ତାହା ଏବେ ସାମ୍ନାକୁ ଆସିଛି । ଏପରିକି ପ୍ରଧାନମନ୍ତ୍ରୀ ହେବା ପରେ ୪ ବର୍ଷ ମଧ୍ୟରେ ମୋଦିଙ୍କର ସମ୍ପତି କେତେ ବଢିଛି ସେନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ସୋମବାର ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ଏବେ ମୋଦିଙ୍କ ନିକଟରେ ମୋଟ ୨.୨୮ କୋଟି ଟଙ୍କାର ସମ୍ପତି ରହିଛି । ତେବେ ୨୦୧୪ ତୁଳନାରେ ମୋଦିଙ୍କ ସମ୍ପତି ବଢିଛି । ୨୦୧୪ରେ ମୋଦିଙ୍କ ମୋଟ ସମ୍ପତିର ମୂଲ୍ୟ ଥିଲା ଦେଢ କୋଟି । ଆଉ ପ୍ରଧାନମନ୍ତ୍ରୀ ହେବାର ୪ ବର୍ଷ ମଧ୍ୟରେ ମୋଦିଙ୍କର ସମ୍ପତିରେ ୭୫ ଲକ୍ଷ ଟଙ୍କା ବୃଦ୍ଧି ହୋଇଛି । ୨୦୧୪ ନିର୍ବାଚନରେ ମୋଦି ଦାଖଲ କରିଥିବା ସତ୍ୟପାଠରେ ଉଲ୍ଲେଖ କରିଥିଲେ ଯେ, ତାଙ୍କ ନିକଟରେ ମୋଟ ୧ କୋଟି ୫୧ ଲକ୍ଷ ଟଙ୍କା ୫୭ ହଜାର ୫୮୨ ଟଙ୍କା ଥିଲା । କିନ୍ତୁ ଏବେ ୨.୨୮ କୋଟି ଟଙ୍କାରେ ପହଞ୍ଚିଛି ମୋଦିଙ୍କ ସମ୍ପତିର ମୂଲ୍ୟ ।

ସେହିଭଳି ୨୦୧୪ ନିର୍ବାଚନ ସମୟରେ ମୋଦିଙ୍କ ପାଖରେ ୨୯ ହଜାର ନଗଦ ଟଙ୍କା ଥିବା ବେଳେ ଏବେ ତାଙ୍କ ପାଖରେ ୪୮ ହଜାର ୯୪୪ ଟଙ୍କା ଅଛି । ୨୦୧୪ରେ ଡାକଘରେ ମୋଦିଙ୍କର ମୋଟ ଜମାରାଶି ଥିଲା ୪,୩୪,୦୩୧ ଟଙ୍କା । କିନ୍ତୁ ୪ ବର୍ଷ ପରେ ମୋଦିଙ୍କର ଏସବିଆଇ ବ୍ୟାଙ୍କ ଖାତାରେ ୧୧,୨୯,୬୯୦ ଟଙ୍କା ଅଛି । ଅନ୍ୟପଟେ ୨୦୧୪ରେ ମୋଦିଙ୍କର ଫିକ୍ସ ଡିପୋଜିଟ ବାବଦକୁ ୪୪,୨୩,୩୮୩ ଟଙ୍କା ରହିଥିଲା । କିନ୍ତୁ ପ୍ରଧାନମନ୍ତ୍ରୀ ହେବାର ୪ ବର୍ଷ ପରେ ଏହା ବୃଦ୍ଧି ପାଇ ୧,୦୭,୯୬,୨୮୮ ଟଙ୍କାରେ ପହଞ୍ଚିଛି । ତେବେ ଇନଫ୍ରାଷ୍ଟକଚର ବଣ୍ଡ ଡିପୋଜିଟ ରାଶିରେ କୌଣସି ବୃଦ୍ଧି ହୋଇନାହିଁ । ୨୦୧୪ରେ ଏହା ୨୦ ହଜାର ଥିବା ବେଳେ ୨୦୧୮ରେ ମଧ୍ୟ ଏହା ୨୦ ହଜାର ଟଙ୍କା ରହିଛି । ସେହିଭଳି ସୁନା ଗହଣା ଉପରେ ମାତ୍ର ୩ ହଜାର ଟଙ୍କା ବୃଦ୍ଧି ହୋଇଛି । ସେହିଭଳି ୨୦୧୪ରେ ସୁଧରେ ମିଳୁଥିବା ଟଙ୍କାରେ ମଧ୍ୟ ବୃଦ୍ଧି ହୋଇଛି । ୨୦୧୪ରେ ସୁଧ ବାବଦରେ ୧,୧୫,୪୬୮ ଟଙ୍କା ମିଳୁଥିବା ବେଳେ ଏବେ ଏଲଆଇସିରୁ ୧,୫୯,୨୮୧ ଟଙ୍କା ମିଳୁଛି ।

ଏସବୁ ଭିତରେ ସବୁଠୁ ବଡ କଥା ହେଉଛି, ମୋଦିଙ୍କ ନାଁରେ କୌଣସି ଦୁଇ ଚକିଆ କିମ୍ବା ଚାରି ଚକିଆ ଯାନ ନାହିଁ । ଏହାଛଡା ପ୍ରଧାନମନ୍ତ୍ରୀ ହେବା ପରେ ମୋଦି ଆଦୌ ସୁନା ଗହଣା କିଣିନାହାନ୍ତି । ପ୍ରଧାନମନ୍ତ୍ରୀଙ୍କ ମୋଟ ସମ୍ପତିରୁ ୧ କୋଟି ୨୮ ଲକ୍ଷ ଟଙ୍କାର ସ୍ଥାବର ସମ୍ପତି ଥିବା ବେଳେ ଗାନ୍ଧିନଗରରେ କିଛି ଅସ୍ଥାବର ସମ୍ପତି ରହିଛି । ଏହାଛଡା ୨୦୦୨ ମସିହାରେ ଏକ ଲକ୍ଷ ଟଙ୍କା ମୂଲ୍ୟର ଜମି ମଧ୍ୟ କିଣିଛନ୍ତି ମୋଦି ।