ସୁନା ଝିଅ ସୁନିତାଙ୍କ ସଂଘର୍ଷର କାହାଣୀ : ଟାଙ୍ଗରା ଭୂଇଁରୁ ଯାଇ ଅନ୍ତଃରାଜ୍ୟ ପଡିଆରେ ଚମକିଲେ ଝାରସୁଗୁଡାର ଆଦିବାସୀ ଝିଅ ସୁନିତା ମୁର୍ମୁ

134

କନକ ବ୍ୟୁରୋ : ଦୃଢ ଇଚ୍ଛା ଶକ୍ତି ଥିଲେ କିଛି କାମ ଅସାଧ୍ୟ ନୁହେଁ । ପ୍ରରିଶ୍ରମର ମୂଲ କେବେ ବୁଡି ନଥାଏ ।  ଝାରସୁଗୁଡ଼ା ର ଝିଅ ସୁନିତା ମୁର୍ମୁ ଆଜି ସୁନାମ ଅର୍ଜନ କରିପାରିଛନ୍ତି । କଠିନ ପରିଶ୍ରମ କରି ଝାରସୁଗୁଡ଼ାର ଝିଅ ସୁନିତା ମୁର୍ମୁ ଆଜି ସୁନାମ ଅର୍ଜନ କରିପାରିଛନ୍ତି । ଝାରସୁଗୁଡ଼ା ସହର ରେଲୱେ କୋଳନୀ ବାପା ଛେଉଣ୍ଡ ଝିଅ ସୁନିତା ମୁର୍ମୁ ଛୋଟ ସମୟରୁ କ୍ରିକେଟ ପ୍ରତି ଆଗ୍ରହ ଥିବା ବେଳେ ନିଜେ ପରିଶ୍ରମ କରି ଆଜି ଓଡିଶା ମହିଳା ଦଳ ତରଫରୁ କ୍ରିକେଟ ଖେଳି ଆଜି ଜିଲ୍ଲା ପାଇଁ ଆଣି ପାରିଛନ୍ତି ଗୌରବ।

ଝାରସୁଗୁଡା ଜିଲ୍ଲାର ଗର୍ବ ଆଉ ଗୌରବ ସୁନିତା ମୁର୍ମୁ । କେବଳ ଝାରସୁଗଡା କାହିଁକି ରାଜ୍ୟ ବାହାରେ କ୍ରିକେଟ ପଡିଆରେ ଓଡିଶାକୁ ପ୍ରତିନିଧିତ୍ୱ କରୁଛନ୍ତି । କ୍ରିକେଟ୍ ଅଲରାଣ୍ଡର ଝାରସୁଗୁଡାର ଆଦିବାସୀ ଝିଅ ସୁନିତା ମୁର୍ମୁ । ଗାଁ ପଡିଆରେ ପୁଅମାନଙ୍କ ସହ ମିଶି କ୍ରିକେଟ୍ ଅଭ୍ୟାସ କରୁଥିବା ସୁନିତା ହାତରେ ବ୍ୟାଟ ଧରିଲେ ବୋଲରଙ୍କ ଛାତି ଥରେ । ଆଉ ଯେତେବେଳେ ସେ ବୋଲିଂ ପାଇଁ ଆସନ୍ତି ବ୍ୟାଟ୍ସମ୍ୟାନଙ୍କ ଚିନ୍ତା ବଢିଯାଏ । କିନ୍ତୁ ଏଥିପାଇଁ ତାଙ୍କୁ କେତେ ସଂଘର୍ଷ କରିବାକୁ ପଡିଛି ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

୨୩ ବର୍ଷିୟ ସୁନିତା ଜୀବନରେ ଅନେକ ଉତ୍ଥାନ ପତନ ଦେଇ ଗତି କରିଛନ୍ତି । ଛୋଟ ବେଳୁ ବାପାଙ୍କୁ ହରାଇବା ପରେ ଆରମ୍ଭ ହୁଏ ସୁନିତାଙ୍କ ସଂଘର୍ଷପୂର୍ଣ୍ଣ ଯାତ୍ରା । ଘର ସାମ୍ନା ପଡିଆରେ ପୁଅ ପିଲାଙ୍କ ସହ ମିଶି କ୍ରିକେଟ୍ ଅଭ୍ୟାସ କରନ୍ତି ସୁନିତା । ଆଉ ତାଙ୍କ ଭଲ ପ୍ରଦର୍ଶନ କୋଚ୍ ସୋହନ ଦେବଙ୍କୁ ଆକୃଷ୍ଟ କରେ । ସେ ସୁନିତାଙ୍କୁ ଝାରସୁଗୁଡା ପ୍ରୋଗ୍ରେସିଭ୍ କ୍ରିକେଟ ଆସୋସିଏସନରେ ସାମିଲ କରାନ୍ତି । ବାସ୍ ଏହା ପରଠାରୁ ଆଉ ପଛକୁ ଫେରି ଚାହିଁନାହାନ୍ତି ସୁନା ଝିଅ ସୁନିତା । ଗୋଟିଏ ପରେ ଗୋଟିଏ ମ୍ୟାଚ ଖେଳି ସଫଳତା ସିଢି ଚଢନ୍ତି ସୁନିତା ।

– ୨୦୧୧ ମସିହାରୁ ସୁନିତାଙ୍କ ଖେଳ ଜୀବନ ଆରମ୍ଭ ହୁଏ ।
– ୨୦୧୩ ମସିହାରେ ୧୯ ବର୍ଷରୁ କମ୍ ଓଡି଼ଶା ଦଳରେ ସୁଯୋଗ ପାଇଥିଲେ ସୁନିତା ।
– ୨୦୧୫ ମସିହାରେ ୨୩ ବର୍ଷରୁ କମ୍ ଓଡି଼ଶା ଦଳରେ ପଡିଆରେ ଦମ ଦେଖାଇଥିଲେ ।
– ଚଳିତବର୍ଷ ପୂର୍ବାଂଚଳ ଦଳକୁ ପ୍ରତିନିଧିତ୍ୱ କରି ଟି-୨୦ ମ୍ୟାଚ୍ ଖେଳି ଫେରିଛନ୍ତି ଏହି ଓଡ଼ିଆ କ୍ରିକେଟ୍ ତାରକା ।

ସୁନିତାଙ୍କ ଏହି ସଫଳତା ଏବେ ଜିଲ୍ଲାର ଅନ୍ୟ ଝିଅମାନଙ୍କ ମନରେ କ୍ରିକେଟ୍ ଖେଳ ପତି ଆଗ୍ରହ ସୃଷ୍ଟି କରିଛି । ଆଗକୁ ଆହୁରି ଅନେକ ସୁନିତା ଝାରସୁଗୁଡାରୁ ବାହାରି ଦେଶ ଓ ରାଜ୍ୟର ନାଁ କରିବେ ବୋଲି କହିଛନ୍ତି ଝାରସୁଗୁଡା କ୍ରିକେଟ୍ ସଂଘ ସଭାପତି । ରାଜ୍ୟରେ କ୍ରିକେଟ୍ ପ୍ରଶିକ୍ଷଣ ପାଇଁ ଅଧିକ ପ୍ରୋତ୍ସାହନର ଆବଶ୍ୟକତା ଥିବା କହିଛନ୍ତି ସୁନିତା ମୁର୍ମୁ ।