ବଢିଲା ଅଣ୍ଡା ଦର ! ୭ ଟଙ୍କାରେ ପହଞ୍ଚିଲା ଅଣ୍ଡାର ଦାମ, ଗୋଟିଏ ସପ୍ତାହରେ ୨ ଥର ଦର ବୃଦ୍ଧି

9

କନକ ବ୍ୟୁରୋ : ରାଜ୍ୟରେ ଅଣ୍ଡା ଦର ୫ଟଙ୍କାରୁ ସିଧା ଲମ୍ଫ ମାରିଛି ୭ଟଙ୍କାକୁ। ଗୋଟିଏ ସପ୍ତାହରେ ଅଣ୍ଡା ଦରରେ ୨ଟଙ୍କା ବୃଦ୍ଧି ଘଟିଲାଣି। ରାଜ୍ୟ ସରକାରଙ୍କ ନିକଟରେ ଅଣ୍ଡା ଦର ନିୟନ୍ତ୍ରଣ ପାଇଁ କୌଣସି ବ୍ୟବସ୍ଥା ନ ଥିବାରୁ ରାଜ୍ୟରେ ମନଇଚ୍ଛା ଅଣ୍ଡା ଦର ବୃଦ୍ଧି ପାଉଛି। ଅଣ୍ଡା ପାଇଁ ଓଡ଼ିଶାକୁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଥିବାରୁ ଦର ମଧ୍ୟ ସେମାନେ ନିୟନ୍ତ୍ରଣ କରୁଛନ୍ତି। ଆସନ୍ତା କିଛିଦିନ ପାଇଁ ଅଣ୍ଡା ଦର କମିବ ନାହିଁ ବୋଲି ଓପୋଲଫେଡ୍ କର୍ତୃପକ୍ଷ ଆଶଙ୍କା କରୁଛନ୍ତି। ଅଣ୍ଡା ଦରରେ ଲଗାତାର ବୃଦ୍ଧି ଯୋଗୁଁ ଗ୍ରାହକ ମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

healthy-snacks-for-runnersରିପୋର୍ଟ ଅନୁଯାୟୀ, ରାଜ୍ୟରେ ଦିନକୁ ୭୦ଲକ୍ଷ ଅଣ୍ଡାର ଆବଶ୍ୟକତା ରହିଛି। ଏଥିରୁ ରାଜ୍ୟରେ ପ୍ରାୟ ୪୦ଲକ୍ଷ ଅଣ୍ଡା ଉତ୍ପାଦନ ହେଉଥିବାବେଳେ ଅବଶିଷ୍ଟ ୩୦/୩୫ଲକ୍ଷ ଅଣ୍ଡା ରାଜ୍ୟ ବାହାରୁ ଆସୁଛି। ବିଶେଷ କରି ଆନ୍ଧ୍ର, ତାମିଲନାଡ଼ୁ ଓ ରାୟପୁରରୁ ଅଣ୍ଡା ଓଡ଼ିଶାକୁ ଆସୁଛି। ଅଣ୍ଡା ଦର ନିୟନ୍ତ୍ରଣ ପାଇଁ ଦେଶରେ ଜାତୀୟ ଅଣ୍ଡା ସମନ୍ଵୟ ସମିତି ବା ଏନଇସିସି ସଂସ୍ଥା ରହିଛି। ଦେଶରେ ୧୭ଟି ସ୍ଥାନରେ ଏନଇସିସିର ଶାଖା କାର୍ଯ୍ୟାଳୟ ରହିଥିଲେ ହେଁ ଓଡ଼ିଶାର ଏହାର କୌଣସି ଶାଖା ନାହିଁ। ଫଳରେ ବିଜୟଓ୍ଵାଡାସ୍ଥିତ ଏନଇସିସି ଉପରେ ଓଡ଼ିଶାର ଅଣ୍ଡାର ଦର ନିର୍ଭର କରୁଛି। ତେବେ ଗତ କିଛିଦିନ ହେବ ଏନଇସିସି ପକ୍ଷରୁ ଅଣ୍ଡା ଦରରେ ବାରମ୍ବାର ମୁଲ୍ୟ ବୃଦ୍ଧି କରାଯାଇଛି। ଯାହାଫଳରେ ରାଜ୍ୟରେ ଅଣ୍ଡା ଦର ୭ଟଙ୍କାରେ ପହଞ୍ଚିଛି।

ଓପୋଲଫେଡର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ଅଣ୍ଡା ଦର ସବୁବେଳେ ସ୍ଥିର ନ ଥାଏ। ଅଣ୍ଡାର ଦର ଧାର୍ୟ୍ୟ କରିବା ପାଇଁ ଏନଇସିସି ରହିଛି। ଏନଇସିସି ପକ୍ଷରୁ ଧାର୍ୟ୍ୟ ଦର କରାଯିବା ପରେ ଏନଇସିସି ଦର ସହିତ ୨୭ ପଇସା ଅଧିକରେ ରାଜ୍ୟ ବାହାରୁ ଅଣ୍ଡା କିଣାଯାଇଥାଏ। ଓପୋଲଫେଡ୍ ପକ୍ଷରୁ ଅଣ୍ଡା କିଣାଯିବା ପରେ ଏଜେଣ୍ଟକୁ ୪୦ ପଇସା ଅଧିକ ଦରର ବିକ୍ରି କରାଯାଇଥାଏ। ଏନଇସିସି ବିଜୟଓ୍ଵାଡା ଉପରେ ଓଡ଼ିଶା ନିର୍ଭର କରୁଥିବାରୁ ସେଠାରେ ଧାର୍ଯ୍ୟ ଦରରେ ବୃଦ୍ଧି ହେଲେ ଓଡ଼ିଶାରେ ଅଣ୍ଡା ଦରରେ ଏହାର ପ୍ରଭାବ ପଡ଼ୁଛି। ୩ ଦିନ ତଳେ ଅଣ୍ଡା ଦରରେ ଏକାଥରରେ ୨୩ ପଇସା ବୃଦ୍ଧି ହୋଇଛି।

ଆନ୍ଧ୍ରରେ ଅଣ୍ଡା ଉତ୍ପାଦନ କମିଥିବାରୁ ଏହି ଦରବୃଦ୍ଧି ଘଟିଥିବା ସନ୍ଦେହ କରାଯାଉଛି। ତେବେ ନିର୍ଦ୍ଦିଷ୍ଟ କେଉଁ କାରଣ ପାଇଁ ଅଣ୍ଡା ଦରରେ ବୃଦ୍ଧି ହୋଇଛି ତାହା ଏନଇସିସି ପକ୍ଷରୁ ଏ ପର୍ୟ୍ୟନ୍ତ ସ୍ପଷ୍ଟ କରାଯାଇ ନାହିଁ। ରାଜ୍ୟ ସରକାରଙ୍କ ନିକଟରେ ମଧ୍ୟ ଅଣ୍ଡା ଦର ନିୟନ୍ତ୍ରଣ କରିବା ପାଇଁ କୌଣସି ନୀତି ମଧ୍ୟ ନାହିଁ। ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କୁ ଓପୋଲଫେଡ୍ ପକ୍ଷରୁ ଏକ ପ୍ରସ୍ତାବ ଦିଆଯାଇଛି। ଯଦି ରାଜ୍ୟ ସରକାର ଏହା ଉପରେ କୌଣସି ନିଷ୍ପତ୍ତି ନିଅନ୍ତି ତେବେ ଓପୋଲଫେଡ ଅଣ୍ଡା ଦର ନିୟନ୍ତ୍ରଣ ପାଇଁ ସୁଯୋଗ ମିଳିବ ବୋଲି ଅଧିକାରୀ ଜଣକ କହିଛନ୍ତି।

 

Comments are closed.