ନିର୍ଯାତନା ଅଭିଯୋଗ ଆଣିଥିବା ଅଭିନେତ୍ରୀ ଏଲସାଙ୍କ ୟୁଟର୍ଣ୍ଣ: କହିଲେ, ରାଗ ମୁଡରେ ଥିବାରୁ କରିଥିଲି ଅଭିଯୋଗ

ନାୟିକା ଓ ନିର୍ଦ୍ଦେଶକଙ୍କ ବିବାଦ ଘଟଣାରେ ନାଟକୀୟ ମୋଡ଼

171

କନକ ବ୍ୟୁରୋ: ଫିଲ୍ମ ପାର୍ଟିରେ ଝଡ ସୃଷ୍ଟି କରିଥିବା ବଙ୍ଗିୟ ଅଭିନେତ୍ରୀ ଏଲସା ଏବେ ମତ ବଦଳାଇଛନ୍ତି । କହିଛନ୍ତି ଅତ୍ୟଧିକ ରାଗର ବଶବର୍ତି ହୋଇ ସେ ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡାଙ୍କ ବିରୋଧରେ ମାନସିକ ନିର୍ଯ୍ୟାତନା ଅଭିଯୋଗ ଆଣିଥିଲେ । ଭୁଲ ବୁଝାମଣା ଯୋଗୁଁ ଏପରି ହୋଇଥିଲା । ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଏଲସା ଏହି ସଫେଇ ରଖିଛନ୍ତି । ଏବେ ପ୍ରଶ୍ନ ଉଠୁଛି ଏହି ୨ଦିନ ଭିତରେ ଏମିତି କଣ ହେଲା ଯେ ନାୟିକା ବନାମ ନିର୍ଦ୍ଦେଶକ ଝଡ ନିରବିଗଲା ।

ଦୁଇଦିନ ତଳେ ଏହି ବଙ୍ଗିୟ ନାୟିକା ଫିଲ୍ମ ‘ତୁ ମୋ ସୁନା ଚଢେଇ’ର ଅଡିଓ ରିଲିଜ ପାର୍ଟିରେ ହଙ୍ଗାମା କରିଥିଲେ । ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡାଙ୍କ ବିରୋଧରେ ଆଣିଥିଲେ ମାନସିକ ନିର୍ଯାତନା ଅଭିଯୋଗ । କିନ୍ତୁ ଆଜି ପ୍ରେସମିଟରେ କହିଛନ୍ତି ତାଙ୍କର କମ୍ପ୍ରମାଇଜ ହୋଇଯାଇଛି । ଭୁଲ ବୁଝାମଣାରୁ ଏପରି ହୋଇଥିବା କହିଛନ୍ତି ଏଲସା ।

ବଙ୍ଗିୟ ନାୟିକାଙ୍କୁ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ଓଲିଉଡରେ ଝଡ ସୃଷ୍ଟି କରିଥିଲା । କଣ ଚାଲିଛି ଓଲିଉଡ ଦୁନିଆରେ ସେନେଇ ଉଠିଥିଲା ପ୍ରଶ୍ନ । ଏପରିକି ଏଲସା ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆଇନର ଆଶ୍ରୟ ନେବେ ବୋଲି ସୋସିଆଲ ମିଡିଆରେ କହିଥିଲେ । କିନ୍ତୁ ଆଜି ସେହି ଝଡ ନିରବି ଯାଇଥିଲା । ହଠାତ ୟୁଟର୍ଣ୍ଣ ନେଇଛନ୍ତି ଏଲସା । ସାମ୍ବାଦିକ ସମ୍ମିଳନୀରେ ସବୁ ବିବାଦର ସମାଧାନ ହୋଇଯାଇଥିବା କଥା କହିଛନ୍ତି ।

ଏବେ ପ୍ରଶ୍ନ ଉଠୁଛି ଏଲସାଙ୍କୁ ମାନସିକ ନିର୍ଯାତନା ଦିଆଯାଇଥିଲା ନା ନାହିଁ ? ଯଦି ଦିଆଯାଇଥିଲା ଏହି ଦୁଇ ଦିନ ଭିତରେ ଏମିତି କଣ ହେଲା ଯେ ମତ ବଦଳାଇଲେ ଅଭିନେତ୍ରୀ ? ଅଡିଓ ରିଲିଜ ପାର୍ଟିରେ ତୁମ୍ବିତୋଫାନ କରିଥିବା ଏଲସା କାହିଁକି ମାରିଲେ ୟୁ ଟର୍ଣ୍ଣ? ଏହା ଏବେ ସବୁଠୁ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।