ସାହାସୀ ଶର୍ମିଷ୍ଠା : ଖୋଲିଲେ ଅଶ୍ଳୀଳ ମେସେଜ ପଠାଉଥିବା ଯୁବକଙ୍କ ଗୁମର

58

ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ ଖୋଲିଛନ୍ତି ତାଙ୍କୁ ଅଶ୍ଳୀଳ ମେସେଜ ପଠାଉଥିବା ଜଣେ ଯୁବକଙ୍କ ଗୁମର । ଏହି ଯୁବକ ଜଣକ ଶର୍ମିଷ୍ଠାଙ୍କୁ ଫେସବୁକ ଜରିଆରେ ଅଶ୍ଲୀଳ ମେସେଜ ପଠାଇଥିଲେ ଯାହାକୁ ଏବେ ସର୍ବସାଧାରଣରେ ଶର୍ମିଷ୍ଠା ପ୍ରକାଶ କରିଛନ୍ତି । ପାର୍ଥ ମଣ୍ଡଳ ନାମକ ଜଣେ ଯୁବକ ଶର୍ମିଷ୍ଠାଙ୍କୁ ଅଶ୍ଳୀଳ ମେସେଜ ପଠାଇଥିଲେ । ତାଙ୍କୁ ପଠାଯାଇଥିବା ସବୁ ମେସେଜ ଗୁଡିକର ସ୍ନାପସଟ୍ ଉଠାଇ ଦିଲ୍ଳୀ ପୁଲିସର ସାଇବର ସେଲରେ ଅଭିଯୋଗ କରିବେ ବୋଲି କହିଛନ୍ତି ଶର୍ମିଷ୍ଠା ।

ଶର୍ମିଷ୍ଠାଙ୍କ କହିବା କଥା ହେଉଛି ଅନେକ ମହିଳାଙ୍କ କ୍ଷେତ୍ରରେ ଏଭଳି ଘଟଣା ଘଟୁଛି ଏବଂ କିଛି ବ୍ୟକ୍ତି ଏଭଳି ମେସେଜ ପଠାଇ ରିତିମତ ମହିଳା ମାନଙ୍କୁ ହଇରାଣ କରୁଛନ୍ତି। ପ୍ରଥମେ ଶର୍ମିଷ୍ଠା ଏହି ଆକାଉଂଟକୁ ବ୍ଲକ କରିବାକୁ ଚାହୁଁଥିଲେ କିନ୍ତୁ ପରେ ସେ ଏହାକୁ ସମସ୍ତଙ୍କ ସାମ୍ନାକୁ ଆଣିବାକୁ ଚାହିଁଥିଲେ , ଆଉ ଖୋଲାଖୋଲି ଏହି ମେସେଜ ଗୁଡିକୁ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଥିଲେ। ସେ ରାଷ୍ଟ୍ରପତିଙ୍କ ଝିଅ ହୋଇଥବାରୁ ପୁଲିସ ତାଙ୍କ ଅଭିଯୋଗକୁ ଗୁରୁତ୍ୱର ସହ ନେବ ଏବଂ ଏହାସହିତ ଅନ୍ୟ ଯେଉଁ ମହିଳାଙ୍କ ସହିତ ଏଭଳି ଘଟଣା ଘଟୁଛି ସେମାନେ ମଧ୍ୟ ଏହା ବିରୋଧରେ ମୁହଁ ଖୋଲିବା ଆବଶ୍ୟକ ବୋଲି ଶର୍ମିଷ୍ଠା କହିଛନ୍ତି।