ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ! ଅପରାହ୍ନ ୫ଟା ଯାଏଁ ଚାଲିବ ମତଦାନ

29

କନକ ବ୍ୟୁରୋ: ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇଛି  । ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ରାମନାଥ କୋବିନ୍ଦ ଓ ବିରୋଧୀ ଦଳଙ୍କ ପ୍ରାର୍ଥୀ ମୀରା କୁମାରଙ୍କ ମଧ୍ୟରେ ମୁକାବିଲା ହେଉଛି  । ସବୁ ରାଜ୍ୟର ବିଧାନସଭାରେ ସକାଳ ୧୦ ଟାରୁ ମତଦାନ ଆରମ୍ଭ ହୋଇଛି  । ସଂଧ୍ୟା ୫ଟା ଯାଏଁ ମତଦାନ ଗ୍ରହଣ କରାଯିବ ।

ସାଂସଦ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଭୋଟ୍ ଦେଇଛନ୍ତି  । ଏହି ନିର୍ବାଚନରେ ସବୁଜ ଓ ଗୋଲାପୀ ରଙ୍ଗର ୨ଟି ବାଲଟ୍ ପେପର ବ୍ୟବହାର କରାଯାଉଛି  । ସବୁଜ ରଙ୍ଗର ବାଲଟ୍ ପେପରରେ ସାଂସଦ ଓ ଗୋଲାପୀ ରଙ୍ଗର ବାଲଟ୍ ପେପରରେ ବିଧାୟକମାନେ ଭୋଟ୍ ଦେଉଛନ୍ତି  ।

ସେହିପରି, ରାଷ୍ଟ୍ରପତି ନିର୍ବାଚନ ପାଇଁ ଓଡ଼ିଶା ବିଧାନସଭାରେ ମଧ୍ୟ ଭୋଟିଂ ଆରମ୍ଭ ହୋଇଛି  । ବିଧାନସଭାର ୫୪ନମ୍ବର ପ୍ରକୋଷ୍ଠରେ ମତଦାନ ଜାରି ରହିଛି  । ଆଜି ପ୍ରଥମେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ରାଷ୍ଟ୍ରପତି ଚୟନ ପାଇଁ ଭୋଟ୍ ଦେଇଛନ୍ତି  । ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ମତଦାନ କରିଛନ୍ତି  । ଅପରାହ୍ନ ୫ଟା ଯାଏଁ ମତଦାନ ଜାରି ରହିବ  ।