ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ବିହାର ରାଜ୍ୟପାଳ ରାମନାଥ କୋବିନ୍ଦଙ୍କ ପ୍ରସଙ୍ଗ : କୋବିନ୍ଦଙ୍କ ସପକ୍ଷରେ କେତେ ଭୋଟ୍ ରହିଛି ସେ ନେଇ ଅବଗଣନା ଆରମ୍ଭ

56

କନକ ବ୍ୟୁରୋ : ବିଜେପି ଓ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ବିହାର ରାଜ୍ୟପାଳ ରାମନାଥ କୋବିନ୍ଦଙ୍କ ନାଁ ଆସିବା ପରେ ଏବେ କୋବିନ୍ଦଙ୍କ ସପକ୍ଷରେ କେତେ ଭୋଟ୍ ରହିଛି ସେ ନେଇ ଆରମ୍ଭ ହୋଇଛି ଅବଗଣନା । ରାଷ୍ଟ୍ରପତି ହେବା ପାଇଁ ୫ ଲକ୍ଷ ୪୯ ହଜାର ୪୭୪ ଭୋଟର ଆବଶ୍ୟକତା ରହିଥିବା ବେଳେ ଏନଡିଏ ପାଖରେ ରହିଛି ୫,୨୪,୯୨୦ ଭୋଟ୍ । ଅର୍ଥାତ୍ କେବଳ ୨୪,୫୫୪ ଭୋଟ୍ ଅର୍ଥାତ୍ ମାତ୍ର ୧.୩ ପ୍ରତିଶତ ଭୋଟର ଆବଶ୍ୟକତା ରହିଛି । ବର୍ତମାନ ଏନଡିଏ ପ୍ରାର୍ଥୀ କୋବିନ୍ଦଙ୍କୁ ଯେଭଳି ବିିଭିନ୍ନ ଦଳ ସମର୍ଥନ ଘୋଷଣା କଲେଣି, କୋବିନ୍ଦ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଓ ପ୍ରତିଭା ପାଟିଲଙ୍କଠାରୁ ବି ଅଧିକ ଭୋଟ୍ ପାଇବେ ବୋଲି ଆଶା କରାଯାଉଛି ।

ରାଷ୍ଟ୍ରପତି ହେବା ପାଇଁ ଆବଶ୍ୟକ ୫,୪୯, ୪୭୪ ଭୋଟ୍ । ଏନଡିଏର ୨୯ଟି ଦଳଙ୍କ ପାଖରେ ରହିଛି ୫,୨୪,୯୨୦ ଭୋଟ୍ । ଏନଡିଏ ଆବଶ୍ୟକ କରୁଛି ଆଉ ମାତ୍ର ୨୪,୫୫୪ ଭୋଟ୍ । ମୋଟ୍ ଭୋଟରୁ ବିଜେପି ପାଖରେ ୪୦ ପ୍ରତିଶତ ଭୋଟ୍ ରହିଥିବା ବେଳେ ଏନଡିଏର ୨୯ଟି ଦଳଙ୍କ ପାଖରେ ରହିଛି ୪୮.୬୪ ପ୍ରତିଶତ ଭୋଟ୍ ରହିଛି । ଏନଡିଏ ପ୍ରାର୍ଥୀ ଜିତିବା ପାଇଁ ମାତ୍ର ୧.୩ ପ୍ରତିଶତ ଭୋଟର ଆବଶ୍ୟକତା ରହିଛି ।
ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେବା ନେଇ ଘୋଷଣା କରିଛନ୍ତି ବିଭିନ୍ନ ଦଳ । ତେଲେଙ୍ଗାନା ରାଷ୍ଟ୍ର ସମିତି-ଟିଆରଏସ୍, ବିଜୁ ଜନତା ଦଳ-ବିଜେଡି, ୱାଇଏସ୍ଆର-କଂଗ୍ରେସ ପାର୍ଟି ଏନଡିଏ ପ୍ରାର୍ଥୀ କୋବିନ୍ଦଙ୍କୁ ସମର୍ଥନ କରିବେ ବୋଲି ଘୋଷଣା କରିସାରିଲେଣି ।

ବିଜୁ ଜନତା ଦଳ ପାଖରେ ରହିଛି ୩୨, ୮୯୨ ଭୋଟ୍, ଅର୍ଥାତ୍ ୨.୯୮ ପ୍ରତିଶତ ଭୋଟ । ସେହିଭଳି ଟିଆରଏସ୍ ପାଖରେ ରହିଛି ୨୨,୦୪୮ ଭୋଟ୍ ଅର୍ଥାତ୍ ୧.୯୯ ପ୍ରତିଶତ ଭୋଟ୍ । ୱାଏସ୍ଆର୍-କଂଗ୍ରେସ ପାର୍ଟି ପାଖରେ ରହିଛି ୧୬,୮୪୮ ଭୋଟ୍, ଅର୍ଥାତ୍ ୧.୫୩ ପ୍ରତିଶତ ଭୋଟ୍ । ଏସବୁ ମିଶାଇଲେ, ୭୧, ୭୮୮ ଭୋଟ୍ ।

ପାର୍ଟି             ଭୋଟ୍ ଅଂଶ       ପ୍ରତିଶତ
ବିଜେଡି           ୩୨,୮୯୨      ୨.୯୮%
ଟିଆରଏସ୍        ୨୨,୦୪୮      ୧.୯୯%
ୱାଏସ୍ଆର୍-କଂଗ୍ରେସ ୧୬,୮୪୮     ୧.୫୩%
ମୋଟ   =           ୭୧,୭୮୮     ୬.୫%

ଏନଡିଏ ପ୍ରାର୍ଥୀ କୋବିନ୍ଦଙ୍କୁ ସମର୍ଥନ ଦେବା ପାଇଁ ମୁଲାୟମଙ୍କ ସମାଜବାଦୀ ପାର୍ଟି, ମାୟାବତୀଙ୍କ ବହୁଜନ ସମାଜବାଦୀ ପାର୍ଟି, ଏଆଇଏଡିଏମକେ, ଜେଡୁ(ୟୁ) ପକ୍ଷରୁ କେତେକାଂଶରେ ସବୁଜ ସଙ୍କେତ ମିଳିଥିବା ବେଳେ କୋବିନ୍ଦଙ୍କ ସପକ୍ଷରେ ଏବେ ୬,୦୯,୩୩୩ ଭୋଟ୍ ଏକାଠି ହେଲାଣି ବୋଲି କୁହାଯାଉଛି । ୨୦୧୨ ରାଷ୍ଟ୍ରପତି ନିର୍ବାଚନରେ ପ୍ରଣବ ମୁଖାର୍ଜୀଙ୍କୁ ୭, ୧୩, ୭୬୩ ଭୋଟ୍ ମିଳିଥିବା ବେଳେ, ୨୦୦୭ରେ ପ୍ରତିଭା ପାଟିଲଙ୍କୁ ୬,୩୮, ୧୧୬ ଭୋଟ୍ ମିଳିଥିଲା ।