ରାଷ୍ଟ୍ରପତି ରେସ୍ ! ଲଢେଇ ଯାହା ରହିଯାଇଛି କେବଳ ସରକାର ଏବଂ ବିପକ୍ଷ ମଧ୍ୟରେ . . ହେଲେ ୧୯୫୨ରୁ କାହିଁକି ବଦଳିଗଲା ନିର୍ବାଚନର ରୂପରେଖ ?

1

ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇଛି । ଏଥର ରେସରେ ମୁହାଁମୁହିଁ ହୋଇଛନ୍ତି ଏନଡିଏ ପ୍ରାର୍ଥୀ ରାମନାଥ ପ୍ରାର୍ଥୀ ଏବଂ ବିପକ୍ଷ ଦଳର ପ୍ରାର୍ଥୀ ମୀରା କୁମାର । ତେବେ ଶୁଣିବାକୁ ମିଳିଛି ରାମନାଥ , ମୀରା କୁମାରଙ୍କୁ ମାତ୍ ଦେଇପାରନ୍ତି । କିନ୍ତୁ ଯଦି ଆମେ ରାଷ୍ଟ୍ରପତି ନିର୍ବାଚନର ଫର୍ଦ୍ଦ ଲେଉଟାଇବା ତେବେ ଇତିହାସ ଆଇନାରେ କିଛି ଅଲଗା ଦେଖିବା । ଆରମ୍ଭରୁ ଆଜି ଭିତରେ ହେଉଥିବା ଏହି ରାଷ୍ଟ୍ରପତି ନିର୍ବାଚନ ମଇଦାନରେ ଅନେକ ପରିବର୍ତ୍ତନ ହୋଇଛି । କିନ୍ତୁ ସବୁଠାରୁ ବଡ କଥା ହେଉଛି ଗତ ଦୁଇ ଦସନ୍ଧି ହେବ ଏହି ମୁକାବିଲା କେବଳ ସରକାର ଏବଂ ବିପକ୍ଷ ଦଳ ମଧ୍ୟରେ ରହିଯାଇଛି । ଗୋଟିଏ ସମୟ ଥିଲା ଯେତେବେଳେ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ମାନଙ୍କ ମଧ୍ୟରେ ହେଉଥିବା ନିର୍ବାଚନ ଖୁବ୍ ଚିତ୍ତାକର୍ଷକ ଥିଲା । କାରଣ ନିର୍ବାଚନ ମଇଦାନରେ ରହୁଥିଲେ ଏକାଧିକ ପାର୍ଥୀ ।

ଏବେ ଜାଣନ୍ତୁ ୧୯୫୨ରୁ ଏହି ରାଷ୍ଟ୍ରପତି ରେସର କିଛି ରୋଚକ ତଥ୍ୟ :
ଚଳିତ ବର୍ଷ ହେଉଥିବା ନିର୍ବାଚନ ୧୪ତମ ରାଷ୍ଟ୍ରପତି ନିର୍ବାଚନ । ଏହା ପୂର୍ବରୁ ୧୯୫୨, ୧୯୫୭, ୧୯୬୨, ୧୯୬୭, ୧୯୬୯, ୧୯୭୪, ୧୯୭୭, ୧୯୮୨ , ୧୯୮୭, ୧୯୮୨, ୧୯୯୧, ୨୦୦୨, ୨୦୦୭ ଏବଂ ୨୦୧୨ରେ ହୋଇଥିଲା । ୧୯୫୨ରେ ହୋଇଥିବା ନିର୍ବାଚନରେ ୫ଜଣ ପ୍ରାର୍ଥୀଙ୍କ ମଧ୍ୟରେ ହୋଇଥିଲା । କିନ୍ତୁ ୧୯୫୭ ଏବଂ ୧୯୬୨ରେ ତିନି ଜଣ ପ୍ରାର୍ଥୀଙ୍କ ମଧ୍ୟରେ ନିର୍ବାଚନ ହୋଇଥିଲା ।

ଜାଣି ଆଶ୍ଚର୍ଯ୍ୟ ହେବେ ୧୯୬୭ ନିର୍ବାଚନରେ ପ୍ରାୟ ୧୭ ଜଣ ପ୍ରାର୍ଥାଙ୍କ ମଧ୍ୟରେ ଲଢେଇ ହୋଇଥିଲା । ତେବେ ଏହି ନିର୍ବାଚନରେ ପୂର୍ବତନ ରାଷ୍ଟ୍ରପତି ଜାକିର୍ ହୁସେନ୍, ସୁବାରାଓଙ୍କୁ ପ୍ରାୟ ୧ଲକ୍ଷ ଭୋଟରେ ହରାଇଥିଲେ । ଏମାନଙ୍କ ମଧ୍ୟରୁ ୯ଜଣ ପ୍ରାର୍ଥୀଙ୍କୁ ଭୋଟ୍ ବିଲକୁଲ୍ ମିଳିନଥିଲା । ଦୁଇ ଜଣଙ୍କୁ ୧୨୫ ଏବଂ ଅନ୍ୟ ଦୁଇ ଜଣଙ୍କୁ ୨୩୨ଟି ଲେଖାଏଁ ଭୋଟ୍ ମିଳିଥିଲା । ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ଥିବା ପ୍ରାର୍ଥୀଙ୍କୁ ଯଥାକ୍ରମେ ୧୩୬୯ ଏବଂ ୭୫୦ ଭୋଟ୍ ମିଳିଥିଲା ।

ହାରି ଯାଇଥିବା ପ୍ରାର୍ଥୀ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ :
ଏହି ନିର୍ବାଚନରେ ଜିତି ରାଷ୍ଟ୍ରପତି ହୋଇଥିବା ଜାକିର୍ ହୁସେନଙ୍କର କାର୍ଯ୍ୟକାଳ ମଧ୍ୟରେ ଦେହାନ୍ତ ହୋଇଯାଇଥିଲା । ତେଣୁ ୧୯୬୯ରେ ପୁଣି ଥରେ ନିର୍ବାଚନ ହୋଇଥିଲା । ଆଉ ଏଥର ମଇଦାନରେ ଥିଲେ ୧୫ ଜଣ ପ୍ରାର୍ଥୀ । ତେବେ ଏହି ନିର୍ବାଚନରେ ହାରିଯାଇଥିବା ପ୍ରାର୍ଥୀ ବିରୋଧ କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ । କେବଳ ଏତିକି ନୁହେଁ ରାଷ୍ଟ୍ରପତି ନିର୍ବାଚନ ମାଧ୍ୟମରେ ପବ୍ଲିସିଟି ପାଇବା ପାଇଁ ପ୍ରାର୍ଥୀମାନେ ଏହାର ନିୟମକୁ ବିଭିନ୍ନ ପ୍ରକାର ପ୍ରସଙ୍ଗ କରି ଖବରରେ ରହିବାକୁ ଚେଷ୍ଟା କରିଥିଲେ ।

ତେଣୁ ଏହି ପ୍ରକାର ସମସ୍ୟା ପାଇଁ ତତ୍କାଳ ସରକାର ଏବଂ ବିରୋଧୀ ଦଳ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ନିର୍ବାଚନ ଆକ୍ଟ ୧୯୫୨ରେ ପରିବର୍ତ୍ତନ ପାଇଁ ନିଷ୍ପତି ନେଲେ । ଆଉ ଏହି ଆକ୍ଟକୁ ସଂଶୋଧନ କରି ୧୯୭୪ ଆକ୍ଟ ଆଣିଲେ । ଏହି ଆକ୍ଟ ମୂତାବକ ଏବେ ଜଣେ ପ୍ରାର୍ଥୀଙ୍କର ୧୦ଜଣ ପ୍ରସ୍ତାବକ ରହିବେ ଆଉ ୧୦ଜଣ ରହିବେ ସମର୍ଥକ । ଏହା ସହ ପ୍ରାୟ ୨୫୦୦ଟଙ୍କା ସିକ୍ୟୁରିଟି ଭାବରେ ଜମା କରିବାର ନିୟମ ହେଲା । ଏହା ବ୍ୟତୀତ ଆଉ ଏକ ନିର୍ଦ୍ଦେଶ ଦିଆଗଲା ଯେ ନାମାଙ୍କନ ପତ୍ର ଫିଲଅପ୍ କରିବା ଘୋଷଣାର ୧୪ ଦିନ ମଧ୍ୟରେ ପତ୍ର ଦାଖଲ କରିବେ ।

ହେଲେ ଏହି ନୂଆ ନିୟମ ପରେ ବି ରାଷ୍ଟ୍ରପତି ନିର୍ବାଚନର ରେସରେ ପ୍ରାର୍ଥୀଙ୍କ ସଂଖ୍ୟା କମ୍ ହେଲା ନାହିଁ । ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୧୯୭୭ ନିର୍ବାଚନରେ ସବୁଠାରୁ ଅଧିକ ୩୭ ଜଣ ପ୍ରାର୍ଥୀ ଏହି ରେସରେ ଭାଗ ନେଇଥିଲେ । ତେବେ ଏହା ଏକ ଐତିହାସିକ ନିର୍ବାଚନ ଥିଲା । କାରଣ ୩୭ ଜଣଙ୍କ ମଧ୍ୟରୁ ୩୬ଜଣଙ୍କ ପ୍ରାର୍ଥୀ ପତ୍ର ନାକଚ କରି ଦିଆଯାଇଥିଲା । ଆଉ ନୀଲମ୍ ସଞ୍ଜୀବ୍ ରେଡ୍ଡୀ ବିନା କୌଣସି ବିରୋଧରେ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିଲେ । ଏହା ପରେ ସମସ୍ତ ନିର୍ବାଚନରେ ପ୍ରାର୍ଥୀ ପତ୍ର ତ ଅନେକ ଦାଖଲ ହେଉଛି କିନ୍ତୁ ରେସ୍ ହେଉଛି କେବଳ ଦୁଇ ଜଣଙ୍କ ମଧ୍ୟରେ ।

Comments are closed.