ରାଷ୍ଟ୍ରପତି ନିର୍ବାଚନ ରେସ୍ ! ନାମାଙ୍କନ ପାଇଁ ସଂସଦ ଭବନରେ ରାମନାଥ କୋବିନ୍ଦଙ୍କ ସହ ପହଚିଂଲେ ପ୍ରଧାନମନ୍ତ୍ରୀ ଓ ଅମିିତ ଶାହା

40

କନକ ବ୍ୟୁରୋ : ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦ ଆଜି ନାମାଙ୍କନ ପତ୍ର ଦାଖଲ କରିବେ । ସଂସଦ ଭବନରେ କୋବିନ୍ଦ ପହଚିଂଛନ୍ତି । କୋବିନ୍ଦଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହା ବି ପହଚିଂଛନ୍ତି । ନାମାଙ୍କନ ପତ୍ର ଦାଖଲ ସମୟରେ ତାଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ କିଛି ଅନ୍ୟ ଦଳର ବରିଷ୍ଠ ନେତା ଉପସ୍ଥିତ ରହିବେ । ବିଜେପି ସହ ଏନଡିଏର ସମସ୍ତ ଦଳ ରାମନାଥ କୋବିନ୍ଦଙ୍କୁ ସମର୍ଥନ କରୁଛନ୍ତି ।

ଅଣ-ଏନଡିଏ ଦଳ ମଧ୍ୟରେ ଏଆଇଡିଏମକେ, ବିଜେଡି, ଟିଆରଏସ ଓ ଜେଡିୟୁ ତାଙ୍କୁ ସମର୍ଥନ କରିବେ ବୋଲି ଘୋଷଣା କରିସାରିଛନ୍ତି । ରାମନାଥଙ୍କ ନାମାଙ୍କନରେ ସାମିଲ ହେବା ପାଇଁ ଦିଲ୍ଲୀରେ ପହଂଚିଛନ୍ତି ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର । ଏନଡିଏ ପାଖରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ୪୮. ୬ ପ୍ରତିଶତ ଭୋଟ ରହିଛି । ରାଷ୍ଟ୍ରପତି ନିର୍ବାଚନକୁ ନେଇ ଦଳିତ କାର୍ଟ ଖେଳିଛନ୍ତି ଏନଡିଏ ମେଂଟ ସରକାର ଓ ବିରୋଧୀ ୟୁପିଏ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିରୋଧୀ ବିଜେପି ଓ କଂଗ୍ରେସ ଠାରୁ ସମଦୂରତା ରକ୍ଷା କରିବା କଥା କହୁଥିବା ବେଳେ କାହିଁକି ରାମନାଥଙ୍କୁ ସମର୍ଥନ ଜଣାଇଛନ୍ତି ।

ମୀରା କୁମାରଙ୍କୁ କାହିଁକି ନୁହେଁ ବୋଲି ପ୍ରଶ୍ନ ଉଠିଛି । ପ୍ରଶ୍ନ ଉଠିବା ସ୍ୱାଭାବିକ ମଧ୍ୟ । ଯଦି ବିଜେଡି ବିଜେପିର ଦଳିତ ପ୍ରାର୍ଥୀ ରାମନାଥଙ୍କୁ ସମର୍ଥନ କରୁଛି ତେବେ ନବୀନଙ୍କ ଫଣ୍ଡା ଅନୁସାରେ ମୀରା କୁମାରଙ୍କୁ ସମର୍ଥନ କରିବାରେ ଅସୁବିଧା କେଉଁଠି । ସେପଟେ ବିହାରରେ ନୀତିଶ ଓ ଲାଲୁଙ୍କ ମତରେ ପ୍ରାର୍ଥକ୍ୟ ଦେଖାଦେଇଛି । ନୀତିଶ ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ କରିବା ଲାଗି ଘୋଷଣା କରିବା ପରେ ଲାଲୁ ପ୍ରସାଦ ଚିହିଁକି ଉଠିଛନ୍ତି ।

ତାଙ୍କ ମତରେ ବିହାରର ରାଜ୍ୟପାଳ ନୁହେଁ ବିହାରର ଝିଅ ମୀରା କୁମାରଙ୍କ ସମର୍ଥନ କରିବାର ଆବଶ୍ୟକତା ରହିଛି । ରାଷ୍ଟ୍ରପତି ରେସର୍ ଅନ୍ୟ ଆଂଚଳିକ ଦଳର ସମର୍ଥନ ପରେ ଆକଳନ କରାଯାଉଛି ଯେ, ବିଜେପି ପାଖରେ ୬୧ ପ୍ରତିଶତ ସମର୍ଥନ ରହିଛି । ଆସନ୍ତା ଜୁଲାଇ ୧୭ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଦିନ ଧାର୍ଯ୍ୟ ହୋଇଛି । ପରେ ୨୦ ତାରିଖରେ ଭୋଟ ଗଣତି ହେବ । ପ୍ରଣବ ମୁଖାର୍ଜୀ ରାଷ୍ଟ୍ରପତି ପଦରୁ ଆସନ୍ତା ଜୁଲାଇ ୨୪ ତାରିଖରେ ଅବ୍ୟହତି ନେବେ ।