ମୀରା କୁମାରଙ୍କୁ ପଛରେ ପକାଇ ବାଜି ମାରିଲେ ରାମନାଥ !

26

କନକ ବ୍ୟୁରୋ : ଦେଶକୁ ଆଜି ମିଳିବ ନୂଆ ରାଷ୍ଟ୍ରପତି । ଦିନ ୧୧ଟାରୁ ଆରମ୍ଭ ହୋଇଥିବା ଭୋଟଗଣତିର ପ୍ରଥମ ରାଉଣ୍ଡରେ କୋବିନ୍ଦ ଆଗୁଆ ରହିଛନ୍ତି । ଅପରାହ୍ନ ୫ଟା ସୁଦ୍ଧା ସ୍ଥିତି ସ୍ପଷ୍ଟ ହେବା ଆଶା କରାଯାଉଛି । ଭୋଟଗଣତି ପାର୍ଲାମେଂଟର ୬୨ ନମ୍ବର ରୁମରେ ଚାଲିଛି । ସବୁ ରାଜ୍ୟର ଭୋଟବକ୍ସକୁ ପାର୍ଲାମେଂଟ ଭବନର ଏହି ରୁମରେ ରଖାଯାଇ ଗଣତି ଚାଲିଛି ।

ଭୋଟଗଣତି ୪ଟି ଟେବୁଲରେ ମୋଟ୍ ୮ ରାଉଣ୍ଡରେ ହେବ । ପ୍ରଥମେ ପାର୍ଲାମେଂଟର ଭୋଟବାକ୍ସ ଖୋଲାଯାଇଛି । ଏହାପରେ ରାଜ୍ୟଗୁଡିକର ଭୋଟଗଣତି ହେବ । ରାଜ୍ୟଗୁଡିକର ଭୋଟବାକ୍ସ ଆଲଫାବେଟିକାଲ ଅର୍ଡରରେ ଖୋଲାଯିବ । ୧୭ ତାରିଖରେ ୯୯ ପ୍ରତିଶତ ଭୋଟିଂ ହୋଇଥିଲା । ମୋଟ ୭୭୧ ସାଂସଦଙ୍କ ମଧ୍ୟରୁ ୭୬୮ ସାଂସଦ ଭୋଟ ଦେଇଥିଲେ ।

ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ଗଣତି ଆରମ୍ଭ ହୋଇଥିବା ବେଳେ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ୟୁପିଏର ପ୍ରାର୍ଥୀ ମୀରା କୁମାର । ଆମେ ବିଚାରଧାରା ଅନୁଯାୟୀ ନିର୍ବାଚନ ଲଢିଛୁ ବୋଲି କହିଛନ୍ତି ମୀରା । ଆମେ ମୂଲ୍ୟବୋଧ ରାଜନୀତିରେ ବିଶ୍ୱାସ କରୁ । ବିରୋଧୀ ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ସେ ସମ୍ମାନ କରନ୍ତି ବୋଲି ମଧ୍ୟ ମୀରା କହିଛନ୍ତି ।

ଏବେ ନଜର ପକାନ୍ତୁ ଉଭୟ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ରାଜନୈତିକ କ୍ୟାରିୟର୍ ଉପରେ :

ରାମନାଥ କୋବିନ୍ଦ –

– ଉତ୍ତର ପ୍ରଦେଶରୁ ରାମନାଥ କୋବିନ୍ଦ ଦୁଇ ଦୁଇଥର ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି ।

– ୧୯୯୪ରୁ ୨୦୦୦ ଓ ୨୦୦୦ରୁ ୨୦୦୬ ସେ ରାଜ୍ୟସଭା ସାଂସଦ ରହି ସାରିଛନ୍ତି ।

– ୧୯୯୮ରୁ ୨୦୦୨ ପର୍ଯ୍ୟନ୍ତ ବିଜେପି ଦଳିତ ମୋର୍ଚ୍ଚାର ଅଧ୍ୟକ୍ଷ ଥିଲେ ।

– ସର୍ବଭାରତୀୟ କୋଲି ସମାଜର ସଭାପତି ଓ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଭାବେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି ।

– ୧୯୪୫ ଅକ୍ଟୋବର ୧ ତାରିଖରେ ସେ କାନପୁର ଦେହାତରେ ଜନ୍ମଗ୍ରହଣ କରିଥିଲେ ।

– କାନପୁର ବିଶ୍ୱବିଦ୍ୟାଳୟରୁ ବିକମ୍ ଓ ଏଲଏଲବି କରିଥିଲେ ରାମନାଥ କୋବିନ୍ଦ ।

– ୧୯୭୭ରୁ ୧୯୭୯ ପର୍ଯ୍ୟନ୍ତ ଦିଲ୍ଲୀ ହାଇକୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ କରିଛନ୍ତି ।

– ୧୯୮୦ରୁ ୧୯୯୩ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ଷ୍ଟାଣ୍ଡିଂ କାଉନସିଲ ଭାବେ ସୁପ୍ରିମକୋର୍ଟରେ କାର୍ଯ୍ୟ କରିଛନ୍ତି ।

– ପ୍ରାୟ ୧୬ ବର୍ଷଧରି ଜଣେ ଆଇନଜୀବୀ ଭାବେ ଦିଲ୍ଲୀ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ କାର୍ଯ୍ୟ କରିଛନ୍ତି ରାମନାଥ ।

ମୀରା କୁମାର- 

– ମୀରା କୁମାର ପାଂଚ ଥର ସଂସଦର ସଦସ୍ୟ ହୋଇଛନ୍ତି ।

– ୧୯୮୫ରେ ସେ ଲୋକସଭାକୁ ନିର୍ବାଚିତ ହୋଇଥିଲେ ।

– ୨୦୦୯ ରୁ ୨୦୧୪ ଯାଏଁ ଲୋକସଭାର ପ୍ରଥମ ମହିଳା ବାଚସ୍ପତି ଥିଲେ ମୀରା କୁମାର ।

– ୨୦୦୪ ରୁ ୨୦୦୯ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଥିଲେ ମୀରା କୁମାର ।

– ଜଣେ ଆଇନଜୀବି ଓ ପୂର୍ବତନ ରାଷ୍ଟ୍ରଦୂତ ରୂପେ ୧୯୭୩ରେ ବିଦେଶ ସେବାରେ ଯୋଗ ଦେଇଥିଲେ ।