ବରିଷ୍ଠ ବିଜେପି ନେତା ଅରୁଣ ଜେଟଲୀଙ୍କ ଅବସ୍ଥା ଗୁରୁତର। ରାତିରେ ଏମ୍ସରେ ପହଞ୍ଚି ହାଲଚାଲ ବୁଝିଲେ ଗୃହମନ୍ତ୍ରୀ ଅମିତ ଶାହ

ଅଗଷ୍ଟ ୯ରୁ ଡାକ୍ତରଖାନାରେ ଅଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ

179

କନକ ବ୍ୟୁରୋ: କର୍କଟ ଓ କିଡନି ଜନିତ ରୋଗରେ ପୀଡ଼ିତ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅରୁଣ ଜେଟଲିଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଗତ ୯ ତାରିଖରୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିବା ଜେଟଲିଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ଗତକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜେଟଲିଙ୍କ ସ୍ବାସ୍ଥ୍ୟାବସ୍ଥା ଜାଣିବା ପାଇଁ ଏମ୍ସ ପହଞ୍ଚିଥିଲେ। ଜେଟଲିଙ୍କୁ ଏକ ବିଶେଷଜ୍ଞ ଡାକ୍ତରୀ ଦଳ ଚିକିତ୍ସା କରୁଛନ୍ତି।

ଗତ ୯ ତାରିଖଠାରୁ ଜେଟଲିଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଏମ୍ସ ପକ୍ଷରୁ କୌଣସି ବୁଲେଟିନ୍ ଜାରି ହୋଇନାହିଁ। ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ଘଟୁନଥିବା ଜଣାପଡ଼ିଛି। ଗତକାଲି ରାଷ୍ଟ୍ରପତିଙ୍କ ଏମ୍ସ ଗସ୍ତ ବେଳେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ଏବଂ ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ବିନୀ ଚୌବେ ମଧ୍ୟ ଉପସ୍ଥିତ ଥିଲେ। ଗତକାଲି ଗୃହମନ୍ତ୍ରୀ ଅମିତ ଶାହ ଜିନ୍ଦ ଗସ୍ତରେ ଯିବା ପୂର୍ବରୁ ସକାଳେ ଜେଟଲିଙ୍କ ଘରେ ପହଞ୍ଚିଥିଲେ। ଗ୍ରେଟର କୈଳାସ ସ୍ଥିତ ଜେଟଲିଙ୍କ ବାସଭବନ ନିକଟରେ ସୁରକ୍ଷା ବଢ଼ାଇ ଦିଆଯାଇଛି ।

୬୬ ବର୍ଷୀୟ ଜେଟଲିଙ୍କ ଚିକିତ୍ସା ଲାଗି ଏମ୍ସ କର୍ତ୍ତୃପକ୍ଷ ଏକ୍ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଗଠନ କରିଥିବାବେଳେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଏବେ ଗୁରୁତର ରହିଛି ବୋଲି ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି। ତେବେ କିଛି ଦିନ ତଳେ ବରିଷ୍ଠ ବିଜେପି ନେତ୍ରୀ ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ହୃଦ୍ଘାତ ଯୋଗୁଁ ଅଚାନକ ମୃତ୍ୟୁ ଘଟିବା ପରେ ଶ୍ରୀ ଜେଟଲିଙ୍କ ଏଭଳି ଅସୁସ୍ଥତା ସାରା ଦେଶ ପାଇଁ ଚିନ୍ତା ଓ ଉଦ୍ବେଗର କାରଣ ହୋଇଛି। ଅରୁଣ ଜେଟଲି ଦୀର୍ଘ ଦିନ ହେଲା ଅସୁସ୍ଥ ଅଛନ୍ତି ଏବଂ କିଡନି ସଂକ୍ରାନ୍ତ ଗୁରୁତର ସ୍ବାସ୍ଥ୍ୟ ସମସ୍ୟାରେ ପୀଡ଼ିତ ଅଛନ୍ତି। ମେ’ ୨୦୧୮ରେ ତାଙ୍କର କିଡନି ପ୍ରତିରୋପଣ ଅସ୍ତ୍ରୋପଚାର ହୋଇଥିଲା।ଏହା ବ୍ୟତୀତ ସେ କ୍ୟାନସରକୁ ବି ସାମ୍ନା କରୁଛନ୍ତି। ଏଥିପାଇଁ ସେ ଜାନୁଆରୀ ୨୦୧୯ରେ ଆମେରିକା ଯାଇ ସେଠାରେ ଚିକିତ୍ସିତ ହୋଇଥିଲେ ମଧ୍ୟ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନାହାନ୍ତି। ଗତ ୯ ତାରିଖରେ ଶ୍ବାସ ପ୍ରଶ୍ବାସରେ ସମସ୍ୟା ଦେଖାଯିବା ପରେ ତାଙ୍କୁ ତୁରନ୍ତ ଏମ୍ସରେ ଭର୍ତ୍ତି କରାଯାଇଥିଲା।

Source:PTI

ନରେନ୍ଦ୍ର ମୋଦୀ ସରକାରଙ୍କ ପ୍ରଥମ କାର‌୍ୟ୍ୟକାଳରେ ଅର୍ଥ ମନ୍ତ୍ରୀ ଥିବା ଶ୍ରୀ ଜେଟଲିଙ୍କୁ ସ୍ବାସ୍ଥ୍ୟ ସମସ୍ୟା ପାଇଁ ବାରମ୍ବାର ଛୁଟିରେ ରହିବାକୁ ପଡ଼ୁଥିଲା। ତେଣୁ ପୀୟୁଷ ଗୋୟଲଙ୍କୁ ଅନ୍ତରୀଣ ଅର୍ଥ ମନ୍ତ୍ରୀ ଭାବେ ଦାୟିତ୍ବ ଦିଆଯାଇଥିଲା ଏବଂ ଗତ ଫେବ୍ରୁଆରେ ଲୋକସଭା ନିର୍ବାଚନ ପୂର୍ବରୁ ସେ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିଥିଲେ। ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରି କ୍ଷମତାକୁ ଆସିବା ପରେ ଅରୁଣ ଜେଟଲି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପତ୍ର ଲେଖି ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁଁ ତାଙ୍କୁ କୌଣସି ଦାୟିତ୍ବ ନଦେବା ପାଇଁ ଅନୁରୋଧ କରିଥିଲେ।