ବଜେଟ ଇଫେକ୍ଟ : ରାଷ୍ଟ୍ରପତି, ଉପରାଷ୍ଟ୍ରପତିଙ୍କ ଦରମା ବଢିଲା ! ସାଂସଦଙ୍କ ଦରମା ବଢାଇବାକୁ ନୂଆ ଫର୍ମୂଲା

34

କନକ ବ୍ୟୁରୋ : କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଆଜି ଦେଶବାସୀଙ୍କ ଉଦ୍ଦେଶ୍ୟରେ ପୂର୍ଣ୍ଣ ବଜେଟ ଆଗତ କରିଛନ୍ତି । ତେବେ ଚଳିତ ବଜେଟରେ ମଧ୍ୟବିତ୍ତଙ୍କୁ ଝଟକା ଲାଗିଛି । ଏହାକୁ ନେଇ ସାଧାରଣରେ ଅସନ୍ତୋଷ ମଧ୍ୟ ଦେଖାଦେଇଛି । ତେବେ ଏସବୁ ଭିତରେ ଚଳିତ ବଜେଟରେ ଦେଶର ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ଓ ରାଜ୍ୟପାଳଙ୍କ ଦରମାକୁ ବୃଦ୍ଧି କରାଯାଇଛି । ବଜେଟ ଅନୁଯାୟୀ ଦେଶର ପ୍ରଥମ ବ୍ୟକ୍ତି ରାଷ୍ଟ୍ରପତିଙ୍କ ଦରମା ୧.୫୦ ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି କରାଯିବ । ସେହିଭଳି ଉପରାଷ୍ଟ୍ରପତିଙ୍କ ଦରମା ୧.୨୫ ଲକ୍ଷରୁ ୪ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବ । ପ୍ରତି ରାଜ୍ୟର ରାଜ୍ୟପାଳଙ୍କ ଦରମା ୧.୧୦ ଲକ୍ଷ ଟଙ୍କାରୁ ୩.୫ ଲକ୍ଷ ଟଙ୍କାକୁ ବୁଦ୍ଧି କରାଯାଇଛି । ସେହିଭଳି ଚଳିତ ବଜେଟରେ ସାଂସଦଙ୍କୁ ମଧ୍ୟ ଖୁସି କରାଯାଇଛି । ସାଂସଦଙ୍କ ଭତା ପ୍ରତି ୫ ବର୍ଷରେ ଥରେ ବଢିବ । ଦର ବୃଦ୍ଧି ଅନୁସାରେ ଭତା ନିର୍ଦ୍ଧାରଣ କରାଯିବ ।

ତେବେ ଏହି ବଜେଟକୁ ନେଇ ସାଧାରଣ ଲୋକ ସୋସିଆଲ ମିଡିଆରେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ରାଜ୍ୟପାଳଙ୍କ ଦରମା ବଢାଇ ଏହାକୁ ମୋଦି ସରକାର ଏହାକୁ ଗରିବଙ୍କ ବଜେଟ କହୁଛନ୍ତି । କିନ୍ତୁ ବାସ୍ତବରେ ଚଳିତ ବଜେଟରେ ଗରିବଙ୍କ ପାଇଁ ସେମିତି କିଛି ଖାସ ଘୋଷଣା ହୋଇନାହିଁ ବୋଲି କିଛି ଲୋକ କହିଛନ୍ତି ।