ସଂସଦଭବନରେ ୧୪ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ରାମନାଥ କୋବିନ୍ଦ !

114

କନକ ବ୍ୟୁରୋ : ରାଷ୍ଟ୍ରପତିି ଭାବେ ଶପଥ ନେଲେ ରାମନାଥ କୋବିନ୍ଦ । ଦେଶର ଚତୁର୍ଦ୍ଦଶ ରାଷ୍ଟ୍ରପତି ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି କୋବିନ୍ଦ । ସଂସଦଭବନରେ ଶପଥ ନେଇଛନ୍ତି ଦେଶର ପ୍ରଥମ ନାଗରିକ । ନିବନିର୍ବାଚିତ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି । ଶପଥ ଗ୍ରହଣ ସମାରୋହରେ ବିଦାୟୀ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କଂଗ୍ରେସ ସଭାପତିଙ୍କ ସହ ମୋଦି ମନ୍ତ୍ରୀମଣ୍ଡଳର ବରିଷ୍ଠ ସଦସ୍ୟ ଓ ସାଂସଦ ଉପସ୍ଥିତି ଥିଲେ ।

ଶପଥ ଗ୍ରହଣ ସମାରୋହ ପରେ ଭାବବିହ୍ୱଳ ଅଭିଭାଷଣ ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସେ କହିଛନ୍ତି ଆମେ ଅଲଗା କିନ୍ତୁ ଏକଜୁଟ । ଭାରତର ପ୍ରତ୍ୟେକ ନାଗରିକ ଉପରେ ଆମେ ଗର୍ବିତ । ଦେଶର ସମସ୍ତ ନାଗରିକ ରାଷ୍ଟ୍ରର ନିର୍ମାତା । ବୈଜ୍ଞାନିକ ଓ ଛୋଟ କାମ କରୁଥିବା ବି ରାଷ୍ଟ୍ର ନିର୍ମାତା । କେବଳ ସରକାର ଦ୍ୱାରା ରାଷ୍ଟ୍ର ନିର୍ମାଣ ହୋଇପାରିବ ନାହିଁ । ଶପଥ ଗ୍ରହଣ ପୂର୍ବରୁ ରାମନାଥ କୋବିନ୍ଦ ତାଙ୍କ ପତ୍ନୀଙ୍କ ସହ ୧୦ ଆକବର ରୋଡରୁ ବାହାରି ରାଜଘାଟ ପହଂଚି ମହାତ୍ମାଗାନ୍ଧିଙ୍କ ସମାଧିସ୍ଥଳରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

ସେଠାରୁ ରାମନାଥ ରାଷ୍ଟ୍ରପତି ଭବନ ଅଭିମୁଖେ ଯାଇଥିଲେ ରାମନାଥ । ରାଷ୍ଟ୍ରପତି ଭବନର ଲାଇବ୍ରେରୀରେ ବିଦାୟୀ ରାଷ୍ଟ୍ରପତି ପ୍ରଣବ ମୁର୍ଖାଜୀ ନବ ନିର୍ବାଚିତ ରାମନାଥ କୋବିନ୍ଦ ଓ ତାଙ୍କ ପତ୍ନୀଙ୍କୁ ସ୍ୱାଗତ କରିଥିଲେ । ଏହାପରେ ବିଦାୟୀ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସହ ଗୋଟିଏ କାରରେ ପାର୍ଲାମେଂଟ ଅଭିମୁଖେ ବାହାରିଥିଲେ । ସେଠାରେ କୋବିନ୍ଦଙ୍କୁ ପ୍ରଧାନମନ୍ତ୍ରୀ, ଲୋକସଭା ବାଚସ୍ପତି ଓ ଉପରାଷ୍ଟ୍ରପତି ସ୍ୱାଗତ କରିବା ପରେ ଶପଥ ଗ୍ରହଣ ସମାରୋହ ହୋଇଥିଲା ।

ଉତ୍ତରପ୍ରଦେଶରୁ ରାମନାଥ ଦୁଇ ଦୁଇଥର ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ସେ ୧୯୯୪ରୁ ୨୦୦୦ ଓ ୨୦୦୦ରୁ ୨୦୦୬ ରାଜ୍ୟସଭା ସାଂସଦ ଥିଲା । ୧୯୯୮ରୁ ୨୦୦୨ ପର୍ଯ୍ୟନ୍ତ ବିଜେପି ଦଳିତ ମୋର୍ଚ୍ଚାର ଅଧ୍ୟକ୍ଷ , ସର୍ବଭାରତୀୟ କୋଲି ସମାଜର ସଭାପତି ଓ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଭାବେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି ।

୧୯୪୫ ଅକ୍ଟୋବର ୧ ତାରିଖରେ କାନପୁର ଦେହାତରେ ଜନ୍ମଗ୍ରହଣ ତାଙ୍କର ଜନ୍ମଗ୍ରହଣ ହୋଇଥିଲା । କାନପୁର ବିଶ୍ୱବିଦ୍ୟାଳୟରୁ ବିକମ୍ ଓ ଏଲଏଲବି , ୧୯୭୭ରୁ, ୧୯୭୯ ପର୍ଯ୍ୟନ୍ତ ଦିଲ୍ଲୀ ହାଇକୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ କରିଛନ୍ତି , ୧୯୮୦ରୁ, ୧୯୯୩ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ଷ୍ଟାଣ୍ଡିଂ କାଉନସିଲ ଭାବେ ସୁପ୍ରିମକୋର୍ଟରେ କାର୍ଯ୍ୟ କରିଛନ୍ତି । ପ୍ରାୟ ୧୬ ବର୍ଷଧରି ଜଣେ ଆଇନଜୀବୀ ଭାବେ ଦିଲ୍ଲୀ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ କାର୍ଯ୍ୟ କରିଛନ୍ତି ରାମନାଥ ।