ସ୍ୱାଧୀନତା ଦିବସ ପୂର୍ବରୁ ଦେଶବାସୀଙ୍କୁ ରାଷ୍ଟ୍ରପତିଙ୍କ ସମ୍ବୋଧନ: କହିଲେ, ଗାନ୍ଧୀର ଦେଶରେ ନାହିଁ ହିଂସାର ସ୍ଥାନ, ମହିଳାଙ୍କୁ ମିଳୁ ସମ୍ମାନ, ଚାଷୀଙ୍କୁ ମିଳୁ ସହାୟତା

48

କନକ ବ୍ୟୁରୋ: ସ୍ୱାଧୀନତା ଦିବସ ପୂର୍ବରୁ ରାଷ୍ଟ୍ରପତି ଦେଶବାସୀଙ୍କ ଉଦ୍ଦେଶ୍ୟରେ ବାର୍ତା ଦେଇଛନ୍ତି । ଗାନ୍ଧିଙ୍କ ଦେଶରେ ହିଂସାର ସ୍ଥାନ ନାହିଁ ବୋଲି କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଦେଶବାସୀଙ୍କୁ ସ୍ୱାଧୀନତା ଦିବସ ନେଇ ଶୁଭେଚ୍ଛା ଜଣାଇବା ସହ ତ୍ରିରଙ୍ଗା ଆମ ଅସ୍ମିତାର ପ୍ରତୀକ ବୋଲି କହିଛନ୍ତି ରାଷ୍ଟ୍ରପତି । ସେ କହିଛନ୍ତି ଯେ ଦେଶ ପାଇଁ ସବୁ ସମୁଦାୟର ଲୋକଙ୍କ ଯୋଗଦାନ ରହିଛି ।

ମହିଳାଙ୍କୁ ସମ୍ମାନ ପ୍ରଦାନ କରାଯିବା ନିହାତି ଆବଶ୍ୟକ ଏବଂ କୃଷକମାନଙ୍କୁ ସହାୟତା ଦିଆଯିବା ଜରୁରୀ ବୋଲି କହିଛନ୍ତି ରାମନାଥ । ସମସ୍ତଙ୍କ ପାଇଁ ଶିକ୍ଷା ଏବଂ ଟେକ୍ନୋଲଜିକୁ ଗୁରୁତ୍ୱ ଦେଇଛନ୍ତି ରାଷ୍ଟ୍ରପତି ।

ଦେଶରେ ସମସ୍ତଙ୍କୁ ବିଜୁଳି ଯୋଗାଇବା, ଖୋଲାରେ ମଳମୂତ୍ର ତ୍ୟାଗକୁ ସମ୍ପୂର୍ଣ୍ଣ ଭାବେ ଦୂର କରିବା, କାହାରିକୁ ବାସହୀନ ରହିବାକୁ ଦିଆ ନଯିବା ଏବଂ ଉତ୍କଟ ଦାରିଦ୍ର୍ୟକୁ ଦୂର କରିବାକୁ ରାଷ୍ଟ୍ରପତି କହିଛନ୍ତି। ଦେଶବାସୀଙ୍କୁ ଖାଦ୍ୟ ସୁରକ୍ଷା ଯୋଗାଉଥିବା କୃଷକ, ସୁରକ୍ଷା ଯୋଗାଉଥିବା ସୈନିକ ଏବଂ ଆଇନ ଶୃଙ୍ଖଳା ରକ୍ଷା କରୁଥିବା ପୁଲିସକୁ ରାଷ୍ଟ୍ରପତି ପ୍ରଶଂସା କରିଛନ୍ତି। କେବଳ ସେତିକି ନୁହେଁ, ଡାକ୍ତର, ନର୍ସ, ଶିକ୍ଷକ, ସରକାରୀ ଚାକିରିଆ, କାରଖାନାର ଶ୍ରମିକ ଏବଂ ବ୍ୟବସାୟୀଙ୍କ ଭଳି ବ୍ୟକ୍ତି ଯେଉଁମାନେ ସେମାନଙ୍କ ଦାୟିତ୍ୱ ନିଷ୍ଠା ଓ ପ୍ରତିଶ୍ରୁତିବଦ୍ଧତାର ସହିତ ସମ୍ପାଦନ କରୁଛନ୍ତି ସେମାନେ ଆମ ସ୍ୱାଧୀନତା ସଂଗ୍ରାମର ନୀତିକୁ ଧରି ରଖିଛନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି।

ଦେଶରେ ଯେଉଁ ହାରରେ ପ୍ରଗତି ଓ ପରିବର୍ତ୍ତନ ହେଉଛି ତାହାକୁ ରାଷ୍ଟ୍ରପତି ପ୍ରଶଂସା କରିଛନ୍ତି। ଲୋକ, ନାଗରିକ ସମାଜ ଏବଂ ନାଗରିକ ଓ ସରକାରଙ୍କ ମଧ୍ୟରେ ସହଭାଗିତା ଦ୍ୱାରା ଭାରତ ଆଗକୁ ବଢ଼ୁଛି। ଏହା ହିଁ ଭାରତୀୟ ସଭ୍ୟତାର ପରମ୍ପରା। ପୁନଶ୍ଚ ସମାଜର ଦୁର୍ବଳ ବର୍ଗଙ୍କୁ ଉନ୍ନତ ଜୀବନ ଯୋଗାଇ ଦେବା ମଧ୍ୟ ଆମ ସଭ୍ୟତାର ମୂଳତତ୍ତ୍ୱ ରହିଆସିଛି ବୋଲି ରାଷ୍ଟ୍ରପତି କହିଛନ୍ତି। ସମାଜରେ ମହିଳାମାନଙ୍କର ସ୍ୱତନ୍ତ୍ର ଭୂମିକା ରହିଥିବାରୁ ସେମାନଙ୍କ ସାମର୍ଥ୍ୟର ପୂର୍ଣ୍ଣ ବିକାଶ ପାଇଁ ସେମାନଙ୍କୁ ଆହୁରି ଅଧିକ ସ୍ୱାଧୀନତା ଯୋଗାଇ ଦେବାକୁ ରାଷ୍ଟ୍ରପତି ଗୁରୁତ୍ୱାରୋପ କରିଛନ୍ତି।

ରାଷ୍ଟ୍ରପତି ଏହା ମଧ୍ୟ କହିଛନ୍ତି ଯେ, ସ୍ୱାଧୀନତା ଦିବସ ସର୍ବଦା ସ୍ୱତନ୍ତ୍ର। ତେବେ ଚଳିତବର୍ଷର ସ୍ୱାଧୀନତା ଦିବସ ଅଧିକ ଗୁରୁତ୍ୱପୂର୍ଣ୍ଣ କାରଣ ଆସନ୍ତା ଅକ୍ଟୋବର ୨ ତାରିଖରେ ଦେଶ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ଆରମ୍ଭ କରିବ। ତେଣୁ ଗାନ୍ଧୀଙ୍କ ଚିନ୍ତାଧାରା ଏବଂ ତତ୍ତ୍ୱକୁ ଗ୍ରହଣ କରିବା ଲାଗି ସେ ଦେଶବାସୀଙ୍କୁ ଆହ୍ଵାନ କରିଛନ୍ତି।