ଶ୍ରୀମନ୍ଦିରରେ ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗ : ମହାମହିମଙ୍କ ମିଡିଆ ସଚିବ କହିଲେ, ମନ୍ଦିର ପ୍ରଶାସନକୁ ପଠାଯାଇନି କୌଣସି ଚିଠି

24

କନକ ବ୍ୟୁରୋ : ରାଷ୍ଟ୍ରପତି କିମ୍ବା ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର ହୋଇନାହିଁ କିମ୍ବା ଏ ସଂପର୍କିତ କୌଣସି ଚିଠି ପୁରୀ ଜିଲ୍ଲା ପ୍ରଶାସନ ପାଖକୁ ଯାଇନାହିଁ । ରାଷ୍ଟ୍ରପତିଙ୍କ ପ୍ରେସ ସଚିବ ଇଣ୍ଡିଆ ଟୁଡେକୁ ସାକ୍ଷାତକାର ଦେଇ ଏଭଳି ସ୍ପଷ୍ଟୀକରଣ ରଖିଛନ୍ତି । ଏଭଳି ସ୍ଥିତିରେ ପ୍ରଶ୍ନ ଉଠୁଛି, ଯଦି ରାଷ୍ଟ୍ରପତିଙ୍କୁ କୌଣସି ଦୁର୍ବ୍ୟବହାର ହୋଇନାହିଁ, ତେବେ ପରିଚାଳନା କମିଟି ରିଜୋଲ୍ୟୁସନରେ କେମିତି ସ୍ଥାନ ପାଇଲା ରାଷ୍ଟ୍ରପତିଙ୍କୁ ଅପମାନ ପ୍ରସଙ୍ଗ ।

ରାଷ୍ଟ୍ରପତି ରାମନାଥ ଗୋବିନ୍ଦଙ୍କ ଜଗନ୍ନାଥ ଦର୍ଶନ ବେଳେ ଶ୍ରୀମନ୍ଦିରରେ ସେବାୟତଙ୍କ ଦୁର୍ବ୍ୟବହାର ନେଇ ଉଠୁଥିବା ପ୍ରଶ୍ନ ପରେ ଏବେ ଆସିଛି ଆଉ ଏକ ତଥ୍ୟ । ରାଷ୍ଟ୍ରପତିଙ୍କ ପ୍ରେସ ସଚିବ ଅଶୋକ ମଲ୍ଲିକଙ୍କ ଏହି ସ୍ପଷ୍ଟୀକରଣ ହିଁ ବୟାନ କରୁଛି- ରାଷ୍ଟ୍ରପତି କିମ୍ବା ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର ହୋଇନି କିମ୍ବା ଏ ସଂପର୍କିତ କୌଣସି ଚିଠି ପୁରୀ ଜିଲ୍ଲା ପ୍ରଶାସନ ପାଖକୁଯାଇନାହିଁ । ଇଣ୍ଡିଆ ଟୁଡେକୁ ସାକ୍ଷାତକାର ଦେଇ ଅଶୋକ ମଲ୍ଲିକ ଯେଉଁ ମତ ରଖିଛନ୍ତି ତାହା, ରାଷ୍ଟ୍ରପତିଙ୍କ ଗସ୍ତକୁ ଉଠୁଥିବା ବିବାଦର ଅବସାନ ଘଟାଇଥିବା ବେଳେ ଏହାକୁ ନେଇ ଉଠଛି ଅନେକ ପ୍ରଶ୍ନ ।

-ପରିଚାଳନା କମିଟି ରିଜୋଲ୍ୟୁସନରେ କେମିତି ସ୍ଥାନ ପାଇଲା ରାଷ୍ଟ୍ରପତିଙ୍କୁ ଅପମାନ ପ୍ରସଙ୍ଗ -କିଏ ଆଉ କେଉଁ ଉଦ୍ଦେଶ୍ୟ ରଖି ରାଷ୍ଟ୍ରପତିଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗ ଏଥିରେ ଲେଖିଲେ?

– କାହିଁକି ମୁହଁ ଖୋଲୁ ନାହିଁନ୍ତି ତତ୍କାଳୀନ ଶ୍ରୀମନ୍ଦିର ପ୍ରଶାସକ କିମ୍ବା ପୁରୀ ଜିଲ୍ଲାପାଳ?

ରାଷ୍ଟ୍ରପତି କିମ୍ବା ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର ନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ କୌଣସି ଚିଠି ଆସିନଥିବା ଶ୍ରୀମନ୍ଦିର ପ୍ରଶାସକ ଏବଂ ମୁଖ୍ୟ ଶାସନ ସଚିବ ପୂର୍ବରୁ ସୂଚନା ଦେଇଥିବା ବେଳେ ଏହି ପ୍ରସଙ୍ଗରେ କେଉଁ କାରଣରୁ ମୁହଁବନ୍ଦ ରଖିଛନ୍ତି ତତ୍କାଳୀନ ଶ୍ରୀମନ୍ଦିର ପ୍ରଶାସକ ଏବଂ ବର୍ତ୍ତମାନର ପୁରୀ ଜିଲ୍ଲାପାଳ ।

ବଡ କଥା ହେଉଛି, ବିନାକାରଣରେ ସେବାୟତଙ୍କୁ ବଦନାମ କରିବା ପାଇଁ ପୁରୀ ଜିଲ୍ଲାପାଳ ଉଦ୍ୟମ କରିଥିବା ନେଇ ସିଂହଦ୍ୱାର ଥାନାରେ ଅଭିଯୋଗ ବି ହୋଇଛି । ଆଉ ଏତେ ସବୁ ପରେ ବି ଉଭୟ ଜିଲ୍ଲାପାଳ ଏବଂ ତତ୍କାଳୀନ ଶ୍ରୀମନ୍ଦିର ପ୍ରଶାସକ ଚୁପ୍ । ମାର୍ଚ୍ଚ ୧୮ ତାରିଖରେ ଦେଶର ପ୍ରଥମ ନାଗରିକ ଠାକୁର ଦର୍ଶନ କରି ଫେରିବାର ଠିକ୍ ଦୁଇ ଦିନ ପରେ ବସିଥିଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଆଉ ଏହି ବୈଠକରେ ଯେଉଁ ରିଜୋଲ୍ୟୁସନ ପାରିତ ହୋଇଥିଲା, ତାହା ଏକ ବଡ ବିବାଦ ସୃଷ୍ଟି କରିଥିଲା ।