ନୋବେଲ ପୁରସ୍କାର ପାଇଁ ଭାରତୀୟ ବଂଶୋଦ୍ଭବ ଅଭିଜିତଙ୍କୁ ଅଭିନନ୍ଦନ ଜଣାଇଲେ ମୋଦି-ନବୀନ । ମୁଖ୍ୟମନ୍ତ୍ରୀ କହିଲେ, ଅଭିଜିତଙ୍କ ପାଇଁ ଆଜି ଦେଶ ଗର୍ବିତ ।

260

କନକ ବ୍ୟୁରୋ : ଚଳିତବର୍ଷ ଅର୍ଥନୀତିରେ ନୋବେଲ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ ତଥା ବିଶିଷ୍ଟ ଅର୍ଥନୀତିଜ୍ଞ ଅଭିଜିତ୍ ବାନାର୍ଜୀ । ଆଉ ଅଭିଜିତଙ୍କ ଏଭଳି ସଫଳତାକୁ ନେଇ ପୂରା ଦେଶରେ ଖୁସିର ମାହୋଲ ଖେଳିଯାଇଛି । ଏପରିକି ଏଭଳି ସଫଳତା ପାଇଁ ଏବେ ଅଭିଜିତଙ୍କ ନିକଟକୁ ଛୁଟିଛି ଅଭିନନ୍ଦନର ସୁଅ । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଅଭିଜତିଙ୍କୁ ଅଭିନନ୍ଦନ ସହ ଶୁଭେଚ୍ଛା ଜଣାଇଛନ୍ତି ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଲେଖିଛନ୍ତି, ଅଭିଜିତଙ୍କ ଗବେଷଣା ଅର୍ଥନୀତିଜ୍ଞଙ୍କୁ ଭାରତ ଓ ବିଶ୍ୱବ୍ୟାପି ଦେଖାଯାଉଥିବା ଦାରିଦ୍ର୍ୟକୁ କିଭଳି ମୁକାବିଲା କରିବାକୁ ହେବ ସେ ନେଇ ସାହାଯ୍ୟ କରିବ ।

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଅଭିଜିତଙ୍କୁ ଅଭିନନ୍ଦନ ଜଣାଇଥିବାବେଳେ ଦାରିଦ୍ର୍ୟ ଦୂରୀକରଣରେ ଉଲ୍ଲେଖନୀୟ ଅବଦାନକୁ ପ୍ରଶଂସା କରିଛନ୍ତି ।

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି ଏଭଳି ସଫଳତା ପାଇଁ ଶୁଭେଚ୍ଛା ଜଣାଇବା ସହ ଦାରିଦ୍ର୍ୟ ଦୂରୀକରଣରେ ଉଲ୍ଲେଖନୀୟ ଅବଦାନକୁ ପ୍ରଶଂସା କରିଛନ୍ତି । ଏହାସହ ନବୀନ ଲେଖିଛନ୍ତି ଯେ ଦେଶ ଆଜି ଅଭିଜିତଙ୍କ ପାଇଁ ଗର୍ବିତ ।

ଭାରତୀୟ ବଂଶୋଦ୍ଭବ ଅର୍ଥନୀତିଜ୍ଞ ଅଭିଜିତ୍ ବିନାୟକ ବାନାର୍ଜୀ କୋଲକାତାରେ ଜନ୍ମିତ। ସେ କୋଲକାତାର ପ୍ରେସିଡେନ୍ସୀ କଲେଜରେ ସ୍ନାତକ ଶେଷ ପରେ ଦିଲ୍ଲୀର ଜବାହରଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକୋତ୍ତର କରିବା ପରେ ହାଭାର୍ଡ ବିଶ୍ୱବିଦ୍ୟାଳୟରୁ ପିଏଚଡି ଲା ଭ କରିଥିଲେ। ବିଶ୍ୱର ଜଣେ ଜଣାଶୁଣା ଅର୍ଥନୀତିଜ୍ଞ ଅଭିଜିତ ବାନାର୍ଜୀ ବର୍ତ୍ତମାନ ମାସାଚ୍ୟୁଟସ୍ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିରେ ଅର୍ଥନୀତି ବିଭାଗରେ ପ୍ରଫେସର ଭାବେ କାର୍ଯ୍ୟ କରୁଛନ୍ତି।