ଶ୍ରୀକ୍ଷେତ୍ରରେ ରାଷ୍ଟ୍ରପତି ! ଶ୍ରୀଜୀଉଙ୍କୁ ଦର୍ଶନ କଲେ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ

20

କନକ ବ୍ୟୁରୋ: ରାଷ୍ଟ୍ରପତିଙ୍କ ଜଗନ୍ନାଥ ଦର୍ଶନ । ପୁରୀରେ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସକାଳ ୭ଟା ୩୦ରୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିଲେ ରାଷ୍ଟ୍ରପତି । ଏବେ ସେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ମା’ ସୁଭଦ୍ରାଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି । ୮ଟା ୧୫ ପର୍ଯ୍ୟନ୍ତ ମନ୍ଦିର ପରିସରରେ ରହିବେ ରାଷ୍ଟ୍ରପତି । ଏଥିପାଇଁ ସାଧାରଣ ଦର୍ଶନ ପ୍ରାୟ ୨ ଘଂଟା ପାଇଁ ବନ୍ଦ ରଖାଯାଇଛି । ସକାଳ ୬ଟା ୩୦ରୁ ୮ଟା ୩୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରଖିବାକୁ ନିଷ୍ପତି ନେଇଛି ଶ୍ରୀମନ୍ଦିର ପ୍ରଶାସନ ।

ଏଥିପାଇଁ ଗତକାଲି ଅପରାହ୍ନରୁ ପୁରୀରେ ପହଂଚି ସାରିଛନ୍ତି ରାଷ୍ଟ୍ରପତି । ପୁରୀ ତାଳବଣିଆ ହେଲିପ୍ୟାଡରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସ୍ୱତନ୍ତ୍ର ହେଲିକାପ୍ଟର ଅବତରଣ କରିବା ପରେ ଜିଲ୍ଲାପାଳ ଓ ଏସପି ସ୍ୱାଗତ କରିଥିଲେ ।ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ଏସ ସି ଜମିର ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଥିଲେ । ହେଲିପ୍ୟାଡରୁ ରାଷ୍ଟ୍ରପତି ସିଧା ପୁରୀ ସର୍କିଟ ହାଉସ ଅଭିମୁଖେ ବାହାରିଥିଲେ । ପୁରୀ ସର୍କିଟ ହାଉସର ୧୧୬ ନମ୍ବର ପ୍ରକୋଷ୍ଠ , ଯାହାର ନାମକରଣ ହୋଇଛି ମହୋଦଧୀରେ ରାତ୍ରୀଯାପନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ତାଙ୍କସହ ଆସିଥିବା ପତ୍ନୀ ତଥା ଦେଶର ପ୍ରଥମ ମହିଳା ସବିତା କୋବିନ୍ଦ ୧୧୫ ନମ୍ବର ପ୍ରକୋଷ୍ଠରେ ରହିଥିଲେ ।

ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ଅବସରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ବ୍ଲୁ ବୁକ ଅନୁସାରେ ସୁରକ୍ଷା ବନ୍ଦୋବସ୍ତ କରାଯାଇଥିବାବେଳେ ସର୍କିଟ ହାଉସ, ସୁଭାଷ ବୋଷ ଛକରୁ ସମୁଦ୍ରକୂଳ ଥାନା ପର୍ଯ୍ୟନ୍ତ ରାସ୍ତାକୁ ସିଲ କରିଦିଆଯାଇଛି । ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ପ୍ରଥମ ଦିନରେ କଟକ ତୁଳସୀପୁରରେ ଥିବା ଆନନ୍ଦ ଭବନ ସଂଗ୍ରହାଳୟ ଓ ଜ୍ଞାନ କେନ୍ଦ୍ରକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିଥିଲେ ।