କିଏ ହେବ ରାଷ୍ଟ୍ରପତି ! ବିରୋଧୀ କ୍ୟାମ୍ପ୍ ସହ ବିଜେପିର ଆଲୋଚନା

20

କନକ ବ୍ୟୁରୋ : ସୋନିଆ ଗାନ୍ଧୀଙ୍କୁ ଭେଟିଲେ ବିଜେପି ନେତା । ରାଷ୍ଟ୍ରପତି ପ୍ରାର୍ଥୀ ଚୟନ ପାଇଁ ଏନଡିଏ ଗଠନ କରିଥିବା ୩ଜଣିଆ କମିଟିର ସଦସ୍ୟ ରାଜନାଥ ସିଂହ ଓ ଭେଙ୍କେୟା ନାଇଡୁ କଂଗ୍ରେସ ଅଧ୍ୟକ୍ଷା ସୋନିଆଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିଛନ୍ତି । ଏପଟେ ନବୀନ କାହାକୁ ସମର୍ଥନ ଦେବେ ତାକୁ ନେଇ ରାଜ୍ୟ ରାଜନୀତିରେ ଚାଲିଛି ଅଙ୍କକଷା ।

ରାଷ୍ଟ୍ରପତି ନିର୍ବାଚନରେ କାହାକୁ ସମର୍ଥନ କରିବ ବିଜେଡି ? ବିଜେପି ଓ କଂଗ୍ରେସ୍ ଠାରୁ ସମଦୂରତ୍ୱ କଥା କହୁଥିବା ନବୀନ କେଉଁ ଜାତୀୟ ଦଳ ପଟକୁ ଢଳିବେ ? ଏହାକୁ ନେଇ ରାଜ୍ୟ ରାଜନୀତିରେ ଚାଲିଛି ଅଙ୍କକଷା । ରାଜନୀତି ବିଷାରଦଙ୍କ ମତରେ ବର୍ତ୍ତମାନ ପରିସ୍ଥିତିରେ ମୋଦି ସରକାରଙ୍କ ବିରୋଧରେ ଯିବାକୁ ଚାହିଁବେନି ନବୀନ । କାରଣ ୨୦୦୨ ଓ ୨୦୦୭ରେ ଏନଡିଏର ସହଯୋଗୀ ଥିବା ବିଜେଡି ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ କରିଥିଲା ।

କିନ୍ତୁ ୨୦୧୨ରେ ନିଜେ ନବୀନ ସ୍ୱର୍ଗତ ପି ଏ ସାଙ୍ଗମାଙ୍କ ନାମ ଘୋଷଣା କରି ଖେଳିଥିଲେ ଏକ ରାଜନୈତିକ କାର୍ଡ । ଯାହକୁ ସେ ସମୟରେ ଏନଡିଏ ମଧ୍ୟ ସମର୍ଥନ କରିଥିଲା । ତେଣୁ ରାଜନୈତିକ ସମୀକ୍ଷକଙ୍କ ମତରେ ବର୍ତ୍ତମାନ କେନ୍ଦ୍ରରେ ଥିବା ଏନଡିଏ ସରକାରଙ୍କ ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ କରିବା ସମ୍ଭାବନା ଅଧିକ । ଏପରିକି ଦ୍ୱନ୍ଦାତ୍ମକ ପରିସ୍ଥିତି ଉପୁଜିଲେ ବିଜେଡି ତାର ସଭ୍ୟଙ୍କୁ ବିବେକ ଅନୁଯାୟୀ ଭୋଟ୍ ଦେବାକୁ ଅପିଲ୍ ମଧ୍ୟ କରିପାରେ । ତେଣୁ ଉଭୟ ଜାତୀୟ ଦଳର ପ୍ରାର୍ଥୀ ଚୟନକୁ ନଜର ରଖିଛନ୍ତି ନବୀନ ।

ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଏନଡିଏକୁ ଅନ୍ୟ ରାଜନୈତିକ ଦଳର ସମର୍ଥନ ଆବଶ୍ୟକ । ଏପରି କ୍ଷେତ୍ରରେ ବିଜେଡିର ମଧ୍ୟବେଶ୍ ଗୁରୁତ୍ୱ ରହିବ । ତେଣୁ ନବୀନଙ୍କ ନିଷ୍ପତି ଉପରେ ରାଜନୈତିକ ମହଲ ସତର୍କ ଦୃଷ୍ଟି ରଖିଛି ।