କିଏ ହେବ ବିଜେପି ମୁଖିଆ ? ପଦ୍ମ ଦଳର ମଙ୍ଗ ଧରିପାରନ୍ତି ପୃଥ୍ୱୀରାଜ ହରିଚନ୍ଦନ । ରେସରେ ଉପ-ସଭାପତି ସମୀର ମହାନ୍ତି ନାଁ । ଶୁକ୍ରବାର ‘ସଭାପତି’ ପରୀକ୍ଷା

575

କନକ ବ୍ୟୁରୋ: ବିଜେପିର ରାଜ୍ୟ ସଭାପତି ପଦ କିଏ ସମ୍ଭାଳିବେ ସେନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ସବୁଠୁ ଆଗରେ ଅଛନ୍ତି ପୃଥ୍ୱୀରାଜ ହରିଚନ୍ଦନ ଓ ସମୀର ମହାନ୍ତି । ବାଣୀବିହାର ଛାତ୍ର ସଂସଦ ନିର୍ବାଚନରେ ବିଜୟର ସ୍ୱାଦ ଚାଖିଥିବା ପୃଥ୍ୱୀରାଜ ଆଗକୁ ସେମିତି କିଛି ସଫଳତା ପାଇନାହାନ୍ତି । ସେପଟେ ସମୀର ମହାନ୍ତି ଭୁବନେଶ୍ୱରରେ ବିଜେପିର ସଂଗଠନ ସମ୍ଭାଳିବା ସହ ସକ୍ରିୟ ରାଜନୀତିରେ ଅଛନ୍ତି । ଏସବୁ ଭିତରେ ନୂଆ ସଭାପତିଙ୍କ ସବୁଠୁ ବଡ ଚ୍ୟାଲେଂଜ ହେବ ବିଜେଡି ଭଳି ଏକ ବଡ ଶକ୍ତି ଆଗରେ ବିଜେପିକୁ ବିଜୟ ପାଇଁ ପ୍ରସ୍ତୁତ କରିବା ।

ତେବେ ଏସବୁ ଚର୍ଚ୍ଚା ଆଲୋଚନା ଭିତରେ କିଏ ହେବ ବିଜେପିର ରାଜ୍ୟ ମଙ୍ଗୁଆଳ? କାହା ମୁଣ୍ଡରେ ଦିଆଯିବ ରାଜ୍ୟ ବିଜେପିର ଭାର ? ୨୦୧୯ ଲଢେଇରେ ପୂର୍ବଥର ଅପେକ୍ଷା ଭଲ କରିଥିବା ବିଜେପି ୨୩ଟି ଆସନ ଅକ୍ତିଆର କରି ଶାସକ ଦଳକୁ ଆମେ ଆଗଉଛୁ ବୋଲି ଏକ ସଂକେତ ଦେଇଥିଲା । ତେଣୁ ୨୦୨୪ରେ ବିଜେଡି ବିରୋଧରେ ଏକ ବଡ ଜନମତ ଗୋଟାଇବାକୁ ଜଣେ ଭଲ ନେତୃତ୍ୱ ଲୋଡା । ତେଣୁ ଯିଏ ବି ବିଜେପିର ମୁଖିଆ ହେବେ ସେ ବଡ ଚାଲେଞ୍ଜଙ୍କୁ ଗ୍ରହଣ କରିବେ ।

ରାଜ୍ୟ ବିଜେପି ସଭାପତି ରେସରେ ଆଗରେ ରହିଛନ୍ତି ପୃଥ୍ୱୀରାଜ ହରିଚନ୍ଦନ ଏବଂ ସମୀର ମହାନ୍ତି । ୧୯୮୬ ମସିହାରେ ରାଜନୀତିରେ ପାଦ ଥାପିଥିବା ପୃଥ୍ୱୀରାଜ ବାଣୀବିହାର ଛାତ୍ର ସଂସଦ ନିର୍ବାଚନରେ ସେହି ବର୍ଷ ବାଜିମାତ କରି ତାଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ଅବଶ୍ୟ ପରେ ସେଭଳି କୌଣସି ସଫଳତା ମିଳିନଥିଲା । ତେବେ ୨୦୧୯ ବିଧାନସଭା ନିର୍ବାଚନରେ ଚିଲିକା ନିର୍ବାଚନ ମଣ୍ଡଳୀରୁ ପାଖାପାଖି ୭୦ହଜାର ଭୋଟ ପାଇଥିଲେ । ସେପଟେ ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ବିଜେପିର ରାଜନୈତିକ ସଂଗଠନ ସମ୍ଭାଳିଥିବା ସମୀର ଦୀର୍ଘ ବର୍ଷ ଧରି ସକ୍ରିୟ ରାଜନୀତିରେ ଅଛନ୍ତି । ସଭାପତି ଚୟନ ପାଇଁ ଦିନକ ପରେ କେନ୍ଦ୍ରୀୟ ପ୍ରତିନିଧି ରାଜୀବ ପ୍ରତାପ ରୁଡି ଏବଂ ନରେନ୍ଦ୍ର ସିଂହ ତୋମାର ଓଡିଶା ଆସୁଛନ୍ତି ।

ବିଜେପି ରାଜ୍ୟ ସଭାପତି ପାଇଁ କେ.ବି ସିଂହଦେଓ ଏବଂ ଜୁଏଲ ଓରାମଙ୍କ ନାମ ଉଠୁଥିବା ବେଳେ ୧୬ ତାରିଖ ଅପରାହ୍ନ ୩ଟାରୁ ୪ଟା ମଧ୍ୟରେ ହେବ ନୋମିନେସନ । ୪ଟା ୩୦ରୁ ୫ଟା୩୦ ମଧ୍ୟରେ ନାମାଙ୍କନ ଯାଂଚ ହେବ । ୫ଟା ୩୦ରୁ ୭ ଟା ମଧ୍ୟରେ ନାମାଙ୍କନ ପ୍ରତ୍ୟାହାର ପାଇଁ ରହିଛି ସମୟ ସୀମା । ଯଦି ଆବଶ୍ୟକ ହୁଏ ତେବେ ୧୭ ତାରିଖ ସକାଳ ୧୦ଟାରୁ ଗୋଟାଏ ମଧ୍ୟରେ ହେବ ଭୋଟିଂ । ଏକାଧିକ ପ୍ରାର୍ଥୀ ରହିଲେ ଦିନ ୧ଟା ୩୦ରେ କାଉଟିଂ ହେବ । ଯଦି ଜଣେ ପ୍ରାର୍ଥୀ ରହିବେ ତେବେ ଦିନ ୧୧ଟାରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରାଜ୍ୟ ସଭାପତିଙ୍କ ନାଁ ଘୋଷଣା କରିବେ ।

ତେବେ ପୂର୍ବତନ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ସମୟରେ ୨୦୧୯ ସାଧାରଣ ନିର୍ବାଚନର ଫଳାଫଳ ରାଜ୍ୟ ବିଜେପି ପାଇଁ ଟିକିଏ ଆଶ୍ୱସ୍ତି ଆଣିଥିଲା । ପୂର୍ବପେକ୍ଷା ଅଧିକ ଆସନ ପାଇ ମୁଖ୍ୟ ବିରୋଧୀ ଦଳ ଭାବେ ଉଭା ହୋଇଛି ବିଜେପି । ହେଲେ ବିଜେଡି ଭଳି ଏକ ବଡ ଶକ୍ତି ଆଗରେ ବିଜେପିକୁ ପ୍ରସ୍ତୁତ କରିବା ନୂଆ ସଭାପତିଙ୍କ ପାଇଁ ଏକ ବଡ ଚ୍ୟାଲେଂଜ ହେବା । ଆଉ ଏହି ଭାର କିଏ ନେଉଛି ତାହା ରେଜଲ୍ଟ ଘୋଷଣା ପରେ ହିଁ ଜଣାପଡିବ ।