ଆଜି ବୁଲିଲେ, କାଲି କଣ ? ଆସନ୍ତାକାଲି କେଉଁ କେଉଁ କାର୍ଯ୍ୟକ୍ରମରେ ଯୋଗଦେବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଜାଣନ୍ତୁ ଟ୍ରମ୍ପଙ୍କ ପୂରା ଟାଇମ୍ ଟେବୁଲ୍

620

କନକ ବ୍ୟୁରୋ: ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ଆମେରିକା ରାଷ୍ଟ୍ରପତିଙ୍କ ଗୋଟିଏ ଦିନର କାର୍ଯ୍ୟକ୍ରମ ସରିଛି । ଆଜି ଦିନରେ ଅହମଦାବାଦରେ ପହଞ୍ଚିବା ପରେ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଆଗ୍ରାର ତାଜମହଲ ବୁଲି ଦେଖିଥିଲେ ଟ୍ରମ୍ପ ଦମ୍ପତି । ପ୍ରେମର ପ୍ରତୀକ ବୁଲି ଦେଖିବା ପରେ ଟ୍ରମ୍ପଙ୍କ ପରିବାର ଦିଲ୍ଲୀରେ ପହଞ୍ଚିଛନ୍ତି । ତେବେ ଆଜି ଦିଲ୍ଲୀ ଆଲିସାନ ହୋଟେଲ ମୌର୍ଯ୍ୟରେ ରାତ୍ରିଯାପନ କରିବେ ଟ୍ରମ୍ପ ।

ଆଟିସି ମୌର୍ଯ୍ୟରେ ଡୋନାଲ୍ଡ ଟ୍ରମ୍ପ ଦମ୍ପତି ରହିବାକୁ ଥିବାବେଳେ ଏହି ହୋଟେଲରେ ରହିଛି ଅତ୍ୟାଧୁନିକ ସୁବିଧା । ୪ହଜାର ୬୦୦ ସ୍କୋୟାର ଫୁଟର ଏହି ରୁମରେ ରହିଛି ସମସ୍ତ ଅତ୍ୟାଧୁନିକ ସୁବିଧା । ରୁମର କାଚ ଝରକା ବୁଲେଟ୍ ପ୍ରୁଫ୍ ହୋଇଥିବା ବେଳେ ରୁମକୁ ଯିବା ପାଇଁ ସ୍ୱତନ୍ତ୍ର ପ୍ରବେଶ ପଥ ରହିଛି । ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା ସହ ହାଇସ୍ପିଡ୍ ଏଲିଭେଟରର ସୁବିଧା ମଧ୍ୟ ରହିଛି । ଟ୍ରମ୍ପ ଦମ୍ପତ୍ତିଙ୍କ ସହ ତାଙ୍କ ଝିଅ ଓ ଜ୍ୱାଇଁ ବି ଆଜି ଦିଲ୍ଲୀରେ ରହିବେ । ସେପଟେ ସେମାନଙ୍କ ସୁରକ୍ଷା ପାଇଁ ପୁରା ସହର ପୁଲିସ ଛାଉଣୀରେ ପରିଣତ ହୋଇଛି । ଦିଲ୍ଲୀରେ ଗୋଟିଏ ନାଗରିକତା ସଂଶୋଧନ ଆଇନକୁ ନେଇ ପ୍ରତିବାଦ ହିଂସାର ରୂପ ନେଇଥିବା ବେଳେ ସୁରକ୍ଷାକୁ କଡାକଡି କରାଯାଇଛି ।

ତେବେ ଆସନ୍ତାକାଲି ଟ୍ରମ୍ପ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । କାଲି ସକାଳେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହାସହ ରାଷ୍ଟ୍ରପତି ଭବନରେ ବି ଟ୍ରମ୍ପଙ୍କ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରଖାଯାଇଛି ।

ଆସନ୍ତାକାଲି ସକାଳ ୧୦ଟାରେ ରାଷ୍ଟ୍ରପତି ଭବନରେ ଟ୍ରମ୍ପଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବ । ଦିନ ୧୦ଟା ୩୦ରେ ରାଜଘାଟରେ ମହାତ୍ମା ଗାନ୍ଧୀଙ୍କ ସମାଧୀରେ ଶ୍ରଦ୍ଧାସୁମନ ଅର୍ପଣ କରିବେ ଟ୍ରମ୍ପ । ଦିନ ୧୧ଟାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ହାଇଦ୍ରାବାଦ ହାଉସରେ ଆଲୋଚନା କରିବେ ଟ୍ରମ୍ପ । ପରେ ମଧ୍ୟାହ୍ନ ପ୍ରାୟ ୧୨ଟା ୩୦ରେ ମୋଦି ଓ ଟ୍ରମ୍ପ ମିଳିତ ସାମ୍ବାଦିକ ସମ୍ମିଳନୀ କରିବେ । ସନ୍ଧ୍ୟା ପ୍ରାୟ ୭ଟା ୩୦ରେ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ଟ୍ରମ୍ପଙ୍କ ବୈଠକ କାର୍ଯ୍ୟକ୍ରମ ରହିଛି । ଆଉ ଏହାପରେ ରାତି ପ୍ରାୟ ୧୦ଟାରେ ଆମେରିକା ଅଭିମୁଖେ ଯାତ୍ରା କରିବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।