ଘୋଷଣା ହେଲା ବୀରତା ପୁରସ୍କାର ! ଚେତନ ଚିତାଙ୍କୁ କିର୍ତ୍ତୀ ଚକ୍ର ସହ ୧୧୨ ଯବାନଙ୍କୁ ମିଳିଲା ମେଡାଲ୍

42

କନକ ବ୍ୟୁରୋ : ସମଗ୍ର ଦେଶ ପାଳନ କରୁଛି ୭୧ତମ ସ୍ୱାଧୀନତା ଦିବସ । ଆଉ ଏହି ଅବସରରେ ଘୋଷଣା ହୋଇଛି ସମ୍ମାନଜନକ ବୀରତା ପୁରସ୍କାର । ସୀମାରେ ନିଜର ଅଦମ୍ୟ ସାହସ ପ୍ରଦର୍ଶନ କରିଥିବା ୧୧୨ ଜଣ ସୈନିକଙ୍କ ନାଁ ଏଥିରେ ସାମିଲ୍ ଅଛି । ଏହି ବୀର ଯବାନଙ୍କ ମଧ୍ୟରେ ଅଛନ୍ତି ଚେତନ୍ ଚିତା ଯିଏ ଜମ୍ମୁ କଶ୍ମୀରରେ ଆତଙ୍କବାଦୀଙ୍କ ସହ ଲଢେଇ କରି ଗମ୍ଭୀର ଭାବରେ ଆହତ ହୋଇଥିଲେ । ତାଙ୍କ ଶରୀରରେ ୯ଟି ବୁଲେଟ୍ ବାଜିଥିଲା । କିନ୍ତୁ ମୃତ୍ୟୁକୁ ମାତ୍ ଦେଇ ଅତ୍ୟନ୍ତ ଚମତ୍କାର ଭାବରେ ଫେରି ଆସିଥିଲେ ଚେତନ୍ । ତାଙ୍କର ଏହି ସାହସ ପାଇଁ ସ୍ୱାଧୀନତା ଦିବସ ଅବସରରେ ସରକାର ତାଙ୍କୁ କୀର୍ତ୍ତି ଚକ୍ର ସମ୍ମାନରେ ସମ୍ମାନିତ କରିଛନ୍ତି  ।

ସିଆରପିଏଫ୍ କମାଣ୍ଡାଂଟ ଚେତନ କୁମାର ଚିତା । କେବଳ ନାଁ ତାଙ୍କର ଚିତା ନୁହେଁ କାମ ମଧ୍ୟ ଚିତା ପରି । ୪୫ ବର୍ଷୀୟ ଚେତନ କୁମାରଙ୍କ ଜାମ୍ମୁ-କାଶ୍ମୀରରେ ସନ୍ତ୍ରାସବାଦୀଙ୍କ ସହ ହୋଇଥିଲା ଲଢେଇ । ଫେବୃୟାରୀ ୧୪ରେ କଶ୍ମୀରର ବାନ୍ଦିପୁରା ଜିଲ୍ଲାରେ ହୋଇଥିଲା ଏନକାଉଂଟର । ସେଥିରେ ୩ଜଣ ସୈ÷ନିକ ସହିଦ ହେବା ସହ ଜଣେ ଆତଙ୍କବାଦୀ ମରିଥିଲା । ଏହି ଏନକାଉଂଟରରେ ବହୁତ ମାତ୍ରାରେ ଆଘାତ ହୋଇଥିଲେ ଚେତନ କୁମାର । ୯ଟି ଗୁଳି ବାଜିଥିଲା ତାଙ୍କ ଶରୀରରେ । ମୁଣ୍ଡରେ ଲାଗିଥିଲା ଶକ୍ତ ଆଘାତ । ଶରୀରର ଉପରି ଭାଗ ପୁରା ଖଣ୍ଡିଆଖାବରା ହୋଇଯାଇଥିଲା । ମୂର୍ଚ୍ଛାବସ୍ଥାକୁ ଚାଲିଯାଇଥିଲେ ଚେତନ କୁମାର ।

ଜୀବନ ମୃତ୍ୟୁର ଅନେକ ସଂଘର୍ଷ ପରେ ପାଇଛନ୍ତି ନୂଆ ଜୀବନ । ଚିକିତ୍ସା କରୁଥିବା ଡାକ୍ତରମାନେ କହିଛନ୍ତି ଏହା କୌଣସି ଆଲୈାକିକ ଘଟଣା ଠାରୁ କମ୍ ନୁହେଁ । ଯେଉଁଠି ଏକ ମାସ ଧରି ଆଇସିୟୁରେ ଥିବା ଚେତନଙ୍କ ବଂଚିବା ନେଇ ଡାକ୍ତରମାନେ ସମସ୍ତ ଆଶା ଛଡେଇଦେଇଥିଲେ । ଚେତନ ଗତ ଏପ୍ରିଲ୍ ମାସରେ ଚେତା ଫେରିପାଇଛନ୍ତି ଆଉ ଏବେ ସୁସ୍ଥ ଅଛନ୍ତି । ତାଙ୍କ ଆରୋଗ୍ୟତାରେ ସମସ୍ତେ ଖୁସି ହେବା ସହ ଆଶ୍ଚର୍ଯ୍ୟ ବି ହୋଇଛନ୍ତି ।

ତେବେ ବୀରତା ଆୱାର୍ଡ ପାଇଁ ଘୋଷଣା ହୋଇଥିବବା ୧୧୨ଜଣ ବୀର ସୈନିକଙ୍କ ମଧ୍ୟରୁ ୫ଜଣଙ୍କୁ କୀର୍ତ୍ତି ଚକ୍ର, ୧୭ଜଣ ଯବାନଙ୍କୁ ସୌର୍ଯ୍ୟ ଚକ୍ର, ୮୫ ଜଣ ଯବାନଙ୍କୁ ସେନା ମେଡାଲ୍ , ତିନି ଜଣ ଯବାନଙ୍କୁ ନୌସେନା ମେଡାଲ୍ ଏବଂ ଦୁଇ ଜଣ ଯବାନଙ୍କୁ ମିଳିଛି ବାୟୁସେନା ମେଡାଲ୍ । ଏହି ୧୧୨ ବୀର ଯବାନଙ୍କ ଧ୍ୟରୁ ୧୯ ଯବାନଙ୍କୁ ମରୋଣତ୍ତର ସମ୍ମାନ ମିଳିଛି । ସର୍ବୋଚ୍ଚ ସମ୍ମାନ ଅଶୋକଚକ୍ର ପରେ କୀର୍ତ୍ତି ଚକ୍ର ହେଉଛି ବାହାଦୁରୀ ପାଇଁ ଦିଆଯାଉଥିବା ଦ୍ୱିତୀୟ ବଡ଼ ପୁରସ୍କାର । ସିଆରପିଏଫ କମାଣ୍ଡାଂଟ ଚେତନ ଚିତା ଓ ସହିଦ କମାଣ୍ଡାଂଟ ପ୍ରମୋଦ କୁମାରଙ୍କୁ ଏହି କୀର୍ତ୍ତି ଚକ୍ରରେ ପୁରସ୍କୃତ କରାଯାଇଛି।

ରକ୍ଷା ମନ୍ତ୍ରାଳୟ ଦ୍ୱାରା ଦିଆଯାଇଥିବା ସୂଚନା ଅନୁସାରେ, ଚଳିତ ବର୍ଷ କିର୍ତ୍ତୀ ଚକ୍ର ଦିଆଯାଇଥିବା ଯବାନ ମାନଙ୍କ ମଧ୍ୟରୁ ଦୁଇ ଜଣ ଆତଙ୍କ ବିରୋଧୀ ଅଭିଯାନରେ ସହିଦ୍ ହୋଇଥିଲେ । ତେବେ ଚଳିତ ବର୍ଷ ଅଶୋକ ଚକ୍ର ପାଇଁ ନାଁ ଘୋଷଣା କରାଯାଇନାହିଁ  ।