ଚନ୍ଦ୍ରକୁ ଗଲା ଚନ୍ଦ୍ରଯାନ-୨ । ଟ୍ୱିଟ୍ କରି ଇସ୍ରୋକୁ ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ, କହିଲେ ଭାରତ ପାଇଁ ଗୌରବର ଦିନ ।

114

କନକ ବ୍ୟୁରୋ : ଚନ୍ଦ୍ରକୁ ଗଲା ଚନ୍ଦ୍ରଯାନ-୨ । ଶ୍ରୀହରିକୋଟା ସତୀଶ ଧୱନ ମହାକାଶ କେନ୍ଦ୍ରରୁ ମାନବ ବିହୀନ ଚନ୍ଦ୍ରଯାନ-୨ର ପ୍ରକ୍ଷେପଣ କରାଯାଇଛି । ଅପରାହ୍ନ ୨ଟା ୪୩ ମିନିଟରେ ଚନ୍ଦ୍ରଯାନ-୨ର ପ୍ରକ୍ଷେପଣ କରାଯାଇଛି । ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା । ପ୍ରକ୍ଷେପଣ ଉପରେ ୨୫୦ ବୈଜ୍ଞାନିକ ନଜର ରଖିଥିଲେ । ଚନ୍ଦ୍ରଯାନ-୨ ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ହୋଇଛି । ଚନ୍ଦ୍ରଯାନ-୨ ପ୍ରକ୍ଷେପଣ କରି ଆମେରିକା, ରୁଷିଆ ଓ ଚୀନ ପରେ ଭାରତ ମହାକାଶ ବିଜ୍ଞାନର ଏକ ବିରାଟ ମାଇଲଖୁଣ୍ଡ ସ୍ଥାପନ କରିଛି । । ମାତ୍ର ୯୭୮ କୋଟି ଟଙ୍କା ଖର୍ଚ୍ଚରେ ଏବଂ ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ହୋଇଛି ଚନ୍ଦ୍ରଯାନ-୨ ।

ଚନ୍ଦ୍ରାୟନ-୨ର ସଫଳ ପ୍ରକ୍ଷେପଣ ପରେ ଟ୍ୱିଟ୍ କରି ଇସ୍ରୋ ଏବଂ ବୈଜ୍ଞାନିକ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ୱିଟ୍ କରି ମୋଦି କହିଛନ୍ତି, ଭାରତ ପାଇଁ ଏହା ଏକ ଐତିହାସିକ ମୁହୁର୍ତ୍ତ ଅଟେ । ଆଜି ସାରା ଭାରତବର୍ଷ ଗୌରବ ଅନୁଭବ କରୁଛି । ସେହିପରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଇସ୍ରୋ ଏବଂ ସମସ୍ତ ବୈଜ୍ଞାନିକଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଟ୍ୱିଟ୍ କରି ରାଷ୍ଟ୍ରପତି କହିଛନ୍ତି, ସାରା ଭାରତବର୍ଷ ପାଇଁ ଆଜି ହେଉଛି ଏକ ଗୌରବର ଦିନ ।

ସେହିପରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଟ୍ୱିଟ୍ କରି ଇସ୍ରୋକୁ ଅଭିନନ୍ଦନ ଜଣାଇବା ସହ ଭାରତ ଆଜି ଇତିହାସ ରଚିଛି ବୋଲି କହିଛନ୍ତି । ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଚନ୍ଦ୍ରଯାନ-୨ର ସଫଳ ପ୍ରକ୍ଷେପଣ ପାଇଁ ଟ୍ୱିଟ୍ କରି ଇସ୍ରୋକୁ ଶୁଭେଚ୍ଛା ଜଣାଇଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନେକ ମନ୍ତ୍ରୀ ଏବଂ ବିଶିଷ୍ଟ ବ୍ୟକ୍ତି ଟ୍ୱିଟ୍ କରି ଇସ୍ରୋକୁ ଅଭିନନ୍ଦନ ଜଣାଇବା ସହ ଆଜିର ଦିନକୁ ଐତିହାସିକ ଦିନ ବୋଲି କହିଛନ୍ତି ।

ଚନ୍ଦ୍ରଯାନ-୨କୁ ଚନ୍ଦ୍ର ପୃଷ୍ଠରେ ପହଂଚିବାକୁ ୩,୮୪୪ ଲକ୍ଷ କିଲୋମିଟର ବାଟ ଅତିକ୍ରମ କରିବାକୁ ପଡିବ । ଜିଏସଏଲଭି ଏମକେ-୩ ରକେଟ୍ ମାଧ୍ୟମରେ ଯାତ୍ରା କରିବ ଚନ୍ଦ୍ରଯାନ-୨ । ଅର୍ବିଟର, ଲାଣ୍ଡର ଓ ରୋଭରକୁ ନେଇ ଚନ୍ଦ୍ରଯାନ-୨ ଗଢା ହୋଇଛି । ଚନ୍ଦ୍ରଯାନ-୨ ଅନ୍ତରୀକ୍ଷ ଯାନ ୨ ଜୁଲାଇରୁ ଅଗଷ୍ଟ ୧୩ ଯାଏଁ ପୃଥିବୀର ଚାରିପଟେ ବୁଲିବ । ଏହାପରେ ୧୩ ଅଗଷ୍ଟରୁ ୧୯ ଅଗଷ୍ଟ ଯାଏଁ ଚନ୍ଦ୍ରକୁ ଯିବାକୁ ଥିବା ଲମ୍ବା କକ୍ଷ ଅଭିମୁଖେ ଯାତ୍ରା କରିବ । ୧୯ ଅଗଷ୍ଟରେ ହିଁ ଏହା ଚନ୍ଦ୍ର କକ୍ଷରେ ପହଁଚିବ । ଏହାପରେ ୧୩ ଦିନ ଧରି ଅର୍ଥାତ ଅଗଷ୍ଟ ୩୧ ତାରିଖ ଯାଏଁ ଚନ୍ଦ୍ରର ଚାରିପଟେ ଘୁରିବ । ଏହାପରେ ଡିସେମ୍ବର ୧ରୁ ବିକ୍ରମ ଲାଣ୍ଡର ଅର୍ବିଟରରୁ ଅଲଗା ହୋଇ ଚନ୍ଦ୍ରର ଦକ୍ଷିଣ ମେରୁ ଆଡକୁ ଯାତ୍ରା ଆରମ୍ଭ କରିବ । ୫ଦିନର ଯାତ୍ରା ପରେ ସେପ୍ଟେମ୍ବର ୬ରେ ବିକ୍ରମ ଲାଣ୍ଡର ଚନ୍ଦ୍ରର ଦକ୍ଷିଣ ମେରୁରେ ଲାଣ୍ଡ କରିବ ।