ଶ୍ରୀମନ୍ଦିର ସେବାୟତଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ! ରାଷ୍ଟ୍ରପତିଙ୍କ ଧର୍ମପତ୍ନୀଙ୍କ ସହ ଘଷି ହୋଇଥିଲେ ସେବାୟତ, ଚିଠିରୁ ମିଳିଲା ସାଂଘାତିକ ସତ

45

କନକ ବ୍ୟୁରୋ : ଶ୍ରୀମନ୍ଦିରରେ ଶୃଙ୍ଖଳାକୁ ନେଇ ବଡ ଧରଣର ବିତର୍କ ଚାଲିଥିବା ବେଳେ ରାଷ୍ଟ୍ରପତି ଭବନରୁ ଆସିଥିବା ଏକ ଚିଠି ପୁଣି ଏକ ନୂଆ ବିବାଦ ସୃଷ୍ଟି କରିଛି । ଗତ ମାର୍ଚ୍ଚ ମାସରେ ରାଷ୍ଟ୍ରପତିଙ୍କ ଶ୍ରୀମନ୍ଦିର ପରିଦର୍ଶନ ବେଳେ ଏଭଳି ଏକ ଘଟଣା ଘଟିଛି ଯାହା ପୁଣି ଥରେ ସେବାୟତଙ୍କ ଆଚରଣକୁ କାଠଗଡ଼ାରେ ଠିଆ କରିଦେଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ତାଙ୍କ ପତ୍ନୀ ଶ୍ରୀମନ୍ଦିର ଆସିଥିବା ସମୟରେ କିଛି ସେବାୟତ ତାଙ୍କ ସହ ଘଷି ହୋଇଥିଲେ । ଏମିତିକି ରାଷ୍ଟ୍ରପତିଙ୍କ ପାଇଁ କିଛି ସେବାୟତ ଆଡେଇ ନଥିଲେ । ଆଉ ଏହି ଘଟଣା ଏବେ ସମସ୍ତଙ୍କୁ ଚକିତ କରିଛି ।

ତିନି ମାସ ତଳେ ଶ୍ରୀମନ୍ଦିରରେ ଏଭଳି ଏକ ଘଟଣା ଘଟିଥିଲା ଯାହା ଏବେ ସାରା ଓଡ଼ିଶାକୁ ଆଶ୍ଚର୍ଯ୍ୟ-ଚକିତ କରିଦେଇଛି । ଦେଶର ପ୍ରଥମ ନାଗରିକ ତଥା ରାଷ୍ଟ୍ରପତି ରାମନାଥ ଗୋବିନ୍ଦ ସପତ୍ନୀକ ଶ୍ରୀମନ୍ଦିର ଦର୍ଶନ ପାଇଁ ଆସିଥିବା ବେଳେ ସେବାୟତଙ୍କ ଦ୍ୱାରା ଏଭଳି ଆଚରଣର ସାମ୍ନା କରିଥିଲେ, ଯାହା ଏବେ ଏକ ନୂଆ ବିବାଦ ସୃଷ୍ଟି କରିଛି । ଜଗମୋହନ ନିକଟରେ ଠାକୁର ଦର୍ଶନ କରୁଥିବା ବେଳେ ଦୁଇ ଜଣ ସେବାୟତ ରାଷ୍ଟ୍ରପତି ଏବଂ ତାଙ୍କ ପତ୍ନୀଙ୍କ ସହ ଘଷି ହୋଇଯାଇଥିିଲେ । ଆଉ ଏହି ଘଟଣା ସେତିକି ବେଳେ ସାମ୍ନାକୁ ଆସିଲା, ଯେତେବେଳେ ରାଷ୍ଟ୍ରପତି ଭବନରୁ ଶ୍ରୀମନ୍ଦିର ପ୍ରଶାସନ ପାଖକୁ ଏକ ଚିଠି ଆସିଥିଲା ।

ମାର୍ଚ୍ଚ ଶେଷ ସପ୍ତାହରେ ଆସିଥିବା ଏହି ଚିଠି ଶ୍ରୀମନ୍ଦିର ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ପାଇଁ ଏକ ଅଡୁଆ ପରିସ୍ଥିତିରେ ପକାଇ ଦେଇଥିଲା । ଆଉ ଏପ୍ରିଲ ୪ ତାରିଖ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଚିଠି ସଂପର୍କରେ ଆଲୋଚନା କରାଯାଇଥିଲା । ଶ୍ରୀମନ୍ଦିର ପ୍ରଶାସନର ଏକ ରିଜୋଲୁସନରେ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଘଟିଥିବା ଘଟଣା ସଂପର୍କରେ ଉଲ୍ଲେଖ କରାଯାଇଛି । ଯେଉଁଥିରେ ଲେଖା ରହିଛି-ରତ୍ନ ସିଂହାସନରେ ମଥା ରଖିବା ପାଇଁ ମହାମହିମ ରାଷ୍ଟ୍ରପତି ଯିବା ବେଳେ ସେଠାରେ ଉପସ୍ଥିତ ଖୁଂଟିଆ, ମେକାପ ସେବକ ଆଡେଇ ନଥିଲେ । ଏପରିକି ମହାମହିମ ରାଷ୍ଟ୍ରପତିଙ୍କ ପତ୍ନୀଙ୍କ ଦେହରେ ଘଷି ହେବା ଯୋଗୁଁ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି । ଶ୍ରୀମନ୍ଦିରରେ ଭକ୍ତମାନଙ୍କୁ ସେବାୟତଙ୍କ ଦୁର୍ବ୍ୟବହାର, ନେଇ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିଥିବା ବେଳେ ଶୃଙ୍ଖଳା ଆଣିବାକୁ ପୁରୀ ଜିଲ୍ଲା ଜଜଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆଉ କୁହାଯାଉଛି-ରାଷ୍ଟ୍ରପତି ସାମ୍ନା କରିଥିବା ପରିସ୍ଥିତି ଏହି ଘଟଣାର ଗୁରୁତ୍ୱକୁ ଆହୁରି ବଢ଼ାଇ ଦେଇଥିଲା ।

ଏହି ପ୍ରସଙ୍ଗରେ ଆମେ ଯେତେବେଳେ ଶ୍ରୀମନ୍ଦିର ପ୍ରଶାସକଙ୍କ ପ୍ରତିକ୍ରିୟା ନେବାକୁ ଉଦ୍ୟମ କରିଥିଲୁ- ନୋ-କମେଂଟ୍ କହି ସବୁ ପ୍ରଶ୍ନକୁ ଏଡାଇ ଯାଇଥିଲେ । ଜଗନ୍ନାଥ ସଂସ୍କୃତି ଏବଂ ଓଡ଼ିଶାର ଛବି ସହ ଜଡ଼ିତ ଥିବା ଏହି ପ୍ରସଙ୍ଗ ଏବେ ସାରା ଓଡ଼ିଶାକୁ ବିବ୍ରତ କରିଛି । କାରଣ ଏହି ଘଟଣା ଦେଶରେ ଶ୍ରୀମନ୍ଦିରର ଛବି ଖରାପ କରୁଛି । ଏହାପାଇଁ ଓଡ଼ିଶା ବଦନାମ ହେଉଛି । ଏତେ ବଡ ବିବାଦ ସୃଷ୍ଟି କରିଥିବା ଏହି ଘଟଣାର ଖଳନାୟକ ସବୁ କିଏ ଏବଂ ତାଙ୍କ ପ୍ରତି ଶ୍ରୀମନ୍ଦିର ପ୍ରଶାସନ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି, ତାହା ଉପରେ ଏବେ ସମସ୍ତଙ୍କ ନଜର ।