୨୦୧୯ ନିର୍ବାଚନ ପାଇଁ ରୋଡମ୍ୟାପ ପ୍ରସ୍ତୁତ ! ଆଜି କଂଗ୍ରେସ ଅଧିବେଶନର ତୃତୀୟ ଦିନରେ ଦୁଇଟି ସଂକଳ୍ପ କରିବ ଦଳ

50

କନକ ବ୍ୟୁରୋ: ୨୦୧୯ ସାଧାରଣ ନିର୍ବାଚନ ପାଇଁ ରୋଡମ୍ୟାପ ପ୍ରସ୍ତୁତ କଲା ଭାରତୀୟ ଜାତୀୟ କଂଗ୍ରେସ । ଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ୮୪ତମ ମହାଧିବେଶନରେ ଦଳ ଆଗାମୀ ନିର୍ବାଚନ ପାଇଁ ଆଜି ତାର ସଂକଳ୍ପ ପାରିତ କରିବ ।

ମିଳିଥିବା ସୂଚନା ଅନୁସାରେ, ଆଜି ଅଧିବେଶନର ତୃତୀୟ ଦିନରେ ସମସ୍ତ ଏଆଇସିସି ସଦସ୍ୟ ଓ ପିସିସି ପ୍ରତିନିଧି ନିଜନିଜ ବିଚାର ଖୋଲାଖୋଲି ଭାବରେ ରଖିବେ । ଏହା ଉପରେ ତର୍ଜମା କରି ଦଳ ଦୁଇଟି ସଂପଳ୍ପ ପାରିତ କରିବ । ଆଗାମୀ ୨୦୧୯ ସାଧାରଣ ନିର୍ବାଚନକୁ ଆଖିରେ ରଖି ଗୋଟିଏ ରାଜନୈତିକ ସଂକଳ୍ପ ଓ ଅନ୍ୟଟି ଚାଷ, ରୋଜଗାର ଓ ଦାରିଦ୍ର୍ୟକୁ ନେଇ କଂଗ୍ରେସ ମହାଧିବେଶନରେ ସଂକଳ୍ପ ନେବ । ଏବଂ ଏଥିପାଇଁ କାମ କରିବାକୁ ଦଳର ନେତା ଓ କର୍ମୀଙ୍କୁ ପରାମର୍ଶ ଦିଆଯିବ ।

ଇନ୍ଦିରା ଗାନ୍ଧି ଇନଡୋର ଷ୍ଟାଡିୟମରେ ହେବାକୁ ଥିବା ଦଳର ଆଜିର ବୈଠକରେ ନେତାଙ୍କ ବ୍ୟତିତ କର୍ମୀଙ୍କୁ ମଧ୍ୟ କହିବାର ସୁଯୋଗ ମିଳିବ । ଫଳରେ ଦଳ ନିଜ ଦୋଷ ଦୁର୍ବଳତାକୁ ସମୀକ୍ଷା କରି ଆଗାମୀ ନିର୍ବାଚନରେ ବିଜେପି ସହ ମୁକାବିଲା ପାଇଁ ପ୍ରସ୍ତୁତି କରିବ । ୨୦୧୯ରେ ବିଜେପିର ବିଜୟଧାରାରେ ବ୍ରେକ ଲଗାଇବାକୁ ଅନ୍ୟ ସମଭାବାପନ୍ନ ଦଳମାନଙ୍କ ସହ ନିର୍ବାଚନୀ ମେଂଟ ସଂପର୍କରେ ମଧ୍ୟ ଦଳ ଏହି ମହାଧିବେଶନରେ କିଛି ଚୂଡାନ୍ତ ନିଷ୍ପତି ନେବା ଅନୁମାନ କରାଯାଉଛି ।